କିଛି ସ୍ମୃତି (GFPSP)ଗାର୍ଲ ଫ୍ରମ ପଥୁରିଆ ସାହି ପୁରୀ ର କଲମରୁ
:

ମୋ ସାଙ୍ଗ ସୂଚେତାର ବାପା ପୁରୀର ପ୍ରସିଦ୍ଧ ସିନେମା ହଲ୍ ଶ୍ରୀକୃଷ୍ଣ ଟକିଜର ମାଲିକ ଥିଲେ l ପୁରୀରେ ସେଇ ସିନେମା ହଲ୍ ଟି ଭାରି ଭଲ ଥିଲା ଆଉ ନୂଆ ମୋଡେଲରେ ତିଆରି ହୋଇଥିଲା ସେତେବେଳ l ନୂଆ ସିନେମା ଆସିବାର ଦୁଇ ବା ତିନି ସପ୍ତାହ ପର୍ଯ୍ୟନ୍ତ ପ୍ରାୟ ସବୁବେଳେ ହଲ୍ ଟି ପୁରା ଥାଏ l ତାପରେ ହଲ୍ ରେ କେତେ ସିଟ୍ ଖାଲି ରହେ l ସେଇଟା ଆମର ଗୋଲଡେନ ସମୟ l ସୁଚେତା ସିନେମା ହଲ୍ ର ଦୁଆରେ ଟିକେଟ ଆଦାୟ କରିଥିବା ଵାଲା ଲୋକ ନଟୁକୁ ଆଗରୁ କହିଥାଏ ଆମକୁ ଖବର ଦେବାକୁ କି ସିନେମା ହଲ୍ ରେ ସିଟ ଖାଲି ଅଛି ବୋଲି l ଆମେ ପଢିବା ପାଇଁ ବୀଣା ଘରେ ଏକାଠି ବସିଥାଉ l ପଢା, ପଖାଳ , ଆଚାର ଖିଆ ସବୁ ଏକାଠି ଚାଲିଥାଏ l ଯେମିତି ନଟୁ କୁ ଦେଖୁ ବୀଣା ତା ବୋଉକୁ କହେ ଆମେ ସୁଚେତା ଘରକୁ ଇଂରାଜୀ ପଢି ବାକୁ ଯାଉଚୁ l ତାଙ୍କ ଘରେ ଭଲ ଡିକ୍ସନାରୀ ଅଛି l ମାଉସୀ ଭାରି ଭଲ ଆଉ ସରଳ ଲୋକ ଥିଲେ l କହନ୍ତି ଯୁଆଡେ ଗଲେବି ସନ୍ଧ୍ୟା ପୂର୍ବରୁ ନିଜ ଘରକୁ ଫେରି ଆସିବ l
ଆମ ଘରେ ଭାଉଜ ସକାଳର ଖାଇବା ପିଇବା ସାରି ଦୁଇ ପହରେ ବିଶ୍ରାମ ନିଅନ୍ତି l ତେଣୁ ଦିନ ଗୋଟାଏରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ସାହି ଭିତରେ କୋଉଠିକୁ ଯିବାକୁ ମନା ନଥିଲା l ତାପରେ ମୁଁ ତ ସାଙ୍ଗ ହୋଇ ପଢିବାକୁ ଯାଉଥିଲି ବୋଲି ଘରେ କେହି କିଛି କହନ୍ତିନି l ବୀଣାର ବହୁତ ସୁନ୍ଦର ଶାଢ଼ୀ ସବୁ ଥାଏ l ତାର ମନ ବହୁତ ବଡ଼ l ସବୁ ଶାଢ଼ୀ ଆମ ସାମ୍ନାରେ ଆଣି ଥୋଇ ଦିଏ l ମୁଁ ଆଉ ସୁଚେତା ମିଶି ଶାଢ଼ୀ ପିନ୍ଧି ମଡେଲ ଭଳିଆ ଚାଲୁ l ତେବେ ସୂଚେତାକୁ ଶାଢ଼ୀ ପିନ୍ଧିବା ସେତେ ଭଲ ଭାବେ ଜଣା ନଥିଲା l ଆମେ ତାକୁ ସାହାଯ୍ୟ କରୁ l ପ୍ରାୟ ରବିବାର ଦିନ ଏକାଠି ହେଉ ଆମେ ତିନି ଜଣ l ଯେତେବେଳେ ନଟୁ ଆସେ ଆମ ମୁହଁ ଆକାଶର ଚନ୍ଦ୍ର ପରି ଖୁସିରେ ନାଚି ଯାଏ l ତିନି ଜଣ ଯାକ ଯାଉ ସିନେମା ହଲ୍କୁ l ବେଶୀ ଦୂର ନଥିଲା ସିନେମା ହଲ l ସିନେମା ଆରମ୍ଭ ହୋଇଯାଇଥାଏ l ନଟୁ ଟର୍ଚ୍ଚ ଧରି ଆମକୁ ଖାଲି ପଡିଥିବା ସିଟ ଆଡ଼କୁ ନେଇ ଯାଏ l ବେଳେ ବେଳେ ଭାଗ୍ୟ ଭଲ ଥିଲେ ତିନୋଟି ସିଟ ଏକାଠି ମିଳିଯାଏ l ନହେଲେ ଅଲଗା ବସି ଯାଉ l ବାଲକୋନୀର ସିଟ ଆଉ ବିନା ପଇସାରେ l ମୁଁ ତ ଭାରି ଖୁସି ହୁଏ l
ଥରେ “ଦିଲ ଅପନା ଔର ପ୍ରୀତ ପରାୟା ” ସିନେମା ପଡିଥିଲା l ନଟୁ ଠାରୁ ଖବର ଶୁଣୁ ଶୁଣୁ ଆମେ ତିନି ଜଣ ଭାରି ଖୁସିରେ ନାଚି ଗଲୁ l ବୀଣାର ପାଉଡ଼ର, କଜଳ ଲଗେଇ ଜଲ୍ଦି ବାହାରି ଗଲୁ l ବୀଣା ବୋଉଙ୍କୁ କହିଲୁ ସୁଚେତା ଘରେ ଭଲ ଇଂଗ୍ରାଜୀ ଡିକ୍ସନାରୀ ଅଛି l ସେଇଠି ପଢ଼ିବୁ ସନ୍ଧ୍ୟା ପର୍ଯ୍ୟନ୍ତ l ମାଉସୀ ଭାରି ଭଲ ଆଉ ସରଳ ଲୋକ ଥିଲେ l କହୁଥିଲେ ଯୁଆଡେ ଗଲେବି ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସିବ l
ସେଦିନ ଆମ ପାଇଁ ସିନେମା ହଲରେ ତିନୋଟି ସିଟ ଏକାଠି ନଥିଲା l ବୀଣା ଆଉ ସୁଚେତା ପାଖାପାଖି ଦୁଇଟି ସିଟ ରେ ବସିଲେ l ମୁଁ ତିନି, ଚାରି ଧାଡି ଛାଡି ଗୋଟିକିଆ ସିଟରେ ବସିଲି l ଭାରି ଖୁସି ଆଉ ଉଦବେଗ ଲାଗୁଥିଲା l ମିନା କୁମାରୀ ଆଉ ରାଜ କୁମାର ସେ ଫିଲ୍ମ ରେ ଅଭିନୟ କରିଥିଲେ l ମିନା କୁମାରୀ ନର୍ସ ହୋଇଥିଲେ ଘରର ପରିସ୍ଥିତି ନେଇ l ରାଜ କୁମାର ଡାକ୍ତର ହୋଇଥିଲେ l ଦୁହେଁ ପରସ୍ପରଙ୍କୁ ଚାହିଁ ବି ଏକାଠି ହେବାର ପ୍ରଶ୍ନ ନଥିଲା l ଆମ ଆଡର ସିନେମା ପରି ପ୍ରେମଟା ଦୁଃଖରେ ଭରି ହୋଇ ଥିଲା l ହଠାତ୍ ଲାଇଟ ଜଳିବା ଆରମ୍ଭ ହେଲା ଆଉ ଚିନାବାଦାମ ଵାଲାର ଡାକିବା ଶୁଣିଲି l ଇଂଟରମିସନ ଆସିବା ଜାଣି ମୁଁ ସୁଚେତା ଆଉ ବୀଣା ବସିଥିବା ଜାଗାକୁ ଯିବା ପାଇଁ ଉଠିଲି l
ହଟାତ୍ ତଳୁ ଗୋଟିଏ ଛୋଟ ପିଲାର କାନ୍ଦିବା ଶୁଣି ତଳକୁ ଅନେଇଲି l ଆମ ସାହିର ଦେବନ ଭାଇ ସେଠି ବସିଥିବାର ଦେଖିଲି l ସିଏ ଉପରକୁ ମୋ ଆଡ଼କୁ ଅନାଇବାର ଦେଖିଲି l ତାଙ୍କୁ ଦେଖି ମୁଁ ଡ଼ରି ଗଲି l ଦେବନ ଭାଇ ମୋ କୁନା ଭାଇନାର ବଡ଼ ସାଙ୍ଗ l ନିଶ୍ଚୟ ଭାଇନାକୁ କହିବେ ମୁଁ ସିନେମା ଯାଇଥିଲି ବୋଲି l ମୁଁ କିଛି ନଭାବି ଭିଡ଼ରୁ ଆଡେଇ ହୋଇ ଡିଆଁ ମାରି ବାହାରକୁ ଆସିଲି l ହରିଣ ବାଘକୁ ଦେଖି ଦୌଡିଲା ପରି ମୁଁ ଦୌଡ଼ି, ଦୌଡ଼ି ଆସି ଆମ ପଥୁରିଆ ସାହି ହାତଯୋଡ଼ି ଠାକୁରାଣୀଙ୍କ ଦେଉଳ ପାଖେ ପହଂଚିଲି l ସେଠି ମୁଣ୍ଡିଆ ଟିଏ ମାରି ହାତ ଯୋଡି କହିଲି ମା, ମୁଁ କାଲି ଘିଅ ଦୀପ ଟିଏ ଜଳେଇବି ଆଉ ନାଲି ମନ୍ଦାର ଫୁଲଟିଏ ଚଢେଇବି ତୁମ ପାଖରେ l ଦେବନ ଭାଇ ମତେ ନଦେଖି ଥାଆନ୍ତୁ l
ମନେ, ମନେ ଭାବୁ ଥାଏ ସୁଚେତା ଆଉ ବୀଣା ମତେ ନିଶ୍ଚୟ ଖୋଜିବେ ? ତେବେ କୁନା ଭାଇନା ଜାଣିଲେ କାଳେ ମତେ ମାରିବ ଭାବି ଚୁପ ରହିଲି l ଏବ ଭଳି କଣ ସେତେବେଳେ ଫୋନ ଥିଲା ଯେ ରିଙ୍ଗ କରି କହି ଦେଇ ଥାଆନ୍ତି? ରାତି ସାରା ଅନେଇ ଥାଏ ସକାଳ ହେଲେ ଯାଇ ସୂଚେତାକୁ କହି ଦେବି l ତା ଘର ଆମ ଘରଠୁ ବେଶୀ ଦୂର ନଥିଲା l ପର ଦିନ ସୁଚେତା ମତେ ତାଙ୍କ ଦୁଆରେ ଦେଖି ପଚାରିଲା , ତୁ ଅଦ୍ଭୁତ ସାଙ୍ଗ l ଆମେ ତତେ କେତେ ଖୋଜିଲୁ? କୁଆଡେ ଗାଏବ୍ ହୋଇଗଲୁ ? କହିଲୁନି ଆମକୁ କିଛି ? କେମିତି ସାଙ୍ଗ ତୁ ? ମୁଁ କାନ୍ଦି ପକେଇଲି ଆଉ ତାକୁ କହିଲି ସବୁ କଥା l ସୁଚେତା ର ମନ ଭାରି କୋମଳ l ମତେ ଡାକି ନେଇ କହିଲା ଠିକ ଅଛି l ଗଲାଣିତ ଗଲା କଥାତ ଚନ୍ଦୁ , ଆଉ ବେଶୀ ଭାବେନି ! ଚାଲେ ବରକୋଳି ଖାଇବା l
ଅନେକ ଦିନ ପରେ ମୁଁ ମୁମ୍ବାଇ ରୁ ଆମ ଘରକୁ ଯାଇ ଥିଲି l ଦେବନ ଭାଇ ଭଲ ଖଡି ମୂର୍ତି ତିଆରି କରନ୍ତି l ସେମାନେ ପଥୁରିଆ ଘର ଲୋକ l ଭାବିଲି ତାଙ୍କଠୁ ମୂର୍ତି କେତୋଟି କିଣି ନେବି ଘର ସଜାଇବା ପାଇଁ l ମତେ ସିଏ ତାଙ୍କ ଗଢା ସବୁ ଭଲ, ଭଲ ମୂର୍ତି ଦେଖେଇଲେ l ମୁଁ ଦୁଇଟି ମୂର୍ତି ବାଛିଲି l ମୂର୍ତି ଦୁଇଟିକୁ କାଗଜରେ ଯତ୍ନରେ ବାନ୍ଧିଲା ପରେ କହିଲେ ଏଇ ନେ l ମୁଁ କେତେ ପଇସା ଦେବି ବୋଲି ପଚାରିଲି l ମତେ ଅନାଇ କହିଲେ ଚନ୍ଦୁ ସତରେ ତୁ ସେଦିନ ସିନେମାରେ ନଥିଲୁ? ମୁଁ ହସି କହିଲି ହଁ, କିନ୍ତୁ ତୁମକୁ ତଳେ ଦେଖି ମୁଁ ଅଧାରୁ ଘରକୁ ଦୌଡ଼ି ଫେରି ଆସିଲି l କାଳେ ଭାଇନାକୁ କହି ଦେବ ବୋଲି l ମାଡ଼ ପଡି ଥାଆନ୍ତା ? ଭଲ ଫିଲ୍ମ ଅଧା ଦେଖିଲି ତୁମ ଯୋଗୁ l
ପଇସା ଦେଲା ବେଳେ ଦେବନ ଭାଇ କହିଲେ ନାଁ ପଇସା ଆଉ କଣ ନେବି , ସେ ପଇସାରେ ଆଉ ଥରେ ତୁ ଜୋଇଁ ଙ୍କ ସହିତ ସେ ଫିଲ୍ମ ଟା ଦେଖି ଯିବୁ l ତାଙ୍କ ସଂଗେ ମୋର ଆଉ କେବେ ଦେଖା ହୋଇନି l ଯେତେବେଳେ “ଦିଲ ଅପନା ପ୍ରୀତ ପରାଏ ” ର ଗୀତ ଶୁଣେ ବା ସେ ଫିଲ୍ମ ଦେଖେ ସୁଚେତା, ବୀଣା ଆଉ ଦେବନ ଭାଇ ମନେ ପଡି ଯାଆନ୍ତି l ମୂର୍ତି ଯୋଡିକ ମୁଁ ଆମେରିକା ମୋ ସଂଗେ ଆଣି ରଖିଛି ପିଲା ଦିନର ସେ ସରଳ ସ୍ମୃତି ସବୁ ମୋ ମନରେ ସାଇତି ରଖି ପାଠକ , ପାଠିକା ମାନଙ୍କ ପାଇଁ ଗପ ଲେଖେ l ଆଶା ଭଲ ଲାଗିବ ପଢିବାକୁ l







