ମୋ ସ୍ମୃତିରୁ ଆଉ ଗୋଟିଏ ଛୋଟ କଥା : ମନେ ପଡେ ହଳେ କାନ ଫୁଲ ମୋ ସାଙ୍ଗ ଇଲା ପାଇଁ ଆଉ ବସନ୍ତ ଭାଇନା , ବିଜୁ ନାନୀଙ୍କର ସାହାଯ୍ୟର ଅଭୁଲା ସ୍ମୃତି!!![]()

ଆଜି ଏଠି ଆମର କ୍ରିସମସ୍ ଇଭ୍ l ସମସ୍ତେ ଉପହାରର କିଣୁଛନ୍ତି ନହେଲେ କାହାକୁ ଉପହାର ଦେଉଛନ୍ତି l ଏଇ ମହାମାରୀ ସମୟରେ ବି ଲୋକମାନେ ଉପହାର କିଣିବାରେ ପଛଉ ନାହାନ୍ତି l ମୂଁ ବି ପିଲାଙ୍କ ପାଇଁ କିଛି ଉପହାର ବାହାର କରି କ୍ରିସମସ୍ ଗଛ ତଳେ ରଖିଲି l ଜିନିଷ ସଜାଡୁ, ସଜାଡୁ ହଠାତ୍ ଦେଖିଲି ଗୋଟେ ରସିଦ ହଳେ କାମ ଫୁଲର, ଯୋଉଟା ମୋ ପାଇଁ ବିଜୁ ନାନୀ ଆଉ ବସନ୍ତ ଭାଇନା କିଣି ମୋ ସାଙ୍ଗ ଇଲାକୁ ଦେଇଥିଲେ ମୋ ତରଫରୁ l ବିଜୁ ନାନୀକୁ ମୁଁ ପିଲାଦିନେ ଥରେ ବା ଦୁଇ ଥର ଦେଖି ଥିଲି କଟକରେ l ଭାଇନା ମୋ ପାଇଁ ନୂଆ l ତାଙ୍କୁ ମୁଁ ଆମେରିକାରେ ଭେଟିଲି l ମୁଁ ବିଜୁ ନାନୀ ପୂର୍ବରୁ ବାହା ହୋଇ ମୁମ୍ବାଇ ଆଉ ପରେ ଆମେରିକା ଆସିଥିଲି l ବିଜୁ ନାନୀର ବୋଉ, ମାମୁଁ ଆମ ସାହିର ଥିଲେ l ବିଜୁ ନାନୀ ର ନାଲି ରେଶମ ଡ୍ରେସ୍ ମୋ ପିଲାବେଳେ ମୋର ଗୋଟିଏ ମାତ୍ର ସୀଲକ୍ ଡ୍ରେସ ଥିଲା l ସେ ଗପଟି ଆଗରୁ ଲେଖିଥିଲି l
ବିଜୁ ନାନୀ ଆମେରିକା ଆସିଲା ପରେ ମୋ ସାଙ୍ଗେ ତାର କଥା ବାର୍ତା ବଢ଼ିଲା l ମୁଁ ତା ବିଷୟରେ ଆଉ ସେ ମୋ ବିଷୟରେ ବେଶୀ ଜାଣିଲୁ ଆମେ ପ୍ରତିଦିନ କଥା ହେବାରୁ l ମୁଁ ସବୁ ବେଳେ ତାକୁ ମାନେ ପକେଇ ଦିଏ କେମିତି ତାଙ୍କ ଘରେ ମତେ ସିଙ୍ଗଡ଼ା ଆଉ ସନ୍ଦେଶ ଖାଇବାକୁ ମିଳୁଥିଲା l ମୁଁ ମୋ ନାନୀ ସାଙ୍ଗରେ ତାଙ୍କ ଘରକୁ କେତେଥର ଯାଇଥିଲି l ମୋର ଆଖି ସବୁ ବେଳେ ସୁନ୍ଦ ଦିଦିଙ୍କ (ବିଜୁ ନାନୀର ବୋଉ ଆଉ ମୋ ନାନୀର ବଡ଼ ସାଙ୍ଗ) ଜଳଖିଆ ଥାଳି ଉପରେ ଥାଏ l ରିକ୍ସା ରେ ଗଲାବେଳେ ନାନୀ ବାରଂବାର କହିଥାଏ ଚନ୍ଦୁ , କହିବା ମାତ୍ରେ ଖାଇବୁନି l ଟିକିଏ ଅପେକ୍ଷl କରିବୁ l ସୁନ୍ଦ ଦିଦି ଆମ ଘର କଥା ଜାଣିଥିଲେ l ତେଣୁ ମତେ ସବୁ ବେଳେ ଦୁଇଟା ଲେଖେ ସନ୍ଦେଶ ଆଉ ସିଙ୍ଗଡ଼ା ବାଢି ଦିଅନ୍ତି l ମୁଁ ନାନୀ ଆଡ଼ କୁ ଅଳ୍ପ ଅନେଇ ଖାଇଦିଏ କିନ୍ତୁ ଡ଼ରୁ ଥାଏ କାଳେ ନାନି ପାଟି କରିବ ବୋଲି l ସୁନ୍ଦ ଦିଦି ନାନି କୁ କହନ୍ତି, ନିଶା ଖାଉ ପିଲାଦିନରୁ ମା ନାହିଁ l ଘର ତ କେହି ସ୍ତ୍ରୀ ଲୋକ ନାହାନ୍ତି, ତା କଥା କିଏ ବୁଝିବ? କିଛି କହନା ତାକୁ !
ବିଜୁ ନାନି ଏଠି ରହିବା ଜାଣି ମୁଁ ଭାରି ଖୁସି ହେଲି l ଏତେ ଦିନ ପରେ ଜଣେ ଆମେରିକାରେ ମିଳିଲେ ଯିଏ ମତେ ଆମ ପୁରୀ ବା କଟକରୁ ଜାଣିଛି ବୋଲି l ଆମେ ପ୍ରଥମେ ବହୁତ ସମୟ ଗପ କରୁ ଥିଲୁ ଆଉ ପୁରୁଣା କଥା ମନେ ପକାଇ ହସୁ l ଆମର ବଢିବାରେ ବହୁତ ଫରକ ହେଲେବି ବିଜୁ ନାନି ମୋ କଥା ବୁଝୁଥିଲା ଆଉ ସବୁ ବେଳେ ବିଚରା ମୋ ଗପୁଡିର କଥାକୁ ମନ ଦେଇ ଶୁଣେ l ମୁଁ ଗପ କରିବା ଆରମ୍ଭ କଲେ ବସ୍ ପୁରୀରୁ ଯାଇ କଟକରେ ପହଁଚି ଯିବ? ଏତେ ସମୟ କେମିତି କଟେ ଜଣା ପଡ଼େନି l
ମୋର ଓଡିଶା ଯିବା ପ୍ରାୟ ପ୍ରତି ପାଞ୍ଚ ବର୍ଷରେ ଥରେ ହୁଏ l ଏଠି କାମ ଆଉ ପିଲାମାନେ କଲେଜରେ ପଢୁ ଥାନ୍ତି l ବହୁତ ଖର୍ଚ୍ଚ l ଓଡ଼ିଶାରେ ମୋର ବାପା, ବୋଉ , ଶାଶୁ ଆଉ ଶ୍ୱଶୁର ନଥିଲେ l ପିଲାଦିନରୁ ଆମ ଦୁହେଁ ବୋଉକୁ ହରାଇଥିଲୁ l ଆମ ବାହାଘର ପରେ ଦୁହିଁଙ୍କ ବାପା ବି ଚାଲି ଯାଇଥିଲେ l ତେଣୁ ଘରକୁ ଯିବା ନିହାତି ଆବଶ୍ୟକ କେବେ ଭାବି ନଥିଲି l ଭାଇ , ଭଉଣୀ ବହୁତ କିନ୍ତୁ ସେମାନେ ତାଙ୍କ ସଂସାରରେ ବ୍ୟସ୍ତ ଥାଆନ୍ତି l
ମୁଁ ଜାଣିଛି ବିଜୁ ନାନି କଟକର ଆଉ ସିଏ ପ୍ରତି ବର୍ଷ ପ୍ରାୟ କଟକ ଭାଇନା ଙ୍କ ସାଙ୍ଗେ ଯାଏ l ମୋର ସ୍କୁଲ ରେ ପଢିବା ସମୟ ର ସାଙ୍ଗ ଇଲା ବି କଟକରେ ରହୁଥିବାର ଶୁଣିଲି l ସ୍କୁଲ ରେ ସିଏ ମୋର ବଡ଼ ସାଙ୍ଗ ଥିଲା l ଆମେ ଦୁହେଁ କ୍ଷୀର, ନିର ପରି l ବାହାଘର ପର ଠାରୁ ମୁଁ ଇଲାକୁ ଦେଖିନି l କିନ୍ତୁ ଯେତେବେଳେ ଚାଲିବାକୁ ଯାଏ ତା କଥା ମନେ ପଡେ l ଇଲା ତାର ରିବନ୍ ଭଲ କଲମ ମତେ ସବୁ ବେଳେ ବ୍ୟବହାର କରିବାକୁ ଦିଏ l ଏମିତିକି ତାର ସୁନାର କାନ ଫୁଲ ବି ମତେ କେତେଥର ପିନ୍ଧି ବାକୁ ଦେଇଥିଲା l

ଥରେ ମୁଁ ଗୋଟେ ବଡ଼ ଭୁଲ କରିଥିଲି l ଇଲା ଦେଇଥିବା ହଳେ କାନ ଫୁଲ ମୁଁ ହଜେଇ ଦେଇଥିଲି l ମନେ ପଡୁ ନଥିଲା କୋଉଠି ଥୋଇ ଦେଲି କାନରୁ କାଢି କାନଫୁଲ ହଳକ ଇଲାକୁ ନଫେରେଇ l ଆମ ଘରେ କହିଲେ ବାପା ଭାଇନା ନିଶ୍ଚୟ ମାରିବେ ଆଉ କହିବେ କାହାଠୁ ମାଗି କାହିଁକି କାନଫୁଲ ପିନ୍ଧିବା ଦରକାର ଥିଲା ? ବୋଉ ଥିଲେ ବୁଝି ଥାଆନ୍ତା ଅବା ଖୋଜିବାରେ ମତେ ସାହାଯ୍ୟ କରି ଥାଆନ୍ତା l ଇଲା କାନଫୁଲ ଫେରେଇବା କୁ କହିଲା ବେଳକୁ ମୁଁ କହିଲି, ମୁଁ ତା କାନଫୁଲ ତାକୁ ଫେରେଇ ଦେଇଛି l ସିଏ ଥରକୁ ଥର ମନା କରିବା ସତ୍ୱେ ମୁଁ ଜୋରରେ କହିଲି , ନାଇଁ ଫେରେଇ ଦେଇଛି ବୋଧେ ସିଏ ହଜେଇ ଦେଇଛି l ଏଇଟା ମୁଁ ପୁରା ମିଛ କହିଲି ଆଉ ଜାଣିଛି କାରଣ ମୋ ଉପରେ ମାଡ଼ ପଡିବ ବୋଲି ମିଛ କହିଦେଇ ଥିଲି l
ସେଦିନ ପରଠାରୁ ମୁଁ ଆଉ ବେଶୀ ଇଲା ସାଙ୍ଗେ କଥା କହିଲିନି l ଭଲ ପଢ଼ୁଥିବା ଯୋଗୁ ମୋର ବହୁତ ସାଙ୍ଗ ଥିଲେ l ଯେତେବେଳେ ଇଲାକୁ ଦେଖେ ଦୋଷୀ ଭଳି ଲାଗେ l ମୋ ପାଖେ ଏତେ ପଇସା ନଥିଲା ଯେ ମୁଁ କାନ ଫୁଲ କିଣି ତାକୁ ଦେଇଦେବି ବୋଲି l ଏଇଟା ମୋର ଏକାଦଶ ଶ୍ରେଣୀର କଥା l ତାପରେ ମୋର ବାହାଘର ଠିକ ହୋଇ ଗଲା l ଇଲା ମୋ ବାହାଘର ବେଳକୁ ଆସିଥିଲା l ତାକୁ ଦେଖି ମୋର ପୁରୁଣା କଥା ମନେ ପଡିଲା l ଭାବିଲି ବାହାଘର ପରେ ଆସିଲେ ତାକୁ ହଳେ କାନ ଫୁଲ କିଣି ଦେଇଦେବି l
ଇଲା କଲେଜ ରେ ପଢିଲା କଟକରେ ରହି ଆଉ ମୁଁ ଝରିଆ ଆଉ ମୁମ୍ବାଇ ହୋଇ ଆମେରିକା ଆସିଗଲି l ତା ସଂଗେ ଆଉ କେବେ ଦେଖା ହେଲାନି l ବହୁତ ଥର ତା ଖବର ଜାଣିବା ପାଇଁ ଚେଷ୍ଟା କଲି, କିନ୍ତୁ କିଛି ଖବର ମିଳିଲାନି l ସେତେବେଳେ ଓଡ଼ିଶାରେ ଅନେକ ଲୋକଙ୍କ ଘରେ ଫୋନ ନଥିଲା l ଦୁଇ, ତିନି ଥର ଚିଠି ଲେଖିଲି କିନ୍ତୁ ଉତର ନ ଆସିବାରୁ ଚୁପ୍ ରହିଲି l ଆମେରିକା ଆସିବା ପରେ ଚେଷ୍ଟା କଲି ତା ସଂଗେ ଯୋଡି ହେବା ପାଇଁ l ସିଏ କାହାକୁ ବାହା ହେଲା ଆଉ କୋଉଠି ରହିଲା ତାର ଖବର ମିଳିଲାନି l ସେମାନେ ନିଆଳି ଗାଁ ର ଥିଲେ l ପୁରୀ ହୋଇଥିଲେ ଅବା ଖବର ମିଳିଥାନ୍ତା ?
ଦୀର୍ଘ ଚାଳିଶ ବର୍ଷ ପରେ ଫେସ୍ ବୁକ୍ ହେଲା ପରେ ମୋର ସାଙ୍ଗ ଚିତ୍ରଲେଖା ମତେ ଇଲାର ଖବର ଆଉ ଠିକଣା ଦେଲା l ମୁଁ ଭାରି ଖୁସି ହେଲି ଆଉ ଭାବିଲି ଏଥର ଗଲେ ନିଶ୍ଚୟ ତା ସାଙ୍ଗେ ଦେଖା କରିବି ଆଉ ତାକୁ କାନଫୁଲ ହଳେ କିଣି ଦେଇ ଆସିବି l କିନ୍ତୁ ତା ବି ହେଲାନି ମୁଁ ଗତଥର ଓଡିଶା ଗଲା ବେଳେ l ଓଡିଶା ଗଲେ ସେଇ ପୂରୁଣl ବାରଣ ଆମ ଘର ଲୋକଙ୍କର l ଝିଅ ପିଲା, କୁଆଡେ ଏକୁଟିଆ ଯିବୁ ନାନି ଆରମ୍ଭ କରି ବସିଲା l କିଏ ଜଣେ ସାଙ୍ଗରେ ପୁଅ ଲୋକ ଗଲେ ହେବ l ଆଉ ଯିବା ହେଲାନି, ଯେହେତୁ ଇଲା କଟକରେ ଥିଲା ଆଉ ମୁଁ ପୁରୀରେ l ସିଏ ବି ଆସି ପାରିଲାନି ମତେ ଦେଖିବା ପାଇଁ l ଭାବିଲି ଆମେରିକା ହୋଇଥିଲେ ମୁଁ ନିଜେ ଯାଇ ପାରିଥାଆନ୍ତି ଗାଡି ଚଲାଇ ? ବେଶୀ ବାଟ ତ ନୁହେଁ ? ମନ କଥା ମନରେ ରଖି ଭାବିଲି ବୋଧେ ତାର ଋଣୀ ହୋଇ ମୁଁ ରହିବି ଆଉ ଆର ଜନ୍ମରେ ଶୁଝିବି l ଆମ ସାହି ଠାକୁରାଣୀ ହାତଯୋଡ଼ିଙ୍କୁ ବେଳେ ବେଳେ ପ୍ରାଥର୍ନ କରେ ଆଉ କହେ, ମା ପିଲା ଦିନେ ମାଡ଼କୁ ଡରି ଏପରି ବଡ଼ ଭୁଲ କରିଦେଲି l ତୁମେ ରାସ୍ତା କରିଦିଅ ଋଣ ମୁକ୍ତ ହେବା ପାଇଁ !
ଦିନେ କଥା ପଡୁ, ପଡୁ ବିଜୁ ନାନୀ କହିଲା ଚନ୍ଦୁ , ରାଜେନ୍ଦ୍ର ନଗରରେ ତାର ଘର l ମୋର ମନେ ପଡିଲା ଆରେ ବିଜୁ ନାନି ଇଲାକୁ ଦେଇ ଦେବ କାନ ଫୁଲ, କାରଣ ଇଲା ବି ସେଇଠି ରହୁଛି ବୋଲି ଚିତ୍ରଲେଖା କହିଥିଲା l ଗପିଲା ବେଳେ ତାକୁ ପଚାରିଲି ସିଏ ନେଇ ପାରିବ କି ମୋ ପାଇଁ କାନ ଫୁଲ ହଳେ ଇଲା ପାଇଁ? ସବୁ ଷ୍ଟୋରି ବି କହିଲି କାହିଁକି ସେଇଟା ଜରୁରୀ ମୋ ପାଇଁ ! ଏଠି ମିଳୁଥିଲା ସୁନା କାନ ଫୁଲ ଭଲ ସୁନା (14 କ୍ୟାରଟ) ନହେଲେବି ଭାବିଲି ମୁଁ କିଣି ବିଜୁ ନାନୀ କୁ ପାର୍ସଲ କରିଦେବି ଇଲାକୁ ଦେବା ପାଇଁ l ବିଜୁ ନାନୀ ବୋଷ୍ଟନ୍ ରେ ରହେ l ମୋ କଥା ଶୁଣି ବିଜୁ ନାନି ଆଉ ବସନ୍ତ ଭାଇନା କହିଲେ ନାଇଁ , ସେମାନେ ବାଙ୍ଗାଲୋର୍ ଯିବେ ଆଉ ସେଠୁ କାନ ଫୁଲ କିଣି ଇଲା ପାଇଁ ନେଇ ଯିବେ l ମୁଁ ଏତେ ଖୁସି ହୋଇ ଗଲି ଯେ ଆଜି ବି ମୋ ଅନୁଭବଟା ଲେଖିବା ପାଇଁ ମୋ ମନରେ ଭାଷା ନାହିଁ l ଯେମିତି ପୁରୀର ସମୁଦ୍ରର ଥଣ୍ଡା ପବନକୁ ମୁଁ କେବଳ ଅନୁଭବ କରି ପାରେ ସେମିତି ମନର ଭାବନା କୁ ଅନୁଭବ କଲି l ଆଉ ଠାକୁରାଣୀଙ୍କୁ ମୁଣ୍ଡିଆ ମାରି କହିଲି ଯା ହେଉ ମତେ ଋଣ ମୁକ୍ତ କରିଦେବେ ଏତେ ଦିନ ପରେ l
ମଲୁ ଖୋଜୁ ଥିଲା କାକର ପାଣି
ବଇଦ କହିଲା ଦିଅ ତୋରାଣି
ଏଇ ଢଗଟି ମୁଁ ଖୁସିରେ ଗାଇଲି l ମୁଁତ ମନରେ ସେଇଆ ଭାବୁଥିଲି , ହଳେ ଭଲ ସୁନ୍ଦର କାନ ଫୁଲ ମୋ ସାଙ୍ଗ ପାଇଁ ସେଠୁ କିଣି ଦେବା ପାଇଁ !
ବିଜୁ ନାନୀ ଆଉ ଭାଇନା ନିଜେ ବାଛି ବଡ଼ ସୁନ୍ଦର କାନ ଫୁଲ ହଳେ ଇଲା ପାଇଁ କିଣି କଟକ ନେଲେ l ଇଲା ସପରିବାର ଆସି ସେ କାନ ଫୁଲ ନେଇ ଯାଇଥିଲା l ମୁଁ ଏଠାରୁ ଫୋନ୍ରେ କହିଲି , ଇଲା ମୁଁ ବଡ଼ ଭୁଲ କରିଥିଲି ମାଡ଼ ଖାଇବା ଡରରେ l ମତେ କ୍ଷମା କରିଦେବୁ l ଇଲା କହିଲା ସେ ଜାଣି ପାରିଛି ସବୁ କଥା l ନହେଲେ “ମୁଁ ଏଭଳି କାମ କରି ନଥାନ୍ତି” l ମୁଁ ତାର ଭଲ ସାଙ୍ଗ ବୋଲି କହିବାରୁ ମୁଁ ଆଉରି ଖୁସି ହୋଇଗଲି l

ବସନ୍ତ ଭାଇନା ମତେ ରସିଦ ଆଉ କାନ ଫୁଲର ଫୋଟୋ ପଠାଇ ଥିଲେ କଟକରୁ ଫେରି l ମୁଁ ଭାରି ଖୁସି ହେଲି ତାକୁ ଦେଖି l ଭାବିଲି ଆହା, ବିଜୁ ନାନୀକୁ କହିଥିଲେ ସିଏ ମୋ ପାଇଁ ବି ହଳେ କାନ ଫୁଲ ଆଣି ପାରିଥାନ୍ତା l ପଇସା ତ ତାକୁ ଦେଇ ଥାଆନ୍ତି l ପୁଣି ଭାବିଲି ନାଇଁ ଲୋଭ କରିବା ଭଲ ନୁହେଁ l ଥରେ ତାକୁ ଶାଢ଼ୀ ପାଇଁ କହିଥିଲି ଆଉ ସିଏ ଏକ ଜିଦି କରି ଜମା ପଇସା ନେଲାନି l ଆସି ଘରେ ସୁଧାଂଶୁ ଙ୍କୁ କହିଲି ଜାଣିଲ ଆଜି ମତେ ବିଜୁ ନାନୀ ଆଉ ବସନ୍ତ ଭାଇନା ଋଣ ମୁକ୍ତ କରିଦେଲେ l ସବୁ ଥର ପରି ସୁଧାଂଶୁ ଖବର କାଗଜ ପଢିବାରୁ ମୁହଁ ଉପରକୁ କରି କହିଲେ ଏଇଟା ପୁଣି କୋଉ ଗପ l ତୋର ସବୁ କଥାରେ ଗପ ଯୋଡି ହୋଇ ରହିଛି l ମୁଁ କହିଲି ହଁ , ତୁମେତ ଚୁପ ରହିବା ଲୋକ, ମୁଁ ମୋର କଳ୍ପନାର ଗଳ୍ପ ହେଉ ବା ନିଜ ଅନୁଭୂତି ନେଇ ଷ୍ଟୋରି ହେଉ ତାକୁ ଗୁନ୍ଥି ମାଳ କରି ରଖିବି ଆଉ ଖୁସିରେ ପିନ୍ଧି ବୁଲିବି l ଏବେତ ମୋ ଗପ ଶୁଣିବା ପାଇଁ ଫେସ ବୁକ ରେ କେତେ ଫ୍ରେନ୍ଡ ଅଛନ୍ତି l ସୁଧାଂଶୁ ହସି କହିଲେ ହଉ ଚାଲ ଚାହା ପିଇବା ମିଶି l
ମୋର ପିଲାମାନେ ସବୁ ବଡ଼ ହୋଇ ନିଜ କାମରେ ବ୍ୟସ୍ତ l ଆମେ ଦୁଇ ଜଣ ରହିଗଲୁ ଏଠି ଏକୁଟିଆ ହୋଇ l ଜିବନର ତୃତୀୟ ଅଧ୍ୟାୟ ଆସିଗଲାଣି l ମୋ ମୁହଁ ସୁଧାଂଶୁ ଙ୍କ କାନ୍ଧ ରେ ରଖି କହିଲି ଚାଲ, ଏବେ ମୁଁ ଋଣ ମୁକ୍ତ ଆଉ ଯିବାକୁ ପ୍ରସ୍ତୁତ ଯୁଆଡେ ହେଉ l
ଆଜି ଇଲା ଆଉ ଏଇ ସଂସାରରେ ନାହିଁ l ଆର ବର୍ଷ ସେ ଆମ ମାନଙ୍କୁ ଛାଡି ଏଇ ଦୁନିଆରୁ ଚାଲିଗଲା l ଯା ହେଉ ମତେ ଋଣ ମୁକ୍ତ କରିଥିବା କଥାଟା ମୁଁ ସବୁ ବେଳେ ମନେ ରଖିଛି ଆଉ ମନେ ରଖିବି l ଧନ୍ୟବାଦ ଭାଇନା ଆଉ ବିଜୁ ନାନି l
ଲେଖିକା : ଚନ୍ଦ୍ରା ମିଶ୍ର (GFPS ) ଗାର୍ଲ ଫର୍ମ ପଥୁରିଆ ସାହି









