
ଗତ ସପ୍ତାହରେ ଲେଖିଥିବା ଗପରେ କମେଣ୍ଟ ଦେଖିଲି “ଇଣ୍ଟ୍ରେଷ୍ଟିଙ୍ଗ୍ କାହାଣୀ। ଆପଣଙ୍କ କାହାଣୀ କହିବାର ଢଙ୍ଗଟି ଆକର୍ଷଣୀୟ। ପଢିବା ଲୋକକୁ କାବୁ କରି ରଖିପାରନ୍ତି।” ଏଇ କଥା କମେଣ୍ଟ ରେ ଦେଖିଲା ପରେ ଭାବିଲି ମୋ ମନରେ ଆଉ କେତେ ଅନୁଭୁତିର ଗପ ସାଇତି ରଖିଚି l ସବୁ ଧରେ ଧୀରେ ଲେଖିବି l କିନ୍ତୁ ତର ତର କରି ପୋଷ୍ଟ କରିବିନି l ପାଞ୍ଚ ଥର ରିଭାଇଜ୍ କରିବି ବୋଲି ନିଜକୁ ନିଜେ କହିଲି, ତାହେଲେ ଗୁଡ଼ାଏ ଭୁଲ ହେବନି!!! ଦେଖିବା ମୋର ଯୋଉ ତୁର , ତୁର ପିଲାଳିଆ ଅଭ୍ୟାସ, ସେଥିରେ ରହି ପାରିଲେତ ?
ମୁମ୍ବଇରେ କିଛିଦିନ ରହିଲା ପରେ ମୁଁ ସେଠି ଚଳ, ପ୍ରଚଳ ହେଵା ପାଇଁ ଭଲରେ ଶିଖିଗଲି l ନାଲି ବେଷ୍ଟ ବସ୍ ରେ ଜଲ୍ଦି କରି ଚଢି ଆଗକୁ ଠେଲି ପେଲି ଦେଇ ବସ୍ ରେ ବସିବା ଶିଖିଗଲି l ଟ୍ରେନ୍ ରେ ଥାର୍ଡ଼ କ୍ଲାସ୍ ର ଭିଡ଼ ଭିତରେ ବସି ଗାନ୍ଧୀ ମାର୍କେଟ ରୁ ନିଜ ପାଇଁ ସାଲ୍ୱୱାର , କମିଜ୍ କିଣି ପାରିବାରେ ଧୁରନ୍ଧର ହୋଇଗଲି ବୋଲି ଖୁସି ଥିଲି l ଆଉ ଅନିତା ବା ପିଙ୍କି ର ସାହାଯ୍ୟ ଦରକାର କରୁ ନଥିଲି l ଧୀରେ ଧୀରେ ମରାଠୀ ଆଉ ପଂଜାବୀ ରେ କିଛି ସାଧାରଣ ଶବ୍ଦ କହିବାକୁ ଆରମ୍ଭ କଲି ସ୍ଥାନୀୟ ଲୋକମାନଙ୍କ ସଂଗେ ଚଳିବାକୁ ସୁବିଧା ହେବ ବୋଲି l
ମୁମ୍ବଇରେ ଗଣେଶ ପୂଜା ସବୁଠାରୁ ବେଶି ଯାକ ଯମକରେ ହୁଏ l ଆମ ପୁରୀରେ ବି ଗଣେଶ ପୂଜା ହେଉଥିଲା କିନ୍ତୁ ମୁମ୍ବାଇର ଗଣପତି ପୂଜା ରେ ଆଉ ଗୋଟାଏ ପ୍ରକାର ମହକ, ଜଲସା ଥିଲା l ସାତ ଦିନ ଧରି ଏଠି ଗଣେଶଙ୍କୁ ପୂଜା ହୁଏ l କମ୍ପାନୀରେ ସବୁ କର୍ମଚାରୀ ମାନଙ୍କୁ ମିଠାଇ ଆଉ ଉପହାର ମିଳେ l ପ୍ରଥମ କରି ଏସବୁ ଦେଖି ମୁଁ ଭାରି ଖୁସି ହୋଇଥିଲି l ଆମ ପଡିଶା ଘରେ ରହୁ ଥିବା ମରାଠି ଲୋକ ମିଶେଶ୍ ଯୋଶୀ ଙ୍କ ଠାରୁ ଗଣେଶଙ୍କ ପୂଜା ପାଇଁ ମରାଠୀ ମାନଙ୍କ ପରି ମୋଦକ ତିଆରି କରିବା ଶିଖିଲି l ରାତିରେ ମରାଠି ନାଟକ ଦେଖିବାକୁ ତାଙ୍କ ସଂଗେ ଯିବାର ମଜା ଏବିଡି ମନେ ପଡିଗଲେ ମନ ପୁରୁଣା ଜାଗାକୁ ଉଡ଼ିଯାଏ l ଗଣେଶ ପୂଜା ବେଳେ ଦିନେ ସନ୍ଧ୍ୟାରେ ସୁଧାଂଶୁ ଫେରିଲା ବେଳେ ଦେଖିଲି ଗୋଟିଏ ସୁନ୍ଦର ବ୍ୟାଗରେ ପ୍ୟାକେଟ୍ ଟେ ଆଣି ମତେ ଦେଲେ, ଆଉ କହିଲେ ସେଇଟା ତାଙ୍କ କମ୍ପାନୀରେ ତାଙ୍କୁ ଗଣେଶ ପୂଜା ପାଇଁ ଦିଆ ଯାଇଛି l ମୁଁ ସଂଗେ ସଂଗେ କାଗଜକୁ ସାଵଧାନରେ କାଢି ଦେଖିଲି ଗୋଟିଏ ନାଁ ପ୍ଲେଟ୍ l ସେଥରେ ଲେଖା ଥିଲା “Dr. Sudhanshu Misra” l ସେଇଟା ଆମ ଦାଣ୍ଡ ଦୁଆରେ ଲଗେଇବାକୁ ଦୁହେଁ ଭାବିଲୁ l
ମୁଁ ବାହାରକୁ ଗଲା ବେଳେ ଦୁଆର ସାଵଧାନରେ ବନ୍ଦ କରେ କାଳେ ଧଡ଼ କରି ଦୁଆର ବନ୍ଦ କଲେ ନାଁ ପ୍ଲେଟ ଖସି ଯିବ ବୋଲି l ଆମେ କିନ୍ତୁ ଦୁଇଟା ସ୍କୃ ଲଗେଇ ମଜଭୁତ କରି ତାକୁ ଲଗାଇ ଥିଲୁ l ଆମ କଲୋନୀରେ ସବୁ ଶିଖ୍ ପଂଜାବୀ ରହୁ ଥିଲେ l ସମସ୍ତଙ୍କର ମଟର ପାର୍ଟ ବ୍ୟବସାୟ ଥିଲା l ସେମାନଙ୍କ ଭିତରେ ପାଠ ପଢା ଲୋକ ବେଶୀ କେହି ନଥିଲେ l କେତେଲୋକ ମତେ ଡାକ୍ତର ଙ୍କ ପତ୍ନୀ ବୋଲି କହନ୍ତି ବାହାରେ ” Dr Misra” ନାଁ ଟା ପଢି l କେତେଥର ଭାବେ କହିବି ବୋଲି ସୁଧାଂଶୁ PhD କରିଛନ୍ତି l ସେଇଟା ଡ଼କ୍ଟରେଟ , ଡାକ୍ତର ନୁହଁ l ତେବେ ସେଇଟା ତାଙ୍କର ବୁଝିବା ଆଉ ମୋର ବୁଝାଇବା ହୋଇ ପାରି ନଥିଲା l
ଦିନେ ରାତି ଦୁଇଟା ପାଖାପାଖି ହେବ ଆମ ଦୁଆରର କଲିଙ୍ଗ୍ ବେଲ୍ ବାଜିଲା l ମୁଁ ନିଦରୁ ଉଠି ସୁଧାଂଶୁଙ୍କୁ ଉଠାଇଲି l ଦୁହେଁ ଧିରୀ ହୋଇ ଯାଇ ବାହାର ବାରଣ୍ଡାର ଗ୍ରିଲ ଭିତରୁ ଦେଖିଲୁ ଜଣେ ସର୍ଦlରଜୀ ଦୁଆର ବାହାରେ ଠିଆ ହୋଇ ବେଲ ଦ୍ବବାଇ ଚାଲିଛନ୍ତି, ଆଉ କହୁଛନ୍ତି ଡାକ୍ତର ସାହେବ “ତୁ ସି ଆ ଯାଓ , ବେବି ଅଚାନକ ବୀମାର୍ ହୋ ଗଇ” l ତାଙ୍କ ପଛରେ ଆଉ ଯୋଡିଏ ସର୍ଦାର ଲୋକ ଦେଖିଲୁ l ରାତିରେ ସେମାନଙ୍କ ମୁଣ୍ଡରେ ପଗଡି ନଥିଲା l ତାଙ୍କର ଲମ୍ବା ବାଳ ଆଉ ଦାଢ଼ି ବି ନେଟ୍ ରେ ବାନ୍ଧି ନଥାନ୍ତି l ବୋଧେ ଜଣେ ତିକିଏ ପିଇଲା ଭଳି ଲାଗୁ ଥାଏ l ସୁଧାଂଶୁ ଦୁଆର ଖୋଲି ସେମାନଙ୍କୁ ଧୀର ଶବ୍ଦ ରେ କହିଲେ ଯେ ସିଏ ଡାକ୍ତର ନୁହନ୍ତି , ତାଙ୍କର ରସ ଶାସ୍ତ୍ରରେ ଡ଼କ୍ଟରେଟ ଡିଗ୍ରୀ ଅଛି। ଏତକ ବୁଝିବା ସେମାନଙ୍କ ପାଇଁ କାଠିକର ପାଠ ଥିଲା l ଥରକୁ ଥର କହି ଚାଲିଲେ “ବେବି ବହୁତ ବୀମାର ହୋ ଗଇ , ଜଲ୍ଦି ଆକେ ଥୋଡା ଦେଖଲୋ” l ଥରକୁ ଥର ସୁଧାଂଶୁ ତାଙ୍କୁ କହୁ ଥିଲେ ସିଏ ଡାକ୍ତର ନୁହଁନ୍ତି l ପାଞ୍ଚ ମିନିଟ ହୋଇଗଲା l ଜଣେ ବାହାରି କହିଲା ଯଦି ପଢୁଛ ଡାକ୍ତରୀ ତାହାଲେ ଦୁଆର ସାମ୍ନାରେ ଲେଖିଲ କାହିଁକି ? କଥାଟା ବଢି ଚାଲିଲା l ଆମର କେହି ଜଣl ଶୁଣା ଲୋକ ପାଖରେ ନଥିଲେ l
ସେତେବେଳେ ଏବ ପରି ଫୋନ ନଥିଲା କାହାକୁ ଡାକିଦବୁ ବୋଲି l ସର୍ଦାର ମାନେ ରାଗି ଗଲେ କିଛି ନବୁଝି ମାରିବା ପାଇଁ କୂଂଠାନ୍ତିନି l ଭାରି ଡର ଲାଗିଲା l
ହଠାତ୍ ବିଜୁଳି ପରି ମୋ ମୁଣ୍ଡରେ ଭାବନାଟିଏ ଆସିଲା l ଭାବିଲି ବିପଦ ବେଳେ ଆମ ସାଇର ହାତଯୋଡି ଠାକୁରାଣୀଙ୍କୁ ମନେ ମନେ ଡାକିଵି ଆଉ କହିବି ମା ସାହାଯ୍ୟ କର l ମୁଁ ସୁଧାଂଶୁଙ୍କୁ ପଛରେ ରଖି କହିଲି “ଭାଇ ସାହେବ ମେରେ ପତି ମେଡ଼ିସିନ ଦେନେଵାଲା ଡାକ୍ତର ନହିଁ , ଓଃ ତୋ ମେଡ଼ିସିନ ବନାନେ ଵାଲା ଡାକ୍ତର ହେଁ l ମୁଁ ଦୁଇ ଥର ଜୋରରେ କହିଲି “ଦ୍ବାଇ ବନାନେ ଵାଲା କ୍ୱେଏସେ ଦେଏଗେ?” ଜାଣିନି କଣ ହେଲା , ପଂଜାବୀରେ ସେମାନେ ଜଣେ ଆର ଜଣକ ମୁହଁକୁ ଦେଖିଲେ ଆଉ କହିଲେ , ଆଛା ବନାନେ ଵାଲା ଡାକ୍ତର l ମୋ ମୁହଁ କୁ ଅନେଇ କହିଲେ “ତୁସି ୱେଇସା ଲିଖ ଦୋ ବାହ୍ ର” l ତାପରେ ସେମାନେ ଗଲେ ଆଉ ଆମେ ଦୁଆର ବନ୍ଦ କରି ଭିତର୍କୁ ଗଲୁ l ଵର୍ଡା ପତ୍ର ପରି ଦେହ ଥରୁଥାଏ l ସାରା ରାତି ନିଦ ନାହିଁ l ଭାବିଲୁ ଘର ଖଣ୍ଡିଏ ପାଇଁ ଏଠି ଆମେ ନିଦା ମୂର୍ଖ ଜାଗାରେ ରହିଛୁ l
ତା ଆର ଦିନ ସକାଳୁ ଦୁହେଁ ମିଶି ନାଁ ପ୍ଲେଟ ରୁ Dr. ଅକ୍ଷ୍ୟର ଦୁଇଟି କାଟିଲୁ l ଚାହା ପିଇଲା ବେଳେ ସୁଧାଂଶୁ ମତେ କହିଲେ ତୋର ବୁଧ୍ହି ହଠାତ୍ କାମ ଦେଲା l ମୁଁ ଖୁଶିରେ ଆଉ ଛାତି ଫୁଲେଇ କହିଲି ମୁଁ , ପଥୁରିଆ ସାହି ଝିଅଟି l ତୁମେ କଣ ଭାବୁଛ !! ସିଏ ଅଫିସ୍ ଗଲେ ଆଉ ମୁଁ ଭାବିଲି ନିଶ୍ଚୟ ସୁଧାଂଶୁ ଆଉ କୋଉଠି ରହିବାର ବ୍ୟବସ୍ତା କରିବେ l ଆଜିର ଗପ ଏତିକିରେ ଶେଷ କଲି l
ଲେଖିକା : ଚନ୍ଦ୍ରା ମିଶ୍ର (GFPSP ) Girl From Pathuria Sahi Puri











