
ମୁଁ ସ୍ତ୍ରୀ ଲୋକ ଟିଏ !
ପ୍ରଗଲଭା ନଈ ଟିଏ !
ବାହାଘର ପୂର୍ବରୁ ରହିଲି ବାପାଙ୍କ ସମ୍ପତି !
ବିବାହ ପରେ ମୋର ସ୍ୱାମୀ ହେଲେ ପ୍ରଥମ ପ୍ରୀତି !
ସମ୍ପୂର୍ଣ ସମର୍ପିତ ହେଲା ପରେ ନିଜତ୍ୱକୁ ହରାଏ !
ମା ହେଲାପରେ ମୋର ବୋଲି କିଛି ନଥାଏ !
ହେ ପ୍ରଭୁ ତୁମଠାରୁ ମୋର ସୃଷ୍ଟି !
ଆଉ ଅନ୍ତ କୁହ ଅଛି କୋଉଠି !

Odiya Blogs and Poetry

ମୁଁ ସ୍ତ୍ରୀ ଲୋକ ଟିଏ !
ପ୍ରଗଲଭା ନଈ ଟିଏ !
ବାହାଘର ପୂର୍ବରୁ ରହିଲି ବାପାଙ୍କ ସମ୍ପତି !
ବିବାହ ପରେ ମୋର ସ୍ୱାମୀ ହେଲେ ପ୍ରଥମ ପ୍ରୀତି !
ସମ୍ପୂର୍ଣ ସମର୍ପିତ ହେଲା ପରେ ନିଜତ୍ୱକୁ ହରାଏ !
ମା ହେଲାପରେ ମୋର ବୋଲି କିଛି ନଥାଏ !
ହେ ପ୍ରଭୁ ତୁମଠାରୁ ମୋର ସୃଷ୍ଟି !
ଆଉ ଅନ୍ତ କୁହ ଅଛି କୋଉଠି !


ସକାଳୁ କଲେଜ ଯିବା ପୂର୍ବରୁ ଭାଉଜ ପାଖକୁ ଆସି ମୋ କାନରେ କହିଲେ, ଚନ୍ଦୁ ଆଜି ଠିକ ସମୟରେ କଲେଜରୁ ଫେରିବ l ଡେରି ଜମା କରିବନି l ମୁଁ ପଚାରିଲି କାହିଁକି ଆଜି ସିନେମା ଯିବାକି ? ଆମେ ଯେବେ ସିନେମା ଯାଉ ମୁଁ ଜଲ୍ଦି ଆସି ରାତି ରୋଷେଇ ରେ ସାହାଯ୍ୟ କରେ, ତା ଦ୍ୱାରା ରାତି ୯ଟା ବାଜିବା ପୂର୍ବରୁ ସମସ୍ତଙ୍କର ଖାଇବା ସରେଇ ମୁଁ , ଭାଇନା ଆଉ ଭାଉଜ ସିନେମା ଦେଖି ଯାଉ l କିଛିତ ନୂଆ ସିନେମା ପଡିନି , ନହେଲେ ମୋ ସାଙ୍ଗ ପୁଷ୍ପିତା ନିଶ୍ଚୟ କହି ଥାଆନ୍ତା? ସିଏ ପ୍ରାୟ ସବୁ ସିନେମା ଯାଏ l ତେଣୁ ମତେ ଖବର କାଗଜରେ ସମୀକ୍ଷା ଦରକାର ପଡ଼େନି ସିନେମା ବିଷୟରେ ଜାଣିବା ପାଇଁ l ମୋ ମୁହଁକୁ ଚାହିଁ ଭାଉଜ କହିଲେ ନାଇଁ ତୁମକୁ ଦେଖିବା ପାଇଁ ସୁଧାଂଶୁ ଆସିବେ l ଭାଉଜଙ୍କ କଥା ଶୁଣିଲା ପରେ ମୋ ମନଟା ବରଡା ପରି ଶୁଖି ଗଲା l ଭାବିଲି ଯେତେ ଭଲ ପଢିଲେବି ମୋ ଭାଗ୍ୟରେ କଲେଜରୁ ଗ୍ରାଜୁଏଟ ହେବା ଲେଖା ନାହିଁ l ବୋଉତ ନାହିଁ, କାହାକୁ କହିବି ? “ବାପା ତ ବଯସ ଯୋଗୁ ସବୁଦିନ କହି ଚାଲିଛନ୍ତି “ତୋ ହାତ କୁ ଦି ହାତ କରିଦେଲେ ମୁଁ ଆଖି ବୁଝିବି” l ଯିବା ବେଳେ ଆମ ସାଇର ଠାକୁରାଣୀ ଅଲପଦ୍ମା ନ୍କ ପାଖରେ ମୁଣ୍ଡ ନୁଆଇଁ କହିଲି ଯାହା ତୁମ ଇଛା ମା ତାହିଁ ହେଉ, ତେବେ ଭଲ ଆଧୁନିକ ବର ଟିଏ ମୋ ପାଇଁ ବାଛି ଦିଅ l ମୁଁ ସହରରୁ ଯାଇ ଗାଁରେ ଚଳି ପାରିବିନି l
ଭାଉଜ ଆମର ଭାରି ଭଲ ଲୋକ ଥିଲେ l ମତେ କେବେ କାମ କରିବାକୁ ଦିଅନ୍ତିନି l ମୁଁ ସେଦିନ ଘରକୁ ଠିକ ସମୟରେ କଲେଜ ରୁ ଆସିଗଲି l ଆମ ଘରେ ସୋଫା ତ ନଥିଲା , ତେବେ ଚଉକି, ଟେବୁଲ ସବୁ ଝାଡି, ଝୁଡି ଦେଇ ବସିବା ଘର ସଜାଡି ଦେଲି l ଭାବିଲି କିଛି କାମରେ ସାହାଯ୍ୟ କରିଦିଏ l ବାହାଘରଟା ନିଶ୍ଚୟ ହେବ l ଜଲ୍ଦି କରିବା ପାଇଁ ସମସ୍ତେ ଲାଗି ପଡି ଥାଆନ୍ତି l ସେଦିନ ଭାଉଜ ବିଭିନ୍ନ ପ୍ରକାର ତରକାରୀ କରିଥିଲେ l ଆଳୁ ପୋଟଳ ରସା , ଫୁଲକୋବି ଭଜା, ଦହି ମାଛ ଝୋଳ, ଲେଉଟିଆ ଶାଗ ଆଉ ବାଇଗଣ ଚକା, ଚକା ଭଜା କରି ଥିଲେ l ମୁଁ ପାଖରେ ବସି ଭାବୁଥାଏ , ବାପରେ କିଏ ଏମିତି ଲୋକ ଯେ ଏତେ ପ୍ରକାର ଜିଣିଷ ତିଆରି ହେଉଛି ? ତେବେ ଭାଇନା କହିଲେ ଯିଏ , ମତେ ଦେଖିବାକୁ ଆସିବେ (ସୁଧାଂଶୁ) ଆମେରିକା ରେ ଥିଲେ l ଆମେରିକାରେ ଭଲ, ଭଲ ଚକୋଲେଟ ମିଳେ ବୋଲି ମୋ ସାଙ୍ଗ ମାନେ କହୁଥିଲେ l ପିଲାଦିନୁ ଚକୋଲେଟ ଖାଇବାକୁ ମୁଁ ବହୁତ ଭଲ ପାଉ ଥିଲି l କିନ୍ତୁ ଆମ ଘର ଆର୍ଥିକ ପରିସ୍ଥିତି ଯୋଗୁ କେବଳ ଥରେ ବା ଦୁଇ ଥର ଚକୋଲେଟ ଖାଇବାର ସୁଯୋଗ ବର୍ଷରେ ମିଳେ l ଭାବିଲି କେତେ ପ୍ରକାର ଚଲୋଲେଟ ସୁନ୍ଦର ରଙ୍ଗ ବାକ୍ସରେ ନିଶ୍ଚୟ ଆଣିବେ l ତାପରେ ଥରକୁ ଥର ବାହାରକୁ କାନ ଡେରି ଶୁଣୁଥାଏ କାଳେ କିଏ ଆସିଲେ ବୋଲି l ମୋ ପୁତୁରା ବଦ୍ରିକୁ କହିଥାଏ ଦାଣ୍ଡ ଦୁଆରେ ନଜର ରଖିବାକୁ ଯଦି କିଏ ରିକ୍ସାରେ ଆସି ଆମ ଘର କୋଉଟା ବୋଲି ପଚାରିବେ ?
ଏମିତି ଅନେଇ ଅନେଇ ଅଢେଇଟା ବାଜିଗଲା l ଆମେ କେହି ନଖାଇ ଅନେଇଥିଲୁ l ଭାରି ଭୋକ ହେଉଥିଲା l ଭାବିଲି ବାଡ଼ିଆଡ଼କୁ ଯାଇ ଗୋଟେ ଯୋଡ଼େ ଚାଉଳିଆ ଖାଇବି l ଆମ ଘର ଭାରି ଲମ୍ବା ଥିଲା l ଦୁଇ ପଟେ ରାସ୍ତା ଘରୁ ଦାଣ୍ଡକୁ ବାହାରିବା ପାଇଁ l ବାଡ଼ିପଟେ ମାର୍କେଟକୁ ବାହାରି ପାରିବ ଆଉ ଦାଣ୍ଡ ପଟେ ଆସିଲେ ପଥୁରିଆ ସାହିରେ ବାହାରିବ l ରିକ୍ସାରେ ଦୁଇ ବାଟେ ଘରକୁ ଆସି ପାରିବେ ଲୋକମାନେ l ଗଛ ଉପରେ ଚଢି ଚାଉଳିଆ ଟେ ହାତରେ ଛିଣ୍ଡେଇଲା ବେଳେ ଶୁଣିଲି ଜଣେ କିଏ ପଚାରୁଛନ୍ତି ଏଇଟା କ୍ଷେତ୍ର ମୋହନ ଶତପଥି ବାବୁଙ୍କ ଘର ? ପାଖ ଵାଲା ଦାମ ଭାଇ କହିଲେ ହଁ ଆଜ୍ଞା l ଏଇଟା ବାଡ଼ିପଟ ରାସ୍ତା ତାଙ୍କ ଘରକୁ l ଦାମ ଭାଇ ରିକ୍ସା ବାଲାକୁ ଦାଣ୍ଡ ପଟକୁ ଯିବା ପାଇଁ କହିଲା ବେଳକୁ ଭାଇନା ଉପରୁ ଆସି ନମସ୍କାର କଲେ l ମୁଁ ଜାଣି ଦେଲି ଏଇ ହଉଛନ୍ତି ଆମର ଅତିଥି, ଯାହା ପାଇଁ ଆମେ ଭୋକରେ ଅନେଇ ବସିଛୁ l ତାପରେ ରିକ୍ସାରୁ ତଳକୁ ବାହାର କଲେ ଗୋଟେ ଓଜନିଆ ଅଖା ! ଏଇଟା ପୁଣି କଣ ? ମୁଁ ଚୁପ ହୋଇ ଦେଖୁଥାଏ l ହାତରେ ଆଉ କିଛି ନାହିଁ ବୋଲି ମୁଁ ଯାଣିଦେଲି l ତେବେ ଚକୋଲେଟ କଣ ପକେଟରେ ଅଛି ? ମୋ ମନଟା ଖଟା ଖାଇଲା ଭଳି ହୋଇଗଲା l
ଘରେ ଖାଇବା, ପିଇବା ପରେ ବାପା, ଭାଇନା ସମସ୍ତେ ଦlଣ୍ଡ ଘରେ ବସିଲେ l ସେମାନେ କଣ କଥା ହେଲେ ମୁଁ ଜାଣିନି l ତେବେ ମିଠା ମୁଁ ନେଇ ସମସ୍ତଙ୍କୁ ଦେଇଥିଲି l ମୋର ସେତିକି ଦେଖା ବେଳେ ସୁଧାଂଶୁ ମତେ କଣ ପଢ଼ୁଛ ବୋଲି ପଚାରି ଥିଲେ l ମୁଁ ଉତର ଦେଇଥିଲି ପ୍ରି ୟୁନିଭେର୍ସିଟି ସାଇନ୍ସ l ପଢିବାକୁ ଇଛା, କିନ୍ତୁ ବାପାନ୍କ ଦେହଟା ଭଲ ରହୁନି l ଦେଖାଯାଉ ଆଗକୁ କଣ ହେବ !
ମୁଁ ଭାଉଜଙ୍କ ସଂଗେ ଖାଇଲା ବେଳେ ମତେ ସିଏ ପଚାରିଲେ , ଚନ୍ଦୁ ତୁମର ସୁଧାଂଶୁ ପସନ୍ଦ ଆସିଲେତ ? ଭାରି ଭଲ ଆଉ ନମ୍ର ପିଲା l ଦଵା , ନବାର କିଛି ଚାହିଦା ନାହିଁ ସେମାନଙ୍କର l କେବଳ ଅଳ୍ପ ବଡ଼ ତୁମଠାରୁ ହେବେ l ଆମେ ତୁମର ପଢିବା ପାଇଁ ଇଛା ବୋଲି ତାଙ୍କୁ କହିଛୁ ଆଉ ସିଏ ସେଥିରେ ରାଜି l ଖୁସି ହେଲି କିନ୍ତୁ କିଛି ଉତର ଠିକରେ କହିଲିନି l ଭାଉଜ ମତେ ପିଲାଦିନୁ ଜାଣିଥିଲେ l ପଚାରିଲେ ଚୁପ କାହିଁକି ? ଅସୁବିଧା କଣ ହେବ ବୋଲି ଭାବୁଛ ? ମୁଁ ପାଖରେ ଥୁଆ ହୋଇଥିବା ଅଖା ବସ୍ତାକୁ ଦେଖେଇ କହିଲି ଆମେରିକାରୁ ଆସିଲେ ବି ନଡ଼ିଆ ପୁଣି ଅଖାରେ ଆଣିବା କେମିତି? କିଛି ଚକୋଲେଟ ଆଣି ପାରିଥାଆନ୍ତେ ? ବୋଧେ ପୁରୁଣା ଖିଆଲର ଲୋକ l ଭାଉଜ ହସି କହିଲେ , ନଡ଼ିଆ କଣ ଚମଡା ବାକ୍ସରେ ଆଣି ଥାଆନ୍ତେ ? ଆଉ ସେମାନଙ୍କର ଶାସନୀ ବ୍ରାମଣ ଘର l ନଡ଼ିଆ ଶୁଭ ବୋଲି ଆଣିଥିଲେ l ଭାଉଜଙ୍କୁ ସେ କଥା ସୁଧାଂଶୁ କଥା ପ୍ରସଙ୍ଗରେ କହିଥିଲେ l ମୁଁ କିଛି ଉତ୍ତର ନଦେଇ ତଳକୁ ଅନେଇଲି l ନଡ଼ିଆ ଆଣିବା ଶୁଭ ବୋଲି ମୁଁ ଭାବିବି ପାରିନଥିଲି l ସେଇଦିନ ଠାରୁ ଏବେବି ମୁଁ ନଡ଼ିଆ ନେବାକୁ ଭଲପାଏ ଶୁଭ କାମକୁ ଗଲାବେଳେ l
ଉପରେ ଯେତେ ବାଦାମୀ ରଙ୍ଗ ହେଲେବି ନଡିଆ ଭିତର ବହୁତ ସୁଂଦର ଆଉ ତୋଫା ଧଳା l ନଡ଼ିଆର ମୂଲ୍ୟ ଆମ ଓଡ଼ିଆ ଖାଇବାରେ ଅମୁଲ୍ୟ l ଦିଅଁଙ୍କ ପୂଜା ଠାରୁ ଡାଲ୍ମା ପର୍ଯ୍ୟନ୍ତ ସବୁଥିରେ ତା ନହେଲେ ଜିନିଷ ଅଧୁରା ରହିଯାଏ l
ଖରା ଦିନେ ଆମ ଘର ପାଖକୁ ହରିଣଟିଏ ପ୍ରାୟ ସବୁ ଦିନ ଆସେ l ସେଇ ହରିଣର ଆଖି ଭାରି ଛଳ, ଛଳ ଥିଲା l ପିଲାଦିନେ ମୋ ଝିଅ ସୀମାର ଆଖି ବହୁତ ଛଳ ଛଳ ଥିଲା l ଏଇକବିତାଟି ମୁଁ ସେଇ ହରିଣ କୁ ଦେଖି ମୋ ଝିଅ କଥା ମନେ ପକାଇ ଲେଖିଛି l

ହେମା ବୋଲି ତତେ ଡାକିବି ଗେଲରେ ନାଁ ମୁଁ ଦେଇଛି ତୋର
ଯାଆନା ଆଉ ତୁ ଆଡେଇ ମୁହଁ ଲୋ ମୁଁ କିମ୍ପା ତୋ ପାଇଁ ପର
ବେକରେ ବାନ୍ଧିବି ସୁନାର ଘୁଙ୍ଗୁର ଗୋଡ଼ରେ ରୂପାର ବଳା
ମନ ଦେଇ ତତେ ନିତି ଦେଖୁଥିବି ହେବୁ ମୋ ଗଳାର ମାଳା l
ବେଳ ବୁଡ଼ିଲାଣି ସୂର୍ଯ୍ୟ ଦେବ ଏବେ ମାଗିବେ ମେଲାଣି ପରା
ଆ ଯା ମୋର ପାଖକୁ ହେମା ଲୋ କାହିଁକି ନଦେଉ ଧରା
ଥିରି ଥିରି ହୋଇ ଆସିତ ଗଲୁଣି କେହି ଦେଖୁନାହିଁ ବୋଲି
ମନ କଥା ତୋର କହ ଖୋଲି ମୋତେ କହିବିନି କିଛି ମୁଇଁ l
ଆଗରୁ ଦେଖିଛି କେତେ ଥର ମୁହିଁ ତୋ ପରି ହରିଣଙ୍କୁ
କେବେ ଭାବିନାହିଁ ରଖିବି ବୋଲିଲୋ ପାଖେ ଜାକି ମୁହିଁ ତାଙ୍କୁ
ମୋ ଝିଅ ସୀମା କେବେଠୁ ଗଲାଣି ତା ନିଜ ବାଟ ଧରି
ମନେ ପଡି ଯାଏ ଚାହାଣି ତାହାର ଦେଖି ତୋ ଛଳିଆ ଆଖି l
ବରସା ଯେମିତି ମାଟି ଛୁଇଁ ଯାଏ ତୁଟାଇ ବାଦଲ ମୋହ
ଆଶା ମୁଁ କରୁଛି ଭୁଲି ନିଜ ଜାଗା ମୋ ଘରେ ଆସି ତୁ ରହ
ଦେବି ଖାଇବାକୁ ଓଡିଶା ଖାଇବା ଭାତ ସଂଗେ ଶାଗ ଭଜା
ସାଥି ହୋଇ ଆମେ ଖାଇବା ଏକାଠି ହୋଇବ ବହୁତ ମଜା l
ଏଇ ଦୁଇ ପଦ ଲେଖିତ ଦେଉଛି ଝିଅ କଥା ଆଜି ଭାବି
ମନକୁ ବୁଝାଇ ଲେଖୁଛି କବିତା ତୁ ଆସିଯିବୁ ଭାବି
ତୁ ଆସିଗଲେ ଘର ପୁରିଯିବ ଭାବିବିନି ବିତା କଥା
କହିଦେ ମୋତେ ତୁ ଜଲ୍ଦି ଜଲ୍ଦି କାହିଁ ଦେଉ ଏତେ ବ୍ୟଥା l
ଏଇ କଵିତା ଟିର ଶୀର୍ଷକ ହେଲା ମୋ ଗ୍ରହଣୀୟ କର୍ମଭୂମି ଆମେରିକା l ମୋର ବୟସ୍କ ଜୀବନ ଏଠାରେ କଟିଛି । ଏଇଠି ମୋର ମହାବିଦ୍ୟାଳୟରେ ପାଠ ଆଉ କାର୍ଯ୍ୟକାରୀ ଜୀବନର ଆରମ୍ଭ ହୋଇଛି । ସେ ସବୁକୁ ମନରେ ରଖି ଏଇ କବିତାଟି ଲେଖିଛି l



ବହୁତ ଦୂରରୁ, ଅନେକ କଷ୍ଟରେ ପହଂଚିଲି ଆସି ତୋରି ଦ୍ୱାରେ
ନଭାବି କିଛିତୁ କୋଳେଇ ନେଲୁ ମା ବଢ଼ାଇ ହାତକୁ ଅତି ଯତ୍ନରେ l
ପିଲାଟି ଦିନରୁ ଦେଖିଥିଲି ଯାହା ସପନରେ ମୁହିଁ କରିବି ବୋଲି
ଗୋଟି ଗୋଟି କରି ଭରି ଦେଲୁ ସବୁ ଆଞ୍ଜୁଳାରେ ମୋର ନିଜର କରି l
ନାହିଁ ଏଠି ମା ବୟସର ସୀମା ଅବା ମୁଁ କାହିଁକି ହେଲିଲୋ ଝିଅ
ଡର ଚାଲିଗଲା ମୋରି ଭିତରୁ ଭାବିଲିନି କାହିଁ ନହେଲି ପୁଅ l
ସାରଥୀ ହୋଇଣ ମୋ ମନରଥରେ ଭରିଦେଲୁ ଖାଲି ସାହସ ତୁହି
ହୃଦେ ବସି ମୋର ସଦା ଦେଇଦେଲୁ ଆଶ୍ରିବାଦ ମତେ ମାଲୋ ତୁହି l
ପ୍ରୀତି ପିୟୁଷରେ ମନ ସ୍ଥିର କରି ପ୍ରତିଟି ସ୍ଥିତିକୁ ଆଦରି ନେଲି
ପୀରତି ବାଣ୍ଟିବା କାମ ତୁ ମା ଲୋ ଶିଖାଇଲୁ ଯାହା ସବୁ ଶିଖିଲି l
ମୋରି ଭିତରେ, ତୁ ରହିଅଛୁ ଦିନ ରାତି ସଦା ଛାଇଟି ପରି
ଯିଏ ଯାହା କହୁ, ହେଲିମୁଁ ତୋର କହୁଅଛି ଏହା ଗରବ କରି l

💕ଆଜି ଏଠି ଏବର୍ଷର ପ୍ରଥମ ତୁଷାର ପାତ ହେବା ଦେଖି ମୋର ସ୍ମୃତିରୁ ଛୋଟ କଥା ଟିଏ ମନେ ପଡି ଗଲା: 💕
ପ୍ରଥମ ସ୍ନୋ ଆଉ ଫ୍ରୀନ୍ଜ଼ ଷ୍ଟାଇଲ ବାଳର (ସାଧନା କଟ୍) ଅଭିଜ୍ଞତା— By GFPSP (ଗାର୍ଲ ଫ୍ରମ ପଥୁରିଆ ସାହି ପୁରୀ )
ମୁଁ ପ୍ରଥମ କରି ଆମେରିକାକୁ ଆସିଲି ସେପ୍ଟେମ୍ବର ମାସରେ। ସେତେବେଳେ ଆମେ ଚିକାଗୋରେ ରହୁଥିଲୁ। ସେଠି ସ୍ନୋ ବହୁତ ପଡେ l ଆଗରୁ ମୁଁ ଆମ ହିନ୍ଦୀ ଫିଲ୍ମରେ ସ୍ନୋର ସିନ୍ ଦେଖିଥିଲି। ମୋର ଫେଭ୍ ହୀରୋଇନ ସାଧନାକୁ ଆରଜୁ ଫିଲ୍ମ ରେ ଦେଖିଲା ପରେ ଆମ ସାଙ୍ଗ ମାନେ ତା ଭଳି ବାଳ କଟା ଆରମ୍ଭ କରିଦେଲେ। ମୋର ବି ବହୁତ ମନ ଥିଲା ସାଧନା ଭଳି ବାଳ କାଟି କାନି ଛାଡି କଲେଜ ଯିବା ପାଇଁ। ବାପା ଆଉ କୁନା ଭାଇନା କାଳେ ଜାଣିଲେ ଵିଧା ଟିଏ ଦେବା ଡରରେ କଇଁଚିକୁ କେତେ ଥର ହାତରେ କପାଳ ପର୍ଯ୍ୟ୍ତ ନେଲେ ବି କିଛି ନିର୍ଣ୍ଣୟ କରି ପାରିନଥିଲି। ତେବେ ଚାଉଳିଆ ଗଛରେ ଚଢି ଗପ ବା କବିତା ବହି ପଢିଲା ବେଳେ କେତେଥର ଭାବିଚି ମୁଁ କେମିତି ଦେଖାଯିବି ସାଧନା ଭଳି ବାଳ କାଟିଲେ? ସେ ଭାବନା ସବୁ କେବଳ ଗଛ ଉପରେ ଛାଡି ଚାଲିଆସେ।
ଦିନେ ସକାଲୁ ଉଠିଲା ବେଳକୁ ଅଳ୍ପ ଅଳ୍ପ ସ୍ନୋ ଆକାଶରୁ ପଡିବା ଦେଖିଲି। ଏହା ପୂର୍ବରୁ କେବେ ସତ ସ୍ନୋ ପଡ଼ିବା ଦେଖି ନଥିଲି। ସେତେବେଳେ ଇଣ୍ଟରନେଟ୍ ନଥିଲା କହିଲେ ଚଳେ। ମୋର ବି ଭୂଗୋଳ ଇତ୍ୟାଦିରେ ଏତେ ଜ୍ଞାନ ନଥିଲା। କେବଳ ଯାହା ଦରକାର ପଢା ପାଇଁ ତାହା, ଘୋଷି ଘୋଷି ଭଲ ନମ୍ବର ପରୀକ୍ଷ୍ୟାରେ ଆଣୁଥିଲି। ଆମ ପୁରୀ ବା ମୁମ୍ବଇରେ (ଯୋଇଠି ମୁଁ ଆଗରୁ ଥିଲି) କେବେ ସ୍ନୋ ପଡ଼େନି। କେବଳ ସିନେମାରେ ସ୍ସ୍ନୋ ଦେଖିଥିଲି ଆଉ ହିରୋଇନ ମାନେ ଲୁଗା ବା ଡ୍ରେସ ପିନ୍ଧି ସ୍ନୋରେ ଗୀତ ଗାଇ ଚାଲୁଥିଲେ ହିରୋଙ୍କ ସାଙ୍ଗେ । କେବେ କେବେ ତାଙ୍କ ଦେହରେ କେବଳ ନାଇଲନ୍ ଶାଢ଼ୀ ବା ଡ୍ରେସ୍ ଟିଏ ଥାଏ। ମୋର ଜ୍ଞାନ ନଥିଲା ଯେ ସିନେମାଟିରେ ସ୍ଥିତି ଗୁଡିକ ଯୋଡି, ଯାଡ଼ି କରି ଫିଲ୍ମଟି ତିଆରି ହୋଇଥାଏ ବୋଲି । ମୁଁ ଭାବେ ସତେ ଯେମିତି ସାଧନା ବିଚାରି ଶୀତରେ ଥରୁ ଥିଲେବି ଆମ ମାନଙ୍କ ପାଇଁ ସୁଟିଙ୍ଗ୍ କରୁଥିଲେ ଘଣ୍ଟା ଘଣ୍ଟା ଧରି ସ୍ନୋରେ। ଆକାଶରୁ ସତରେ ସ୍ନୋ ପଡିବା ଦେଖି ମୋର ସାଧନା ଯିଏ କି ମୋର ସବୁଠୁ ଫେଂଭରିଟ୍ ହିରୋଇନ ଥିଲେ, ତାଙ୍କ କଥା ମନେ ପଡିଲା। ସିଏ କେମିତି ଆରଯୁ ସିନେମାରେ ସ୍ନୋ ରେ ବୁଲି ବୁଲି ଗୀତ ଗାଉ ଥିଲେ।ଇତି ମଧ୍ଯରେ ମୁଁ ଦିନେ ନିଜେ କତୁରୀ ନେଇ ମୋର ଆଗ ପଟ ବାଳ ଫ୍ରୀନ୍ଜ଼ ଷ୍ଟାଇଲ୍ ରେ କାଟିଥିଲି l
ଝରକା ପାଖରୁ ଓଟ ପରି ବେକ ଲମ୍ବେଇ ଦେଖିଲି କପା ଫୁଲ ପରି ଧଳା ଧଳା ହାଲକା ସ୍ନୋ ଆକାଶରୁ ପଡି ଆମ ଘର ଚାରିପଟେ ଧଳା କାର୍ପେଟ ପଡିଲା ପରି ଲାଗୁଥିଲା। ସୁଧାଂଶୁ ଓ ପିଲାମାନେ ଉଠି ନଥିଲେ। ଯୌବନ ସମୟରେ ସବୁ ବେଳେ ସାଧନା ପରି ବାଳ କାଟି ବରଫ ରେ ବୁଲିବାକୁ ମୋର ଭାରି ମନ ଥିଲା। ଭାବିଲି ଏବେ ତ ବାପା ବା ଭାଇନା ନାହାନ୍ତି। ସୁଧାଂଶୁ ମତେ କେବେ କିଛି ଏସବୁ ଥିରେ କହନ୍ତିନି । ମୁଁ ନିଜେ ଯାହା ଇଛା କରେ ପ୍ରାୟ ତା କରେ । ମାକ୍ସି କାଢି ଶାଢ଼ିଟି ପିନ୍ଧି ଚପଲ ହଳେ ଗଳେଇ ଦେଲି। ତାପରେ ବାହାରକୁ ଜଲ୍ଦି,ଜଲ୍ଦି ଡେଇଁ ଡେଇଁ ଗଲି। ବୋଧେ ଖୁସିରେ “ବେଦର ଦି ବଲମା ” ଗୀତଟି ଗୁଣୁ ଗୁଣୁ କରି ଗାଉ ଥିଲି ଯେମିତି ସାଧନା ଆରଯୁ ଫିଲ୍ମରେ ଗାଇ ଥିଲେ।
ଯେମିତି କବାଟ ଖୋଲି ପନ୍ଦର କି ଷୋହଳ ପାଦ ଯାଇ ଥିଲି ଭାରି ଥଂଡା ଲାଗିଲା। ଭାବିଲି ଠିକ୍ ହୋଇଯିବ। ଖବର କାଗଜ ବାହାରେ ପଡିଥିଲା। ତାକୁ ଆଣିବାକୁ ଆଉ ଦଶ ପାଦ ଆଗକୁ ଗଲି। ଗଲା ବେଳେ ମୋ ନୂଆ କାଟିଥିବା ଫ୍ରୀନ୍ଜ଼ ଷ୍ଟାଇଲ ବାଳକୁ ବି ଟିକିଏ ହାତରେ ଛୁଇଁ ଦେଉ ଥାଏ। ପବନରେ ଉଡି ଯାଇ ଏପଟ ସେପଟ ନହେଉ ବୋଲି। ପାଞ୍ଚ ମିନଟ ପରେ ଚପଲ ଯୋଗୁ ଗୋଡ଼ ଭାଇ ଥଣ୍ଡା ଲାଗିଲା। ଭାବିଲି ଘରକୁ ଫେରି ଯିବି। କିନ୍ତୁ ସ୍ନୋ ଏତେ ସୁନ୍ଦର ଦିଶୁ ଥିଲା ଯେ ମନ ହେଉ ନଥିଲା ଘର ଭିତରକୁ ଆସିବାକୁ। ତେବେ ମୋ ପୁଅ ବୋଧେ ଉଠିଲା ଆଉ ମମି, ମମି ବୋଲି ଡାକ ଛାଡିଲା । ମୋର ସାଧନା ହେଵା ପ୍ରସାଧନ ସେଇଠି ସରେଇ ଘରକୁ ଜଲ୍ଦି ଆସିଲି। ଗୋଡ଼ ଥଂଡା ଯୋଗୁ ଚାଲିଲେ ବି କିଛି ଅନୁଭବ କରି ପାରୁ ନଥିଲି।
ଘର ଭିତରେ ପଶି ଆଗ ଗୋଡ଼ରେ ଗରମ ପାଣି ସେକ ଦେଲି ତଉଲିଆ କୁ ଗରମ ପାଣିରେ ବୁଡାଇ l ଆଉ ମୋଜା ଯୋଡିଏ ପିନ୍ଧିଲି। ପିଲାମାନେ ସ୍କୁଲ ଓ ସୁଧାଂଶୁ କାମକୁ ଗଲେ ସକାଳ ଜଳଖିଆ ଖାଇଲା ପରେ। ଦୁଇ ପହର ବେଳକୁ ମୋ ଦେହରେ କମ୍ପ ଆସିଲା ପରି ଲାଗିଲା।ସ୍ନୋ ଦିନସାରା ଧୀରେ ଧୀରେ ପଡୁ ଥାଏ। ମୁଁ ଝରକା ପାଖରେ ଖଟ ଉପରେ ବସି କମ୍ବଳ ଘୋଡେଇ ହୋଇ ବାହାରକୁ ଦେଖୁଥାଏ। ଭାବୁ ଥାଏ କିଏ ଟିକିଏ ଚାହା କରି ଦିଵନ୍ତାକି? ମନକୁ ବୁଝେଇ କହିଲି ଏଠି ତ କୁଆ ବା କୋଇଲି ଟିଏ ନାହିଁ। କିଏ ଚାହା କରିବ? କୌଣସି ମତେ ଧିରୀ, ଧିରୀ ରୋଷେଇ ଘରକୁ ଯାଇ କପେ ଚାହା ଅଦା ପକାଇ କଲି। ପାଉଁରୁଟି ଖଣ୍ଡେ ସେକି ଖାଇଲି। ପିଲା ମାନଙ୍କ ବେଳ ହେଲା ସ୍କୁଲରୁ ଫେରିବାକୁ। ତାଙ୍କ ପାଇଁ ଦୁଆରଟା ଖୋଲିଦେଇ ଆସି ସୋଫା ଉପରେ ଲମ୍ବମାନ ହୋଇ ଶୋଇଗଲି। ସେମାନେ ଆସିଲା ପରେ ଝିଅକୁ କହିଲି ବିଷକୁଟ ଦୁଇ ଖଣ୍ଡ ଖା,ଆଉ ଭାଇକୁ ବି ଦୁଇ ଖଣ୍ଡ ଦେ। ମୂଁ ଦୁଧ ଗରମ କରି ଡାକିବି। ଆଉ ହୋସ୍ ନାହିଁ ମୋର ତାପରେ । ବାଉଳା ଚାଉଳା ହେଲାରୁ ଝିଅ ତା ପାପାକୁ ଅଫିସରରେ ଫୋନ କଲା। ସୁଧାଂଶୁ ଅଧ ଘଣ୍ଟେ ପରେ ଆସି ପହଂଚିଲେ । ତାଙ୍କୁ ଦେଖି ମୋ ମନରେ ଭରସା ଆସିଲା। ନହେଲେ ସାନ ପିଲା ଦୁହେଁ ଡରି ଯାଇ ଥିଲେ ମୋ କମ୍ପ ଆଉ ବାଉଳା ଚାଉଲା ଶୁଣି ।
ଦେହ ହାଣ୍ଡିରେ ଧାନ ପଡି ଲିଆ ଫୁଟିଲା ପରି ପରି ତାତି ଯାଇ ଥିଲା। ସୁଧାଂଶୁ ଠିକ୍ କଲେ ରାତି ଆସିଲାଣି। ଜ୍ୱରଟା ବଢି ଚାଲିଥିଲା। ଆମେ urgent Care କୁ ଗଲୁ। ଡାକ୍ତର ଦେଖି କହିଲେ ଏଇଟାତ ଭାଇରାଲ୍ ନିମୋନିଆ ।ଆଣ୍ଟିବାଓଟିକ ପ୍ରେସକ୍ରାଇବ୍ ହେଲା। ଆମେ ରାତି ଦଶଟାରେ ଘରକୁ ଫେରିଲୁ ।ପିଲା ଦୁଇ ଜଣଙ୍କ ଆଖି ନିଦରେ ଟୁଳୁ, ଟୁଳୁ ହେଉଥାଏ l ଆମର ସେତେବେଳେ ହେଲଥ୍ ଇନ୍ସୁରାନ୍ସ ହୋଇନଥାଏ। କମ୍ପାନିରେ ଛ ମାସ କାମ କଲା ପରେ ଇନ୍ସୁରାନ୍ସ ମିଳେ ପତ୍ନୀ ଆଉ ପିଲାଙ୍କୁ ସେତେବେଳେ ସୁଧାଂଶୁଙ୍କ କମ୍ପାନୀ ରେ। ସବୁ ମିଶି ସତାବନ ଡ଼ଲାରର ବିଲ୍ ଆସିଲା । ତାପରେ ଓଷଧ ଖର୍ଚ୍ଚ ଅଲଗା ଦିଆହେଲା।
ଘରକୁ ଆସିଲା ପରେ ସୁଧାଂଶୁ ପଚାରିଲେ ଏସବୁ କେମିତି ହେଲା ହଠାତ୍ ?ମୂଁ କହିଲି, କେମିତି ମୁଁ ସାଧନା ପରି ସ୍ନୋ ରେ ଯାଇ ବିନା ଜୋତା ମୋଜା ରେ ଚପଲ୍ ରେ ବୁଲି ଆସିଲି ଘେରେ ସକାଳେ। କିଛି ନକହିବା ଲୋକ ସିଏ। ମୋ କଥା ଶୁଣି କହିଲେ ଯୋଡିଏ ପିଲାର ମା ହେଲା ପରେ ତୋର ସାଧନା ହେବାକୁ ନକଲ କରିବା କଣ ଦରକାର? ମୁଣ୍ଡରୁ ବୁଦ୍ଧି କୁଆଡେ ଗଲା? ସେଇ ଦିନଠୁ ମୋର ସ୍ନୋରେ ଚାଲିବାର ଇଛା ଶେଷ ହେଲା। ଆଉ କେବେ ଫ୍ରୀନ୍ଜ଼ ହେୟାର କରିବାକୁ ସାହସ କରିନି। ଏବେ ଭାବେ ସତରେ ମୁଁ କେତେ ସରଳ ଥିଲି। ଏବେତ ଯୋଉ ଲୋକ ମାନେ ଆସୁଛନ୍ତି ସବୁ ଜାଣିଛନ୍ତି ଇଣ୍ଟରନେଟ ଦ୍ୱାରା ଆଗରୁ l ଏବେ ଯେବେ ଏଠି ବର୍ଷର ପ୍ରଥମ ସ୍ନୋ ଆସେ ମୁଁ ମନେ ପକାଇ ହସେ “ମୁଁ ଆଉ ମୋର ଫେଭ୍ ରିଟ ସାଧନା ହେବା ପାଇଁ ଚେଷ୍ଟା।”

କବିତା ଆଉ ଗଳ୍ପ ପଢିବା ପାଇଁ ମୁଁ ସବୁବେଳେ ଇଛୁକ ଥିଲି। ବେଶୀକରି ପ୍ରେମି ଓ ପ୍ରେମିକାଙ୍କ ମିଳିବା ଆଉ ବିସନ୍ଧି ହେବାର କବିତା ମତେ ବହୁତ ଭଲ ଲାଗେ। ଖରାଦିନେ ମୁଁ ଆମ ବାଡ଼ି ଆଡ଼ ଚାଉଳିଆ ଗଛର ଡାଳରେ ଚଢି ବହିଖଣ୍ଡେ ଧରି ବସିଯାଏ। ପ୍ରାୟ ଚାରି ବା ପାଞ୍ଚ ଘଂଟା କେମିତି କଟିଯାଏ ଜଣା ପଡ଼େନି। କବିତା ପଢିଲା ବେଳେ ମୁଁ ମନେ ମନେ କବିତାର ନାୟିକା ହୋଇଯାଏ ନହେଲେ କୋଣାର୍କର ମୂର୍ତି ହୋଇଯାଏ। କେବେ କେବେ କାହାର ମା ବା ଭଉଣୀ ହୋଇଯାଏ। ଏଭଳି ମେକ ବିଲିଭ କରି ମୋ ମନରେ ଯାହା ସବୁ ଇଛା ଥାଏ ତା ପୂରଣ କରେ। ଥରେ ମୁଗଲେ ଆଯ଼ାମ ସିନେମା ଦେଖିଲା ପରେ ଭାବିଲି ରାଜାଙ୍କ ପ୍ରେମିକା ହେଵା ଭାରି କଷ୍ଟ କିନ୍ତୁ ପ୍ରେମ ହେଲେ ଏମିତି ହେଲେ ଭଲ। ପୁଣି ନିଜେ ଉତ୍ତର ଦିଏ କାହିଁକି ଭଲ? ଭାବେ ସଲିମ ସାଙ୍ଗେତ ବସିବି। ନର୍ତ୍ତକୀ ମାନେ ନାଚୁ ଥିବେ ଓ ବହୁତ ଜେର୍ଲସ ହେଉଥିବେ ଯେ ମୁଁ ରାଣୀ ହୋଇ ବସିଛି, ବିଚରା ସେମାନେ ନାଚି ନାଚି ଥକୁଛନ୍ତି। ଅନାରକଲି ବିତ ସେମାନଙ୍କ ଭଳି ନର୍ତ୍ତକୀ ଥିଲା। ଏବେ ଭାବୁଛି ଏଇ ଜେର୍ଲସ ହଵା ଆଉ ଅଭିମାନ କରିବା ଗୁଣଟି ମୋ ଭିତରେ ବର୍ତ୍ତମାନବି ଭର୍ତି ହୋଇ ଅଛି। ନହେଲେ କିଏ ମୋ ପୋଷ୍ଟ ନପଢିଲେ ମୋ ମନରେ ଏତେ କୋହ କାହିଁକି ହୁଏ? ରାଗି ବି ଯାଇ ଅଭିମାନ କରେ। ବାରମ୍ବାର ଯୁମ୍ବା ଡାନ୍ସ କ୍ଲାସରେ ୱାଟର ବ୍ରେକ ବେଳେ ଫୋନ୍କୁ ଦେଖେ? ଭାବେ କାଳେ ମୋ ଲେଖାରେ କିଏ ଇମୋଜୀ ବା କମେନ୍ଟ ଛାଡ଼ିଥିବ? ଛାଡ଼ ସେ ସବୁ, ମୁଁ ତ ମନେପକାଉଛି ଆଜି ମୋର ସବୁଠୁ ଫେଂଵ ଲେଖକ ମାୟାଧର ମାନସିଂହଙ୍କୁ। ସିଏ ଲେଖିଥିବା ଧୂପ କବିତା ବହି ପଢିବା ପାଇଁ ମୋର ବହୁତ ମନ ଥିଲା। ଆସନ୍ତା କଲି ପତ୍ରିକା ରେ ଗୋଟିଏ , ଦୁଇଟା କବିତା ପଢିଲା ପରେ ଭାବିଲି କେମିତି ହେଲେ ଵହିଟା ପଢ଼ିବି।
ଆମ ସାଇ ଝାଡ଼ୁଆଣି ଲାଇବ୍ରେରୀ ରେ ସେଇ ବହିଟି ନଥିଲା। ସମୁଦ୍ର କୁଳ ରାମକୃଷ୍ଣ ଲାଇବ୍ରେରୀ ଦୂରରେ ଥିବା ଯୋଗୁ ବାପା ଛାଡ଼ିବେନି। ଯଦି ପଢା ବହି ହୋଇ ଥାଆନ୍ତା ତାହାଲେ ଅବା ଭାଇନା ସାଙ୍ଗେ ଯାଇ ପାରନ୍ତି। ବାପା ତ କବିଙ୍କ ପ୍ରେମ କବିତା ପଢିବା କଥା ଶୁଣିଲେ ବହୁତ ଚିଡ଼ିବେ। ଖରା ଛୁଟି ନିକଟ ହୋଇ ଆସୁଥାଏ। ମୋ ସାଙ୍ଗମାନେ କିଏ କିଏ ତାଙ୍କ ଗାଁ କୁ ବୁଲିବାକୁ ଯିବାର କଥା କହୁଥାଆନ୍ତି। ମୋ ସାଙ୍ଗ ବାସନ୍ତୀ ଉଷା ସିଲେଇ କ୍ଲାସ ରେ ସିଲେଇ ଶିଖିଵ ବୋଲି କହୁ ଥିଲା। ମୂଁ କିଛି ଉପନ୍ୟାସ ଆଉ କବିତା ପଢିବାକୁ ଭାବୁଥିଲି । ମତେ ପିଲାଦିନୁ ଗପ ଓ କବିତା ବହି ପଢିବାକୁ ଭଲ ଲାଗେ। ଏବେବି ସେଇ ଅଭ୍ୟାସ ଛାଡ଼ିନି। ଘରେ ଆଉ କିଛି ପଛେ ନଥାଉ, ବହି ଗୁଡ଼ାଏ ଅଛି।
ଧୂପ ବହିଟିର ମୂଲ୍ୟ ସେତେବେଳେ ଆଠ ଅଣା ଥିଲା। ମନେ ମନେ ଭାବିଲି ବଡ଼ ଭାଇନାକୁ କହିଲେ ହୁଅନ୍ତା। କିନ୍ତୁ ସିଏତ ବୋଧେ ସେପ୍ଟେମ୍ବର ରେ ଆସିବେ ବୋଲି କହୁଥିଲେ । ଖରା ଛୁଟିତ ସରିଯିବ। ଏବ ଭଳିଆ ଫୋନ ର ସୁବିଧା କାହାରି ନଥିଲା। ଚିଠି ଲେଖିଲେ ଡେରି ହୋଇପାରେ ଓ ବାପା ପଚାରି ପାରିବେ କଣ ପାଇଁ ଚିଠି ଲେଖୁଛୁ? ସବୁଦିନ ମନରେ କିଛି ଉପାୟ କରିବାକୁ ଭାବେ, କେମିତି ଆଠ ଅଣା ଏକାଠି କରିବି ଆଉ ବହିଟା କିଣିବି।
ଅରକ୍ଷିତଙ୍କୁ ଦିବ ସାହା। ଆମ ସାହିର ସମସ୍ତେ ପ୍ରାୟ ବାହାର ନଳରୁ ପିଇବା ପାଇଁ ପାଣି ଆଣୁ ଥିଲେ। ବାକି ସବୁ କାମ ଘର କୂଅ ପାଣିରେ ହୁଏ। ମୁଁ ସବୁ ଦିନ ଦୁଇ ବା ତିନି ଗରା କଳ ପାଣି ବାହାରୁ ଆଣେ ପିଇବା ପାଇଁ । ସେଇଟା କାମ ଆଉ ଠାକୁରଙ୍କ ପାଇଁ ଫୁଲ ତୋଳିବା ମୋର କାମ ଥିଲା। ପାଣି ଗରାରେ ଭର୍ତି କଲା ବେଳେ ଦିନେ ମୋ ସାଙ୍ଗ ବାସନ୍ତୀ କହିଲା ଚନ୍ଦୁ, ଜାଣିଚୁ ଟିକି ନାନୀଙ୍କ ଗୋଡ଼ ଭାଙ୍ଗି ଯାଇଛି। ସିଡିରୁ ଖସି ଗଲେ ଶୁଖିଲା ଲୁଗା ତାରରୁ କାଢୁ କାଢୁ। ଟିକି ନାନୀଙ୍କ ଘରେ ଆଉ କେହି ନଥାନ୍ତି। ଘର କାମ ତାଙ୍କର ଠିକା ଚାକିରାଣୀ କରିଦିଏ। ସିଏ ନିଜେ କଳରୁ ପାଣି ନିଅନ୍ତି। ରୋଷେଇ ବି ସିଏ ନିଜେ କରନ୍ତି । ଏକଥା ଶୁଣି ମନଟା ଭଲ ଲାଗିଲାନି।ମୁଁ ତାଙ୍କ ପାଇଁ କେବେକେବେ ପାଣି ଆଣି ଦଉଥିଲି। ଭାବିଲି ପଚାରି ଆସିବି ଯଦି କଣ ଦରକାର ହୁଏ ମତେ କହିବେ ବୋଲି। ମତେ ଦେଖି ଟିକି ନାନୀ କହିଲେ ଚନ୍ଦୁ ତୁ ଆସିଲୁ ଭଲ କଲୁ। ମୁଁ ତୋ କଥା ଭାବୁଥିଲି। ମତେ କିଛିଦିନ ତୁ ପାଣି ଆଣି ଦବୁ। ମୁଁ ସଙ୍ଗେ ସାଙ୍ଗେ ରାଜି ହୋଇ ଗଲି। ଆମର କଥା ହେଲା ଟିନ ବାଲ୍ଟି ପାଣି ପାଇଁ ସିଏ ମତେ ଗୋଟିଏ ଅଣା ଦେବେ। ତାଙ୍କ ଘର ଟିକିଏ ଦୂର ଥିଲା ବାହାର ନଳ ଥିବା ଜାଗାରୁ। ତେବେବିମୁଁ ଖୁସି ହୋଇଗଲି ଯେ ଏଥର ଧୂପ ବହିଟି କିଣି ପାରିବି। ଜୁନ ମାସରେ ପୁରୀରେ ଖରା ବହୁତ। ତଥାପି ମୁଁ ଆଠ ଦିନ ଏକାଦିକ୍ରମେ ପାଣି ନେଇ ଟିକି ନାନୀଙ୍କ ଘରେ ଦେଲି। ପ୍ରାୟ ଅଧ କିଲୋମିଟର ଦୂର ତାଙ୍କ ଘର ଥିଲା। ଆମ ଘର ପାଇଁ ତିନି ଗରା ପାଣି ଆଉ ତାଙ୍କ ଘର ପାଇଁ ସେତିକି ପାଣି ଟେକି ନେଲା ବେଳକୁ କଷ୍ଟ ହେଉଥିଲା।ମୁହଁରୁ ଝାଳ ବୋହି ପଡୁଥାଏ l
ତେବେ ଯେତେ ବେଳେ ଭାବିଦିଏ ମୁଁ ଵହିଟା କିଣି ପଢ଼ିବି ବୋଲି ସବୁ କଷ୍ଟ ଭୁଲିଯାଏ। ଆଠ ଦିନ ପରେ ଟିକି ନାନୀଙ୍କ ଗାଁ ରୁ କିଏ ଜଣେ ଲୋକ ଆସି ରହିଲେ ତାଙ୍କ ପାଖେ ସାହାଯ୍ୟ କରିବାକୁ। ସେଇ ଦିନ ଟିକି ନାନୀ ତାଙ୍କ କାନିରେ ବନ୍ଧା ହୋଇଥିବା ଗଣ୍ଠିରୁ ଗୋଟିଏ ଆଠଣି କାଢି ମୋ ହାତକୁ ବଢ଼େଇ ଦେଲେ। କହିଲେ ରଖ, ଚେନାଚୁର ଆଉ ମିଠେଇ ଖାଇବୁ। ମୁଁ ମୁଣ୍ଡ ତଳକୁ କରି କହିଲି, ନାଇଁ । କବି ମାନସିଂହ ଙ୍କର ବହି ଖଣ୍ଡେ କିଣିବି ବୋଲି ଠିକ କରିଛି। ଟିକି ନାନୀ ମୋ ମୁଣ୍ଡରେ ହାତ ବୁଲେଇ କହିଲେ, ମା ଛେଉଣ୍ଡ ପିଲାଟା କଥା କିଏ ବୁଝୁ ନାହାନ୍ତି। ମୁଁ ଭୋକିରି କାନ୍ଦି ପକେଇଲି । ଭାବିଲି ସତରେ ବୋଉ ଥିଲେ ନିଶ୍ଚେ କବିତା ବହି ଖଣ୍ଡକ କିଣି ଦେଇ ଥାଆନ୍ତା। ତାପରେ ହସି କହିଲି ଆଜି ବଡ଼ଦାଣ୍ଡ ଯାଇ ଵହିଟା କିଣିଆଣିବି। ଖରା ଛୁଟି ସରିବାକୁ ଆଉ ସପ୍ତାହେ ବାକି ଥିଲା।
ସେ ଗ୍ରୀଷ୍ମ ଛୁଟିଟା ମୋର ବହୁତ ଭଲରେ କଟିଲା। ସବୁ ଦିନ ଦ୍ବି ପହରେ ଚାଉଳିଆ ଗଛରେ ଚଢି ଚାଉଳିଆ ଖାଏ ଆଉ ଧୂପ ବହିରୁ କବିତା ପଢେ। ମୋର ସେ ସବୁ କବିତା ଏବେବି ମନେ ଅଛି। ବହୁତ ଦିନ ପରେ ଧୂପ ବହିଟି ଆମେରିକାରେ ପୁଣି ଛପା ହେଲା ଆଉ ଜଣେ ମତେ ସେ ବହିଟି ଉପହାର ଭାବରେ ଦେଲେ । ପୁଣି ବହିର ପୃଷ୍ଠା ଗୁଡିକ ଓଲଟାଇ ଛୁଇଁଲି। କିନ୍ତୁ ସେ ପୁରୁଣା ମ୍ୟାଜିକ ଅନୁଭବ ହେଲାନି। ଭବିଲି ବୋଧେ ସେତେବେଳେ ମୁଁ ଛୋଟ ଥିଲି ଆଉ ସବୁ କଥା ରେ ପ୍ରେମ, ଉମଂଗ, ଉଦ୍ବେଗ ରହିଥିଲା। ଜୀବନ ଜଞ୍ଜାଳରେ ଏବେ ମୁଁ ଆଉ ସେତେ କବିତା ପଡ଼ୁନି। ଆଉ ଅନାରକଲି ବା ନାୟିକା ହେବାର ସ୍ବପ୍ନ ନାହିଁ ।
ଲେଖିକା; ଚନ୍ଦ୍ରା ମିଶ୍ର : GFPSP (ଗାର୍ଲ ଫ୍ରମ ପଥୁରିଆ ସାହି ପୁରୀ)
ଲେଖିକା : ଚନ୍ଦ୍ରା ମିଶ୍ର (GFPSP) Girl From Pathuria Sahi Puri

ଆଜି ମୋ ସାଙ୍ଗ ସରୋଜିନୀଙ୍କର ଫେସବୁକରେ ପୋଷ୍ଟଟିଏ ଦେଖିଲି ପଣା ସଂକ୍ରାନ୍ତି ବିଷୟରେ l ତାଙ୍କ ସାଙ୍ଗେ କଥା ହେଲା ପରେ ଜାଣିଲି ଆମେ ଏକl ସ୍କୁଲ ରେ ପଢିଥିଲୁ l ତାଙ୍କର ପୋଷ୍ଟ କରିଥିବା ଫଟୋ ପଣା ସଂକ୍ରାନ୍ତି ପାଇଁ ଦେଖି ମୋର ମନେ ପଡିଲା ମୋର ପଣା ସଂକ୍ରାନ୍ତି ରେ ପଣା ପିଇବା କଥା l ମୁଁ ବୋଧେ ସେତେବେଳେ ଦଶ ବର୍ଷର ହୋଇଥିବି। ଆମ ପଥୁରିଆ ସାହିରେ ସବୁ ବେଳେ ପଣା ହୁଏ ବିଷୁବ ସଂକ୍ରାନ୍ତି ଦିନ ଆଉ ମହାବୀର ହନୁମାନଙ୍କୁ ଭୋଗ ଭାବରେ ପଣା ଦିଆଯାଏ । ସବୁବେଳେ ଦୁଇ ପ୍ରକାର ପଣା ହୁଏ । ଛୋଟ ହାଣ୍ଡିରେ ପଣା ପିଲା ମାନଙ୍କ ପାଇଁ ଆଉ ବଡ଼ ହାଣ୍ଡିଏ ପଣା ବଡ଼ ଲୋକଙ୍କ ପାଇଁ। ସାହି ପିଲାମାନେ ସମସ୍ତେ ଏକାଠି ହୁଅନ୍ତି ପଣା ପିଇବା ପାଇଁ, ଆଉ ଭାରି ମଜା ହୁଏ ସାହିରେ l ସେ ବର୍ଷ ସଂକ୍ରାନ୍ତି ଦିନ ମୋର ପେଟ ଖରପ ଥିଲା! ତେଣୁ ମୁଁ ଘରେ ଶୋଇ ପଡ଼ିଥିଲି ।ସନ୍ଧ୍ୟା ବେଳକୁ ଉଠି ଦେଖିଲି ସମସ୍ତେ ଘରୁ ଦିଅଁଙ୍କ ପୂଜା ପାଇଁ ମନ୍ଦିର କୁ ଚାଲି ଯାଇ ଥିଲେ ।
ହଠାତ୍ ମୋ ନିଦ ଭାଙ୍ଗି ଗଲା।ଘରେ କିଛି ଟିକିଏ ଶବ୍ଦ ନଥିଲା l ମୁଁ ଉଠି ଦେଖିଲି କେହିଘରେ ନାହାନ୍ତି । ମୋର ମନେ ପଡିଗଲା ଆଜି ପଣା ସଂକ୍ରାନ୍ତି ଆଉ ସମସ୍ତେ ଯାଇ ଥିବେ ପଣା ଭୋଗ ଲଗାଇବାକୁ ? କାଳେ ପଣା ସରିଯିବ ବୋଲି ମୁଁ ମୁହଁ ନଧୋଇ ଖାଲି ପାଦରେ ଦୌଡ଼ି , ଦୌଡ଼ି ଜାଗା ଘର ପର୍ଯ୍ୟନ୍ତ ଗଲି ଯୋଉଠି ମହାବୀର ହନୁମାନଙ୍କ ମନ୍ଦିର ଥିଲା l ବୋଧେ ସେଠି କଣ ଗୋଟେ କୁସ୍ତି, କସରତ ହେବାର ଦେଖାଯାଉଥିଲା। ମତେ ଭାରି ଶୋଷ ହେଉଥିଲା। ଆମ ସାହି ପଦି ନାନିକୁ ପଚାରିଲି ପାଣି ଅଛିକି ? ସିଏ କହିଲା ନା କିନ୍ତୁ ଭିତରକୁ ଯାଇ ସର୍ବତ ପିଇଦେ। ଭୋଗ ହେଇ ସାରିଲାଣି , ତୁ ଥିଲୁ କୋଉଠି ଏ ପର୍ଯ୍ୟନ୍ତ? ମୁଁ ତ ସବୁବେଳେ ଭାରି ତରତରି ଆଉ ଭୋକ , ଶୋଷ ଜମା ସମ୍ଭାଳି ପାରେନି । ଦୌଡ଼ି ଯାଇ ଦୁଆର ଖୋଲି ବଡ଼ ହାଣ୍ଡିରୁ ପିତଳ ଗିଲାସରେ ଗିଲାସେ ପଣା ଢକ,ଢକ କରି ଏକା ନିଶ୍ୱାସରେ ପିଇଦେଲି । ତାପରେ ଆସି ବାରଣ୍ଡାରେ ସମସ୍ତଙ୍କ ସାଙ୍ଗେ ବସିବାକୁ ଚେଷ୍ଟା କଲି। କିନ୍ତୁ ପାଞ୍ଚ ମିନିଟ ପରେ ମୋ ମୁଣ୍ଡ କୁକୁଡ଼ା ମୁଣ୍ଡ ପରି ଭଳି ଘିରି, ଘିରି ବୁଲିବାକୁ ଲାଗିଲା ।ମତେ ସବୁ ଜିନିଷ ଉପର, ତଳ ଆଉ ଚକ୍ର ବୁଲିଲା ପରି ଦେଖା ଗଲା l ବାରଣ୍ଡାରେ ବସିବା ପାଇଁ ଚେଷ୍ଟା କଲେବି ସେଠି ତଳେ ପଡ଼ିବାକୁ ଆରମ୍ଭ କଲି ।ମତେ ସବୁ ଜିନିଷ ଦୁଇଟା ବୋଲି ଦେଖା ଯାଉ ଥିଲା।ବାରଣ୍ଡା ନଥିବା ଜାଗାରେ ବସିବାକୁ ଯାଉଥିଲି ବୋଧେ !!
ପଦି ନାନୀ ମତେ ତଳେ ପଡ଼ିବାର ଦେଖି ପଛରୁ ଦଉଡି ଆସି କହିଲା, ଆଲୋ ଚନ୍ଦୁ ତୁ ବୋଧେ ବଡ଼ ହାଣ୍ଡିର ସର୍ଵତ୍ ପିଇ ଦେଇଛୁ, ଭାଙ୍ଗ ଯୋଉଥିରେ ଥିଲା ? ସିଏ ମୋ କୁନି ନାନୀକୁ ବଡ଼ ପାଟିରେ ଡାକ ପକେଇଲା l ଦୁହେଁ ମିଶି ମତେ କୂଅ ପାଖକୁ ଭିଡି ନେଲେ ।କୁନି ନାନୀ ପାଣି ତର ତରରେ କୂଅରୁ କାଢି ବାଲ୍ଟି ରେ ଦେଲା ପଦି ନାନୀକୁ ! ମୋ ମୁଣ୍ଡରେ ସିଏ ପାଣି ଢ଼ାଳିଲା। କେତେ ବାଲ୍ଟି ପାଣି ଢ଼ାଳିଲା ମୁଁ କିଛି ଜାଣିନି l ସେଠୁ ଘରକୁ ଆସି ସିଧା ସେଜରେ ଶୋଇଲି। ରାତି ଆଠଟା ବେଳେ ଉଠିଲି ।ମୁଣ୍ଡ ଭାରି ଲାଗୁଥିଲା କିନ୍ତୁ ଘିରି, ଘିରି ବୁଲେଇବା ବନ୍ଦ ହୋଇଯାଇଥିଲା l
ବାପାଙ୍କୁ କିଏ ଯାଇ କହିଦେଲା ଯେ ଚନ୍ଦୁ , ଭାଙ୍ଗ ମିଶା ପଣା ପିଇ ଦେଇଛି l ବାପା ପୁରା କାରଣଟା ନ ଶୁଣି, ନଜାଣି ଭାଉଜ ଙ୍କୁ କହିଲେ ଆଜିଠାରୁ ତାର ପଣା ପିଇବାପାଇଁ ଯିବା ବନ୍ଦ l ମତେ ଶୋଇ ଥିବାର ଦେଖି କିଛି ପଚାରିଲେ ନାହିଁ, ନହେଲେ ମୋ ଉପରେ ନିଶ୍ଚୟ ରାଗି ଥାଆନ୍ତେ l ଭାଉଜ ବାପାଙ୍କୁ କହିଲେ, ତାଙ୍କର କିଛି ଦୋଷ ନାହିଁ l ସିଏ କେମିତି ଜାଣିବେ କୋଉ ହାଣ୍ଡି ପଣା ଟା କାହାପାଇଁ ତିଆରି ହୋଇ ରଖା ଯାଇଛି ?
ସେଇଟା ହେଲା ମୋ ପଣା ସଂକ୍ରାନ୍ତିରେ ପଣା ପିଇବାର ଅନୁଭୂତି। ପଣା ପିଇଲା ପରେ ସେଦିନ ଦୁଇଟି ପିଣ୍ଡା, ଦୁଇଟି ପଦି ନାନୀ ଆଉ ଦୁଇଟି ହନୁମାନଙ୍କୁ ଦେଖିଥିଲି l ଏବେ ଯେବେ ପଣା ସଂକ୍ରାନ୍ତି ଆସେ ଆଉ କିଏ ପଣା ଦିଅନ୍ତି ସେ କଥା ମନେ ପଡିଜାଏ l ଆଉ ମୁଁ ଚେଷ୍ଟା କରେ ପଣା ନପିଇବାକୁ ଢକ ଢକ କରି l ପଚାରେ ଏଇ ପଣାରେ କଣ ପଡିଛି? ଭାଙ୍ଗ ,ଫାଙ୍ଗ କିଛି ନାହିଁତ ପଣାରେ ? ଲୋକମାନେ ପଚାରନ୍ତି ମାନେ ? ମୁଁ ହସି କହେ ନାଁ କିଛି ନୁହେଁ , ସେଇଟା କେବଳ ଆମ ପୁରୀ ଲୋକ ହିଁ ବୁଝି ପାରିବେ !!
03Jan 2021
ଲେଖିକା : GFPS (ଗାର୍ଲ ଫ୍ରମ ପଥୁରିଆ ସାହି)
ଲେଖକ : ବୁନି ୨ ଦାଶ (ପୂନ୍ୟଶ୍ଲୋକ ଦାଶ) , କଟକ , ଓଡିଶା


ବହୁଦିନୁ କହିଥିଲେ
ଦିବ୍ୟଦ୍ରଷ୍ଟା ଋଷି
“ଅଚାନକେ କଳିକାଳ
ପହଂଚିବ ଆସି
ବେଳ ଥାଉ ଥାଉ ତମେ
ହୁଅ ସାବଧାନ
ବାପ ନାଁ ରହିଥିବ
ବଂଚିଲେ ପ୍ରାଣ
ପୋକମାଛି ପରି ଜନେ
ହେବେ ପରା ନାଶ
ସୁନ୍ଦର ଏ ସୃଷ୍ଟି ହେବ
ସମୁଳେ ବିନାଶ”
କେତେ କେତେ ପଶୁପଷୀ
ହେଲେଣି ବିରଳ
ଶୁଖିଲାଣି ନଦନଦୀ
ଝରଣାର ଜଳ
ହଜିଲାଣି ଅରଣ୍ୟାନୀ
ପ୍ରକୃତି ସମ୍ପଦ
ଡାକିଛି ମାନବଜାତି
ବିଧ୍ବଂସ ବିପଦ
ଚନ୍ଦ୍ରମାରେ ପାଦ ଥାପି
ବୁଝିଲାନି ମନ
ମଂଗଳ ଅଭିମୁଖେ
ରଚେ ଅଭିଯାନ
ଗ୍ୟାନ ବିଗ୍ୟାନର ବଳେ
ହୋଇ ବଳୀୟାନ
ବାରବାର ପ୍ରକୃତିର
କଲା ଅପମାନ
ଏଡିଦେଇ ବସୁମାତା
ଅନ୍ତରର କୋହ
ସ୍ବାର୍ଥ ଲାଗି କଲା ସିଏ
ଘୋର ମାତୃଦ୍ରୋହ
ଅନୀତିର ଶୀର୍ଷସୀମା
ଅତିକ୍ରମ କରି
ନିଜର ପତନ ନିଜେ
ନେଇଛି ସେ ବରି
ଆଜିର ଏ ମହାମାରୀ
ନୁହେଁ ଆଉ କିଛି
କଳିର କରାଳ ପାଦ
ସଂସାର ଗ୍ରାସିଛି
ସ୍ରଷ୍ଟାର ସର୍ଜନାକୁ
କରିବାକୁ ନାଶ
ଧାରିଛି ସେ ଧ୍ବଂସରୁପୀ
କୋରୋନାର ବେଶ
ପ୍ରକୃତିର ମହାମନ୍ତ୍ର
କଲେ ଉଚ୍ଚାରଣ
ଫେରିବ ଏ ଜଡ ପିଣ୍ଡେ
ପିତୃଦତ୍ତ ପ୍ରାଣ
ସତ୍ୟ ଶିବ ସୁନ୍ଦରର
କରି ଆବାହନ
ବିପଦ ମୁକ୍ତ ହେବ
ମାନବ ଜୀବନ
ଚୀନ୍ ଦେଶେ ବରଷିଲା
ଦି ଚାରି ଅସରା
ଇଟାଲୀରେ ବର୍ଷୁଛି
ତା ମୁଷଳ ଧାରା
ଭାରତରେ ଲାଗୁଛି ସେ
କୁଣ୍ଡାଝଡା ପରି
ବୁଲନ୍ତି ଜନତା ଏଠି
ଭୟ ପରିହରି
ବେଳହୁଁ ନହେବା ଯଦି
ଆମେ ସାବଧାନ
ଅଚାନକ ବର୍ଷାରେ
ହଜିବ ଜୀବନ
ଆଶ୍ରା ପାଇଁ ମିଳିବନି
ଜମା ଥଳକୁଳ
ଧାଇଁବାକୁ ନଥିବ ବି
ଦେହେ ଟିକେ ବଳ

କିଛିଦିନ ହେଲା ନିୟମିତ ଭାବେ ଫେସ ବୁକରେ କୃପାସୀନ୍ଧୁ ବାବୁଙ୍କ ପୋଷ୍ଟିଙ୍ଗ ଅଭିଶପ୍ତ ଦ୍ୱାରପାଳ ପଢ଼ିବାର ସୁଯୋଗ ମିଳିଯାଇଛି। ମନ ମୋର ଭାରି ଖୁସି। ବହୁତ ଦିନରୁ ଭାବୁଥିଲି ଆମ ପୁରାଣ ସବୁ ପଢିବା ପାଇଁ। ପିଲାମାନେ ତ ବଡ଼ ହୋଇ ଗଲେଣି। ଆଉ କାମ ବି ଛାଡି ସାରିଲିଣି। ଏଥର ଯାହା ସବୁ ମନରେ ଅଛି ସେ ସବୁ କରିବି। ନହେଲେ ପ୍ରେତ ହୋଇ ଫେରିବି ଅବଶୋଷ ରହିଯାଇ ଥିବା ଆଶା ସବୁକୁ ପୁରା କରିବା ପାଇଁ ? ପିଲାଦିନେ ଆମ ପୁରୀରେ କହନ୍ତି ମନରେ ଯାହା ଥାଏ ତାହା ପୁର୍ଣ ନହେଲେ ମଣିଷ ସବୁ ଭୁତ (ପୁରୁଷ ମାନେ) ବା ପ୍ରେତ (ସ୍ତ୍ରୀ ମାନେ) ହୋଇ ଜନ୍ମ ନିଅନ୍ତି। ଆମେ ତ ପୁର୍ନର ଜନ୍ମରେ ବିଶ୍ୱାସ କରୁ।
ଜନ୍ମରେ ବିଶ୍ୱାସ କରୁ।
ଏବେ ରାବଣ ବିଷୟରେ ପୋଷ୍ଟ ଟି ପଢିଲା ବେଳକୁ ମୋର ମନେ ପଡିଗଲା ପୁରୁଣା କଥା। ଆମ ଘର ଦାଣ୍ଡ ପିଣ୍ଡାରେ ବସି ସବୁ ଦିନ ସନ୍ଧ୍ୟା ବେଳେ ସାଇର ଆଠ ବା ଦଶ ଜଣ ବିଧବା ମାଇପୀ ଏକାଠି ହୋଇ ପୁରାଣ ଶୁଣଂତି। ରାମାୟଣ, ମହାଭରତ, ଭାଗବତ ଇତ୍ୟାଦି। ସବୁଦିନ ପୁରାଣ ପଢା ସରିଲା ପରେ ଭୋଗ ହୁଏ ଓ ସମସ୍ତେ ଖାଇ ଘରବୁ ଯାଆନ୍ତି । ଭୋଗଟା ଜଣେ ଜଣେ ସ୍ତ୍ରୀ ଲୋକ ଦିଅନ୍ତି ଦିନେ ଦିନେ କରି । ଗୁରୁବାର ଦିନ ଆମ ସାଇର ସୁନ୍ଦ ଦିଦି ଭୋଗ ଦିଅନ୍ତି। ସିଏ ବାଲ୍ୟ ବିଧବା ଥିଲେ। ଓଡ଼ିଆ ହେଲେବି ତାଙ୍କୁ ଆମେ ଦିଦି ଡାକୁ ଥିଲୁ କାହିଁକି ମୁଁ ଜାଣିନି। ବୋଧେ ବାଲେଶ୍ୱରରେ ବାହା ହୋଇଥିଲେ। ବଙ୍ଗାଳି ମାନଙ୍କ ପ୍ରଭାବ ଥିଲା ସେମାନଙ୍କ ଉପରେ ?
ସିଏ ଟିକେ ଧନୀ ଘରର ବୋହୁ ଥିଲେ। ସବୁ ଗୁରୁବାର ଦିନ ତାଙ୍କ ପଟରୁ ବୁନ୍ଦିଆ ଭୋଗ ହୁଏ। ମୋର ବୁନ୍ଦିଆ ସବୁଠୁ ପ୍ରିୟ ମିଠା ଥିଲା। ତେଣୁ ପୁରାଣ ଆରମ୍ଭ ହେବା ପୂର୍ବରୁ ମୁଁ ସୁନ୍ଦ ଦିଦି ଙ୍କୁ କହି ଗୁରୁବାର ଦିନ ପୁରାଣ ପଢିବାକୁ ଠିକ କରିଦେଇଥାଏ ବୁନ୍ଦିଆ ଲୋଭରେ। ମୋର ପୁରାଣ ପଢ଼ିବାର ଶୈଳୀ ବି ସମସ୍ତେ ପସନ୍ଦ କରୁଥିଲେ l ମୁଁ ଜୋରରେ ବଡ଼ ପାଟିରେ ପଢି ପାରୁଥିଲି l ଜଣେ ଦୁଇ ଜଣ ସେମାନଙ୍କ ଭିତରୁ ଟିକିଏ କମ୍ ଶୁଣିପାରୁ ଥିଲେ l ତେଣୁ ମତେ ଡାକୁଥିଲେ ପୁରାଣ ପଢିବାକୁ l ଯାଣନ୍ତି ମୁଁ ବଡ଼ ପାଟିଆ ଚନ୍ଦୁ ବୋଲି l ମୁଁ ବି କହୁଥିଲି କେବଳ ଗୁରୁବାର ଦିନ ପଢ଼ିବି ବୋଲି , ବାକି ଦିନ ପଢା ଅଛି l
ମୋ ଭାଗ୍ୟରେ ରାମାୟଣ ପଢିବାକୁ ହେଲା ଗୁରୁବାର ଦିନ l ମୋର ମହାଭାରତ ପଢିବାକୁ ମନ ଥିଲା. ଭାବିଲି ବଦଳେଇ ଦେଲେ ଯଦି ସୁନ୍ଦ ଦିଦି ମତେ ଗୁରୁବାର ଦିନ ଦେବେନି ତାହେଲେ ଅନ୍ୟ ମାନଙ୍କ ଠୁ ଆସୁଥିବା ମହନ ଭୋଗ, ଖଇ ଖାଇବାକୁ ପଡିବ। ରାମାୟଣ ପଢା ମୋର ଭାଗ୍ୟରେ ଅଛି ଭାବି ଚୁପ୍ ରହିଲି। ଅନ୍ୟ ପିଲାମାନେ ଆଉ ସବୁ ପୁରାଣ ପଢୁଥିଲେ l
ରାମାୟଣ ପଢା ଆରମ୍ଭରୁ ମତେ ଭଲ ଲାଗିଲା। ଅସୁର, ମାଙ୍କଡ଼ ସେନା ବିଷୟରେ ପଢିଲା ବେଳେ ଭାବେ ଏଇଟା କଣ ସତ? ପୁଣି ଭାବେ, ନାଇଁ ସେମିତି ଭାବିଲେ କାଳେ ରାମ ରାଗି ଯିବେ। ପିଲାଦିନରୁତ ବୋଉ ନାହିଁ। ପୁଣି ଯଦି ଭଗବାନ ରାଗିଯାଇ ବାପାଙ୍କୁ ନେଇଯିବେ ତାହାଲେ ମୁଁ କଣ କରିବି? ସେତେବେଳେ ବୋଧେ ମତେ ଦଶ ବର୍ଷ ହୋଇଥିଲା। ଧୀରେ ଧୀରେ ପ୍ରଭୁ ରାବଣଙ୍କ ବିଷୟ ବର୍ଣ୍ଣନା ଆରମ୍ଭ ହେଲା। ଜାଣିଲି ତାଙ୍କର ଦଶଟି ମୁଣ୍ଡ ଓ କୋଡିଏଟି ହାତl ଶୁଣି କାବା ଲାଗେ ? ରାବଣଙ୍କ ସ୍ତ୍ରୀ ଭାରି ଭଲ ଓ ସୁନ୍ଦରୀ ଥିଲେ। ତାଙ୍କ ନାଁ ମନ୍ଦୋଦରୀ l
ସେଇ ବୟସ ବେଳକୁ ମୁଁ ଟିକିଏ ଟିକିଏ ପୁଅ ପିଲାଙ୍କ ବିଷୟ ଜାଣିବାର ସୁଯୋଗ ପାଇଥିଲି। ଆମ ଘର ପଥୁରିଆ ସାହିରେ। ସେଠି ସବୁ ଖଡ଼ି କାମ ତିଆରି ହୁଏ। କୋଣାର୍କ ମନ୍ଦିରରେ ଯେତେ ସବୁ ମୂର୍ତି ଅଛି ସେ ସବୁ ଆମ ସାହି କାରିଗର ମାନଙ୍କର ପୂର୍ବ ପୁରୁଷ ମାନେ କରିଥିଲେ ବୋଲି କୁହାଯାଏ। ମୋର ବହୁତ ପଥୁରିଆ ଘର ଝିଅ ମାନେ ସାଙ୍ଗ ଥିଲେ। ସେମାନେ ପ୍ରାୟ ଛୋଟ ଛୋଟ ସ୍ତ୍ରୀ ପୁରୁଷଙ୍କ ମୂର୍ତି କରି ତାକୁ ବିକନ୍ତି। ତାଙ୍କ ବାପା ମାଙ୍କୁ ଘର ଚଳେଇବାରେ ଏହା କିଛି ଆର୍ଥିକ ସାହାଯ୍ୟ ହୁଏ। ମୋ ସାଙ୍ଗ ତୁନିଆ ମତେ ଡାକି ଖଡ଼ି ମୂର୍ତି ସିଏ ଯାହା କରୁଥାଏ ସବୁ ଦେଖାଏ। ଆଜିକାଲି ଯୋଉଟା କୁହାଯାଉଛି ପ୍ରିଟିନ୍ ସେକ୍ସ ଶିକ୍ଷ୍ୟା ସେଇଟା ମୋର ଏଇଠି ବୋଧେ ଆରମ୍ଭ ହୋଇଥିଲା। ଆମ ଘରେ ତରୁଣ ଯୋଡି କେହି ନଥିଲେ। ବାପା, ଜେଜେମା, ମୋ କୁନା ଭାଇନା ଆଉ ମୁଁ। ତେଣୁ କେବେ କାହାକୁ ସେଭଲି ନିକଟରେ କିସ୍ କରିବା ଦେଖି ନଥିଲି। ଯା ହେଉ ତୁନିଆ ମତେ କହେ କେମିତି ପୁଅ ପିଲା ମାନେ ଓଠରେ କିସ୍ ଦିଅନ୍ତି। ଆଉ ଗାଲରେ ବି ଦିଅନ୍ତି l ବେଳେ ବେଳେ ଅବାଗିଆ ଲାଗିଲେବେ ଭଲ ଲାଗୁଥିଲା ତା କଥା ଶୁଣିବାକୁ। ତାଙ୍କ ଘରେ ତା ଭାଇ , ଭାଉଜ ସମସ୍ତେ ପଥର ମୂର୍ତି ତିଆରି କରୁଥିଲେ l ତା ପାଇଁ ଏପ୍ରକାର କିସ୍ କରୁଥିବା ଯୁଗଳ ମୂର୍ତି ଦେଖିବା କିଛି ବଡ଼ କଥା ନଥିଲା l
ସେଦିନ ପଢ଼ିଲି ରାବଣ ମନ୍ଦୋଦରୀଙ୍କୁ ଭଲ ପାଉଥିଲେ। କିନ୍ତୁ ସୀତାଙ୍କୁ ଚୋରି କରି ନେବା ଯୋଗୁ ରାମ ୟୁଦ୍ଧ କରିବାକୁ ବାନର ସେନା ମାନଙ୍କୁଏକାଠି କଲେ। ହଠାତ ମୋ ମନରେ ଆସିଲା ରାବଣଙ୍କର ଦଶ ମୁଣ୍ଡରେ ଦଶଟି ଓଠ ଥିବ ? ତାହାଲେ ମନ୍ଦୋଦରୀଙ୍କୁ ସିଏ କୋଉ ଓଠ ରେ କିସ୍ କରୁଥିଲେ? ଦଶ ମୁଣ୍ଡ ଯୋଗୁ ଆର ମୁଣ୍ଡ ଗୁଡିକ ଦେହରେ ବାଜି ମନ୍ଦୋଦରୀଙ୍କୁ କଷ୍ଟ. ଦେଉଥିବ? ରାବଣଙ୍କର ଲମ୍ବା ବାଳର ବି ବର୍ଣ୍ଣନା ପୁରାଣରେ ହୋଇଥିଲା। ମୁଁ ଭାବିଲି ତାଙ୍କର ମୁଣ୍ଡ କୁଣ୍ଡାଇବା ପାଇଁ କେତୋଟି ପାନିଆ ଦରକାର ହେଉଥିବ? ପାନିଆ କେତେବଡ଼ ହୋଈତିବ ? ପୁଣି ଭାବିଲି ବୋଧେ ଚାକରାଣୀ ମାନେ ଦଶାନନଙ୍କୁ ଦଶଟି ପାନିଆ ଧରି ମୁଣ୍ଡ କୂଣ୍ଡେଇ ଦେଉଥିବେ? ରାଜା ଥିଲେ ସିଏ ? ଚାକରଙ୍କର ଅଭାବ ତ ନଥିବ ? ଦିନେ ରାବଣ ଓ ମନ୍ଦୋଦରୀଙ୍କ କିସ୍ ବିଷୟ କଥା ପଚାରିଲି ସୁନ୍ଦ ଦିଦିଙ୍କୁ? ସିଏ ହସି କହିଲେ “ମୁଁ କହିପାରିବି ନାହିଁ”। ତୁ ପରେ ସମୟ ଆସିଲେ ନିଜେ ବୁଝି ଯିବୁ l ତୁ ବୁନ୍ଦିଆ ନେଇ ଘରକୁ ଯା। ସେଦିନ ବୁନ୍ଦିଆ ଖାଇବା ପାଇଁ ବି ମୋର ମନ ନଥିଲା। ଭାବୁଥିଲି ବିଚାରି ମନ୍ଦୋଦରୀ କେତେ କଷ୍ଟ ପାଉଥିବେ ? ତଥାପି ମନକୁ ବୁଝାଇ ବୁନ୍ଦିଆ ତକ ଧରି ଘରକୁ ଡ଼େଇଁ ଡ଼େଇଁ ଚାଲିଗଲି।
ସେ ଦିନ ମନରେଥିବା ପ୍ରଶ୍ନ ମୋ ସାଙ୍ଗ ତୁନିଆକୁ ପଚାରିଲି। ସିଏ ହସି କହିଲା ଚନ୍ଦୁ, ତୁ ସବୁ ବେଳେ ଜିରାରୁ ସିରା ବାହାର କଲା ଭଳି କଥା ପଚାରୁ ? ବୋଧେ ତୁ ଗୋଇନ୍ଦା ନହେଲେ ବୈଜ୍ଞାନିକ ହବୁ। ତୁ ତ ଭଲ ପଢ଼ୁଛୁ ? ମୁଣ୍ଡ ହଲାଇ କିନା ତା କାନରେ କହିଲି ହଁ, ବାପା ପଢ଼େଇଲେ ସିନା? ତାପରେ ଭାବିଲି ତୁନିଆତ ଭଲ ପଢିଲେବି ପଞ୍ଚମ ଶ୍ରେଣୀ ପଢିଲା ପରେ ଘରେ ରହୁଛି ଆଉ ଖଡି କାମ କରୁଛି। ଆମେ ଦୁହେଁ ଛୋଟ ଦିନୁ ଜାଣିଥିଲୁ ଆମର ଭାଗ୍ୟ ଡୋରି ଆମ ବାହାଘର ଦ୍ୱାରା ଆମ ସ୍ୱାମୀମାନଙ୍କ ସଙ୍ଗେ ଯୋଡି ହୋଇଛି। ବୁନ୍ଦିଆ ତକ ଦୁହେଁ ବାଣ୍ଟି ଖାଇଲୁ ଆକାଶକୁ ଅନେଇ।
ମନରେ ସେ ପ୍ରଶ୍ନ ଏବେବି ଘୁରିବୁଲେ। ରାବଣଙ୍କର କଣ ସତରେ ଦଶଟା ମୁଣ୍ଡ ଥିଲା? ଥରେ ଫେସବୁକରେ ଏହି ପ୍ରଶ୍ନ ଇଂରାଜୀ ଭାଷାରେ ଲେଖିଥିଲି। କେତେ ଲୋକ ଉତ୍ତର ଦେଇଥିଲେ। ମିଶ୍ର ବାବୁ ଏଇ ପୁରାଣ ବିଷୟରେ ବହୁତ ଜ୍ଞାନୀ ବୋଲି ଶୁଣୁଛି। ତାଙ୍କ ରାବଣ ପୋଷ୍ଟ ଫେସବୁକ ରେ ଦେଖି ପିଲାଦିନ କଥା ପୁଣି ମନେ ପଡିଗଲା। ଭାବିଲି ଆଜି ଲେଖି ପଚାରି ଦେଵି। ଯଦି ପଢିବେ ସେ ନିଶ୍ଚୟ ଉତ୍ତର ଦେବେ। ସେଇ କଥା ଲେଖୁଛି ଏଠି।
ଆମ ପିଲାଦିନେ ଆମେ କେତେ ସରଳ ଥାଉ। ସାଙ୍ଗ ମାନେ ଆମକୁ କେତେ କଥା ଶିଖାନ୍ତି, କେତେ ଭଲ ପାଆନ୍ତି। ତୁନିଆ ତେର ବର୍ଷରେ ବାହା ହୋଇ ଆମ ସାହିରୁ କାକଟପୁର ଚାଲିଗଲା ଆଉ ମୁଁ ଅଠର ବର୍ଷରେ ବାହା ହୋଇ ପୁରୀ ଛାଡ଼ିଲି। ଏବେବି ତା କଥା। ମୋର ଆଖିରେ ନାଚୁଛି। ସିଏ ମୋର ଭଲ ସାଙ୍ଗ ଥିଲା। ମୁଁ ବି ସବୁ ଗୁରୁ ବାର ଦିନ ଭୋଗ ବୁନ୍ଦିଆରୁ ଅଧେ ତାକୁ ଦେଉଥିଲି। ଦୁହେଁ ଖାଇଲା ପରେ ରାବଣ ଆଉ ମନ୍ଦୋଦରୀ ଙ୍କ କିସ୍ ନେଇ ବୁହେ ହସୁଥିଲୁ। ଆଶା ଆଜି ମୋ ପିଲା ଦିନ ଗପ ଆପଣମାନଙ୍କୁ ଭଲ ଲାଗିବ l
ଲେଖିକା : GFPS (ଗାର୍ଲ ଫ୍ରମ ପଥୁରିଆ ସାହି)
l

ମୋତେ ଓଡ଼ିଆରେ ଭଲ ଭାବେ ଲେଖି ଆସେ ନାହିଁ କହିଲେ ଆତ୍ୟୁକ୍ତି ହେବ ନାହିଁ I ଯଦିଚ ମୁଁ ଓଡ଼ିଆ ରେ ପଢିଛି ହାଇସ୍କୁଲ ପର୍ଯ୍ୟନ୍ତ! କିନ୍ତୁ ଅନେକ ଦିନ ହେଲା ବାହାରେ ରହିବା ଯୋଗୁ ଓଡ଼ିଆରେ ଲେଖିବା ଅଭ୍ୟାସଟି ଛାଡ଼ି ଯାଇଛିା ସେତେବେଳେ ତ ଇଣ୍ଟରନେଟ୍ ର ସୁବିଧା ନଥିଲା ଏବ ପରି l ଓଡ଼ିଆ ବହି ବି ସୁବିଧାରେ ମିଳୁ ନଥିଲା। କେବଳ ଘରକୁ ଓଡ଼ିଆରେ ଚିଠି ଯାହା ଲେଖୁଥିଲୁ l ଲେଖିବା ପାଇଁ ଜ୍ଞାନ ଠାରୁ ଏକାଗ୍ରତା ବହୁତ ଦରକାର ଯୋଉଟା ମୋ ପାଖେ ବହୁତ କମ। ସମସ୍ତଙ୍କ ପ୍ରେରଣା ଆଉ ନିଜର ଇଛା ଯୋଗୁ ମୂଁ ଓଡ଼ିଆରେ ମୋର ଅନୁଭବ ଗୁଡିକ ଲେଖିବାକୁ ଆରମ୍ଭ କରିଛି। ଆଜି ମୋର ସବୁ ଅନୁଭୂତି ଭିତରୁ ଗୋଟିଏ ଅନୁଭୂତି ମନେ ପଡେ ଯେତେବେଳେ ମୂଁ କଟକ ରେ ଥିଲି ନାନି ଘରେ।
ପିଲାଦିନେ ମତେ ଗୋଟିଏ ସିଲ୍କ ଫ୍ରକ ପିନ୍ଧିବା ପାଇଁ ଭାରି ଇଛା ଥିଲା। ନାନି ବା ବାପା ସବୁବେଳେ କହନ୍ତି ସିଲ୍ଜ ଜାମା ଗୁଡାକ କେବଳ ଅଳ୍ପ ଦିନ ପାଇଁ। ମୋ ସାଙ୍ଗ ମାନେ ସବୁବେଳେ ବାହାରକୁ ବୁଲିଗଲାବେଳେ ବା ସିନେମା ଦେଖିବାକୁ ଗଲା ବେଳେ ସିଲ୍କ ଫ୍ରକ୍ ପିନ୍ଧୁଥିଲେ । ମୋ ଫ୍ରକ ସେତିକି ଟଙ୍କା ର ହେଲେବି ସୁତାର ଥିଲା। ତେଣୁ ଲାଜ ମାଡୁଥିଲା ଆଉ ରାଗୁବି ଥିଲି ବାପାଙ୍କ ଉପରେ । ବୋଉ ହେଲେ ଥାଆନ୍ତା ତାହେଲେ ତା ସଂଗେ କଳି କରି ଗୋଟେ ସିଲ୍କ ଫ୍ରକ୍ କିଣି ଥାଅନ୍ତି। ମନ କଥା ମନରେ ସବୁବେଳେ ଥାଏ। ଭାବେ ମୋର ପିଲା ହେଲେ ଆଉ ଯଦି ସିଏ ଝିଅ ହୁଏ ତାହାଲେ ତାକୁ ନିଶ୍ଚୟ ସିଲ୍କ ଜାମା ପିନ୍ଧେଇବି। ବେଳେ ବେଳେ ବୁଢୀମାଙ୍କ ପାଖେ ସଂଜ ଦେଲା ବେଳେ କହେ ମା ମତେ ସିଲ୍କ. ଜାମା ନଦେଲେବି ଏଇନେ, ପରେ ମୋ ପିଲାକୁ ସିଲକ ଜାମା ପିନ୍ଧିବାର ସୁବିଧା କରିବ।
ମୂଁ ଖରା ଛୁଟିରେ ରେ ନାନି ମାନଙ୍କ ଘାକୁ ଯାଏ। ସେଠି ମୋ ପୁତୁରା , ଝିଆରୀ ମାନଙ୍କ ସଂଗେ ସମୟ ଭଲରେ କଟି ଯାଉ ଥିଲା। ନାନି ଘରେ ଆମ ଘରଠୁ ଖାଇବା, ପିଇବା ଭଲ ହୁଏ। ବୁଲା, ବୁଲି ଆଉ ସିନେମା ଦେଖା ବି ହୁଏ।
୧୯୬୬ ମସିହାରେ ମୂଁ ମୋ ବଡ ନାନି ଘର କଟକକୁ ଯାଇ ଥିଲି। ସେଠିକା ଅନୁଭୂତି ବହୁତ ଅଲଗା ଥିଲା। ଆମ ଭିଣୋଇ ଡ୍ର। କୁଞ୍ଜବେହାରୀ ଦାଶ ଜଣେ ପ୍ରସିଦ୍ଧ ଲେଖକ। ତେଣୁ ତାଙ୍କ ଘରେ ବହି , ମାଗଜିନ ବହୁତ ପଢିବାକୁ ମିଳେ। ନାନି ଆମର ରୋଷେଇରେ ଧୁରନ୍ଧର। ସିଏ ଶାନ୍ତିନିକେତନରେ ଥିଲା। ତେଣୁ ଭଲ ଭଲ ବଙ୍ଗାଳି ରୋଷେଇ କରେ। ଇଲିଶ ମାଛ ଦହି ଦେଇ, ପାଳୁଅ ଖିରି ଇତ୍ୟାଦି, ଇତ୍ୟାଦି। ନାନୀ ପୁଅ କୁନା ମୋଠାରୁ ଅଳ୍ପ ବଡ଼ ଓ ଟିକି, ବୁନି ଅଳ୍ପ ସାନ ଥିଲେ। ତେଣୁ ସକାଳ ଚାଲିବା, ଗଛ ଚଢିବା ଓ ଯୁକ୍ତି ତର୍କରେ ସମୟ ଭାରି ଭଲରେ କଟୁ ଥାଏ। ନାନୀ ଦୁଇ ପହରେ କାହା ଘରକୁ ବୁଲିଗଲେ ମତେ ସାଙ୍ଗରେ ନିଏ।
ନାନି ର ସାଙ୍ଗ ସୁନ୍ଦ ଦିଦିଙ୍କୁ ନାନି ପଥୁରିଆ ଶାହିରୁ ଜାଣିଥିଲା। ତାଙ୍କ ସ୍ୱାମୀ ଶ୍ରୀଧର ବାବୁ କଟକର ଜଣେ ସଚୋଟ, ପ୍ରସିଦ୍ଧ କଂଟ୍ରାକଟର ଥିଲେ। ତାଙ୍କର ବହୁତ ବଡ଼ ଘର ଥିଲା। ନାନୀ ସଂଗେ ମୂଁ ସୁନ୍ଦ ଦିଦିଙ୍କ ଘରକୁ ବହୁତ ଥର ଯାଇଛି। ମତେ ଭଲ ଲାଗେ ତାଙ୍କ ଘରକୁ ଯିବାକୁ କାରଣ ସେଠି ସୁନ୍ଦ ଦିଦି ଆମକୁ ଭଲ ଭଲ ଜଳଖିଆ ଖାଇବାକୁ ଦିଅନ୍ତି। ସନ୍ଦେଶ, ସିଙ୍ଗଡା ଇତ୍ୟାଦି। ଖାଇବା ଲୋଭରେ ମୂଁ କେବେ ମନା କରେନି ତାଙ୍କ ଘରକୁ ଯିବା ପାଇଁ। ଟିକି , ବୁନି ବର୍ଣ୍ଣିଙ୍ଗ ଦିଅନ୍ତି ଆଉ ଖେଳିବେନି ମୋ ସଂଗେ କାରଣ ମୂଁ ପଳାଉଛି ଖେଳ ମଝିରୁ। ଯା ହଉ ତାଙ୍କୁ ବୁଝେଇ କହେ ନାନୀକୁ ସାହାଯ୍ୟ ଦରକାର, ସିଏ ସବୁ ଜିନିଷ କେମିତି ଏକୁଟିଆ ଉଠେଇ ଆଣିବ। ନାନିତ ଭାରି ପାରିବାର। ମୂଁ ତ କେବଳ ଜଳଖିଆ ଖାଇବା ପାଇଁ ରେଡି ହୋଇ ଥାଏ ଯିବା ପାଇଁ। ରାସ୍ତାରେ ରୀକସାରେ ବସିବା ପରଠୁ ନାନି ତାଗିଦା କରି କହି ଥାଏ ସୁନ୍ଦ ଦିଦିଙ୍କ ଘରକୁ ଗଲେ ମନା କରିବାକୁ ଖାଇବା ପାଇଁ ଯଦି ସିଏ ଜଳଖିଆ ଦେବେ। ଦୁଇ ଥର କହିଲା ପରେ ଅଳ୍ପ (ଗୋଟିଏ ମିଠା ଆଉ ଗୋଟିଏ ଲୁଣି) ନବା ପାଇଁ ତାଗିଦା କରିଥାଏ ।
ମୂଁ ମନେ ମନେ ଭାବୁଥାଏ କାହିଁକି? ସିଏ ତ ମତେ ନିଜେ ଦଉଛନ୍ତି., ମନା କାହିଁକି କରିବି। ତେବେ ନାନୀ ସଂଗେ ଯୁକ୍ତି ନକରି ଭାବେ ଆଜି ଆଗ ଯାଏ ଆଉ ଦେଖେ କଣ ହେଉଛି ସେଠି। ଆମେ ୨ ଟା ବେଳେ ସୁନ୍ଦ ଦିଦିଙ୍କ ଘରେ ପହଁଚିଲୁ।ସୁନ୍ଦ ଦିଦିଙ୍କ ଘର ବଡ଼ ଆଉ ଭାରି ସୁନ୍ଦର। ଚାରିଆଡେ ଲୁହାର ଦୁଆର। ବଡ଼ ଅଗଣା। ଦୁଇ ତାଲା ଛାତ ଆଉ ଗୁଡ଼ାଏ ବଖରା ରୁମ। ନାନୀ କଥା କହିବାକୁ ବସିଗଲା। ମୂଁ ଉପରକୁ ଗଲି ଦେଖିବାକୁ ଆଉ ସବୁ କଣ ଅଛି ବୋଲି। ତାଙ୍କ ଝିଅ ବିଜୁ (ବିଜୟାର) ରୁମ ଉପରେ ଥିଲା । ଭାବିଲି ତା ସଂଗେ ଗପ କରିବି। ଉପରେ ଦେଖିଲି ସିଏ ନାହିଁ। କୁଆଡେ ଯାଇ ଥିବ ବୋଧେ ? ତା ରୁମ ଟା ଭାରି ସୁନ୍ଦର ଭାବେ ସଜଡା ହୋଇ ଥିଲା। ବହୁତ ଲୁଗା, ଜାମା ଆଉ କୁଣ୍ଢେଇ ଖଟ ଉପରେ ଆଉ ଆଲମିରା ଭିତରେ ଥିବାର ଦେଖିଲି। ଖଟଉପରେ ଗୋଟେ ନାଲି ରଙ୍ଗର ପୋଲକା ଡଟ ସିଲ୍କ ଜାମା ଦେଖି ମୂଁ ଆଖି ମେଲେଇ ତା ଖଟ ଉପରେ ବସି ପଡିଲି। ଭାବିଲି ମୋର ହେଲେ ଏମିତି ଜାମାଟେ ଥାଆନ୍ତା। ହାତରେ ସେ ଫ୍ରକ ଟିକୁ ଛୁଇଁଲି। ଜାମା କୁ ପିନ୍ଧିଲା ପରି ମୋ ଦେହରେ ଲଗାଇ ଆଲମିରା ର ବଡ଼ ଦର୍ପଣରେ ଦେଖିଲି।ଭାରି ଭଲ ମାନୁଛି ତତେ ବୋଲି ନିଜକୁ ନିଜେ କହିଲି। ତାପରେ ଜାମା କୁ ଭଲକରି ଭାଙ୍ଗି ଖଟ ଉପରେ ରଖି ତଳକୁ ଆସିବାକୁ ସିଡି ପାଖକୁ ଗଲି। ସୁନ୍ଦ ଦିଦି ସେତିକି ବେଳକୁ ଉପରକୁ ଆସୁଥିଲେ। ମତେ ପଚାରିଲେ ବିଜୁତ ନାହିଁ , ହେଲେ ତା ରୁମରେ ବସି ତୁ ବହି ପଢ ନହେଲେ ଖେଳେ। ହଠାତ ମୋ ପାରିରୁ ବାହାରି ଗଲା, ସୁନ୍ଦ ଦିଦି, ତୁମ ଝିଅ ବିଜୁ ର କେତେ ଜାମା। ସିଲ୍କ ସବୁ ପ୍ରକାର ଫ୍ରକ୍।ମୋର ସବୁ ବେଳେ ଗୋଟେ ସିଲ୍କ ଫ୍ରକ୍ ପିନ୍ଧିବାକୁ ଇଛା କିନ୍ତୁ ବାପା ମାନୁ ନାହାନ୍ତି। ତାଙ୍କ ମତରେ ସୁତା ଫ୍ରକ ଭଲ।
ସୁନ୍ଦ ଦିଦି ଦେଖିବାକୁ ଠିକ ଦେବୀଙ୍କ ପରି। ସବୁ ବେଳେ ନାଲି ସିନ୍ଦୁର ଟୋପା ତାଙ୍କ କପାଳରେ ସୁନ୍ଦର ହୋଇ ଲାଗିଥାଏ। ଭଲ ମଣ୍ଡ ଦେବା ଧଳା ଶାଢ଼ୀ ରେ ନାଲି ଵଡର ଥିବା ଲୁଗା ପିନ୍ଧି ଥାନ୍ତି। ମତେ ସିଏ ଧିରୀ କିନା କହିଲେ ହଁ ବିଜୁର ବହୁତ ଗୁଡ଼େ ନୂଆ ଜାମା ଛୋଟ ହୋଇ ଯାଇଛି। ତୁ ଚାହିଁଲେ ପିନ୍ଧି ଦେଖ, ଯଦି ତତେ ଫିଟ ହବ ତାହେଲେ ନେଇଯିବୁ ଖଣ୍ଡେ । ତାଙ୍କ ପାଟିରୁ କଥା ସରିନି ମୁଁ ତୁରନ୍ତ, ପଚାରିଲି ସିଲକ ଜାମା ଅଛିକି? ହଠାତ ଆଲମିରା ଖୋଲି ଦୁଇଟା ଫ୍ରକ ଖଟ ଉପରେ ଥୋଇଦେଇ କହିଲେ ପିନ୍ଧିକିନା ଦେଖ ଆଉ ତାପରେ ତଳକୁ ଆସି ଜଳଖିଆ ଖାଇଦେ। ଆଜି ସନ୍ଦେଶ ଆସିଛି। ହେ ଭଗବାନ ମୁଁ କୋଉଟା ଆଗକରିବି। ମିଠା ଖାଇବା ପାଇଁ ତ ମୋର ସବୁବେଳେ ମନ ତାପରେ ପୁଣି କଟକ ସନ୍ଦେଶ। ତେବେ ଜାଣିନି କଣ ଭାବି ଜାମା ୨ ଟା ଆଗ ଟ୍ରାଇ କରିବି ବୋଲି ଦୁଆର ବନ୍ଦକଲି। ମୋ ଭାଗ୍ୟ କୁ କେବଳ ଗୋଟିଏ ଜାମା ମତେ ଫିଟହେଲା। ଖୁସି ହୋଇ ଜଲ୍ଦି, ଜଲ୍ଦି ତଳକୁ ସିଡିରେ ଆସିଲି। ଭାବିଲି କାଳେ ସନ୍ଦେଶ କଥା ସୁନ୍ଦ ଦିଦି ଭୁଲି ଯିବେ। ତଳେ ଦେଖିଲି ଗୋଟିଏ ଥାଳିଆରେ ଯୋଡ଼େ ସନ୍ଦେଶ ଆଉ ଗୋଟିଏ ସିଙ୍ଗଡ଼ା ମୋ ପାଇଁ ଥୁଆ ହୋଇଛି। ମୁଁ ସେଇଠି ବସି ପଡି ହାତରେ ପ୍ଲେଟଟି ଧରି ଖାଇ ବାରେ ଲାଗି ଗଲି। ନାନୀ ଗପ କରୁଥାଏ ଆଉ ସେମାନେ ଚାହା ପିଉଥାନ୍ତି। ଦେଖିଲି ନାନୀ କଣେଇ କରି ମୋତେ ଅନେଇ କଣ ଗୋଟେ ଆଖି ଠାରରେ କହିବାକୁ ଚେଷ୍ଟା କରୁଛି। ବୋଧେ ଠାରରେ କହୁଥିଲା , ଧୀରେ, ଧୀରେ ଖାଆ।
ଖାଇଲା ପରେ ଆମେ ଘରକୁ ଯିବାକୁ ବାହାରିଲୁ। ସେତେବେଳ ଯାଏ ବିଜୁ ନାନୀ ର ଦେଖା ନାହିଁ। ବୋଧେ କୁଆଡେ ଯାଇଛି। ମୁଁ ଭାବିଲି ତାହାଲେ ଆଜି ଜାମା ନେବା ହବନି ସିଏତ ନାହିଁ। ସୁନ୍ଦ ଦିଦି ତାକୁ ପଚାରିବେ ତ? କାରଣ ଜାମା ଟିତ ତାର ? ଆମ ପାଇଁ ତାଙ୍କ ଚାକର ରୀକସାଟେ ଡାକି ଦେଲା। । ନାନୀ ଆଉ ସୁନ୍ଦ ଦିଦି ରୀକସା ଭଡା ଠିକ କଲେ। ମୁଁ ଆଗ ରୀକସା ଉପରକୁ ଉଠି ଗଲି। ଭାବିଲି ସନ୍ଧ୍ୟା ହୋଇନି । ବୋଧେ ମୁଁ କିଛି ସମୟ ମୋ ପୁତୁରା ବୁନି ଆଉ ଟିକିଙ୍କ ସଂଗେ ଖେଳି ପାରିବି ଯଦି ଆମେ ଜଲ୍ଦି ଯାଇ ଘରେ ପହଂଚିଯିବୁ। ସୁନ୍ଦ ଦିଦି ମୋ ପଟକୁ ଆସି ମୋ ହାତକୁ ପ୍ଲାଷ୍ଟିକ ବେଗଟିଏ ବଢ଼େଇ ଦେଲେ। ନାନୀ ପଚାରିଲା କଣ ଅଛି ଏଥିରେ ? ଆମେ ଦୁହେଁ (ମୁଁ ଆଉ ସୁନ୍ଦ ଦିଦି) ଭଲ ଭାବେ ଜାଣିଥିଲୁ କଣ ସେ ବେଗରେ କଣ ଅଛି। ମୁଁ ନାନି କାଳେ ପାଟି କରିବ ବୋଲି ଚୁପ ରହିଲି , କିନ୍ତୁ ଜାଣି ନଜାଣିଲା ପରି କହିଲି ନାନି ଜଲ୍ଦି ଗଲେ ମୁଁ ଖେଳିବାକୁ ଯିବି।
ଘରକୁ ଆସିଲା ପରେ ଆଗ ସିଧା ଯାଇ ବେଗ ଖୋଲି ଜାମା ଟାକୁ ଦେଖିଲି। ଦିହରେ ଲଗେଇ ଦେଖିଲି ମତେ ଜାମାଟା କେମିତି ମାନୁଛି? ଖୁସି ହୋଇ ଗଲି ଦେଖିଲା ପରେ ଯେ , ଫ୍ରକ୍ ଟା ଭଲ ଦେଖା ଯାଉଛି ଆଉ ଫିଟ ବି ଠିକ୍ ହେଉଥିଲା । ଛୋଟ ଛୋଟ ପୋଲକା ଡଟ ଵାଲା ନାଲି ଜାମାଟା ଭାରି ସୁନ୍ଦର ଦେଖା ଯାଉଥିଲା। ଆଉ ସେ ଫ୍ରକ୍ କୁ ପିନ୍ଧି ମୁଁ ଭାବିଲି ମୁଁ ଯେମିତି “ବିଜ଼ାର୍ଡ ଅଫ ଊଜ଼ର ର ଡ଼ୋରଥି।”(wizard of Ooze ର Dorthy) । ମନେ , ମନେ ବୁହେ ହସିଲି। ପାଖରେ ଥିଲେ ମୁଁ ସୁନ୍ଦ ଦିଦିଙ୍କୁ ଗୋଟେ ବଡ଼ ଥାଙ୍କ ୟୁ କହି ତାଙ୍କ ବେକରେ ଓହଳି ଯାଇଥାନ୍ତି। ସେ ଯାମାଟା ମୁଁ ବହୁତ ଥର ପିନ୍ଧି ଥିଲି। କିଶୋରି ଜୀବନରେ ମୋର ସେଇଟା ପ୍ରଥମ ଆଉ ଶେଷ ସିଲକ ଜାମା ଥିଲା।
ମୋ ଭାଗ୍ୟକୁ ବିଜୁ ନାନି ଆସି ଏଠି ଏବେ ଆମେରିକାରେ ଅଛି । ଦିନେ ମୁଁ ତାକୁ ମୋ ପ୍ରଥମ ସିଲକ ଫ୍ରକର ଷ୍ଟୋରୀ କହିଲି। ତାର ଜମା ମନେ ନାହିଁ ବୋଲି ସିଏ କହିଲା। ଭାବିଲି ବୋଧେ ସୁନ୍ଦ ଦିଦି ତାକୁ କହି ନଥିଲେ ମତେ ଫ୍ରକ ଟା ଦେଇ ଥିଲେ ବୋଲି। ତାରତ କେତେ ଫ୍ରକ ଥିଲା। ତେଣୁ ଜାଣି ନଥିବ ଭାବି ଚୁପ ରହିଲି। ସମୟ ସହିତ ମୋର
ପରିସ୍ତିତି ବଦଳିଗଲା। ସୁଧାଂଶୁଙ୍କ ସାଙ୍ଗେ ବାହା ଘର ପରେ ମତେ ବହୁତ ସିଲକ ଶାଢ଼ୀ ଆଉ ଜାମା ପିନ୍ଧିବାକୁ ମିଳିଲା। ମତେ ସିଲକ କନା ର ସ୍ପର୍ଶ ଦେହରେ ଲାଗିଲେ ଭାରି ଭଲ ଲାଗେ। ତେବେ ସେ ପ୍ରଥମ ସିଲ୍କ ଫ୍ରକ୍ ପିନ୍ଧିବାର ଅନୁଭୂତି ଏବେବି ମନେ ପଡେ ଆଉ ଭାବେ ସୁନ୍ଦ ଦିଦି କେତେ ମତେ ଭଲ ପାଉ ଥିଲେ। ମୁଁ ତ କେବେ ତାଙ୍କୁ ଡାକି କହି ପାରିଲିନି ଯେ ସେ ଫ୍ରକ ଟି ମୋ ପାଇଁ କେତେ ଗୁରୁତ୍ବପୂର୍ଣ୍ଣ ଥିଲା। ଏବେ କେବଳ ମନେ ପଡେ ଯେ ବୋଉ ନଥିଲା ବୋଲି ମତେ ସମସ୍ତେ କେତେ ଭଲ ପାଉ ଥିଲେ ଆଉ ସେଇ ଯୋଗୁ ମୁଁ ଆଜି କେତେ ସମସ୍ତଙ୍କ ପାଖେ ଆଭାରୀ।
ଆଜି ଏତିକିରେ ରହିଲି ପୁଣି କେବେ ଆଉ ଗପ ଶୁଣେଇବିଲେଖିକା: ଚନ୍ଦ୍ରା ମିଶ୍ର GFPSP (ଗାର୍ଲ ଫ୍ରମ ପଥୁରିଆ ସହି ପୁରୀ)