💕ମୋ ସ୍ମୃତିରୁ ଆଉ ଗୋଟିଏ ଛୋଟ ଗପ : ମନେ ପଡେ ଆମେରିକାରେ ମୋର ପ୍ରଥମ ଡ୍ରେସ କିଣା ଓ ମୋର ସାଇଜ ବିଷୟରେ ନିର୍ବୋଧପଣ💕

୧୯୭୭ ରେ ମୁଁ ଆମେରିକା ଆସିଲି। ମୁଁ ଓଡିଶା ଓ ମୁମ୍ବଇରେ ସେପର୍ଯ୍ୟନ୍ତ ସବୁ ବେଳେ ଶାଢ଼ୀ ପିନ୍ଧୁ ଥିଲି। ବୋଧେ ମତେ ତେର ବର୍ଷ ହେଲା ପରେ ଘରେ ବାପା, ଗୋସେଇଁ ମା କହିଲେ ଏଥର ଶାଢ଼ୀ ପିନ୍ଧିବାକୁ ପଡିବ। ସେଥିରେ ମୋର ଆପତ୍ତି ନଥିଲା। କାରଣ ଆମ ସାଇରେ ଥିବା ପଥୁରିଆ ଝିଅମାନେ ମୋ ପୂର୍ବରୁ ଶାଢ଼ୀ ପିନ୍ଧା ଆରମ୍ଭ କରିଥିଲେ। ଆମେ ଶାଢ଼ୀ ପିନ୍ଧି ଚାଉଳିଆ ଗଛରେ ଚଢୁଥିଲୁ। ନରେନ୍ଦ୍ର ପୋଖରୀ ରେ ଚନ୍ଦନ ଯାତ୍ରା ବେଳେ ପହଁରି ଆସୁଥିଲୁ ଗୋଟେ ମୁଣ୍ଡରୁ ଆର ମୁଣ୍ଡ ପର୍ଯ୍ୟନ୍ତ। ତେଣୁ କିଛି ଖରାପ ଲାଗୁ ନଥିଲା। ବାହାଘର ପରେ ମୁଁ ଓଡିଶା ବାହାରେ ରହିଲି।ସେତେବେଳେ ମୋ ବୟସର ଝିଅ ମାନେ ସାଲୱାର୍ କମିଜ଼ ପିନ୍ଧୁ ଥିଲେ। ମୋର ଶାଢ଼ୀ ପିନ୍ଧିବାରେ ଏତେ ଅଭ୍ୟାସ ଥିଲା ଯେ ମୁଁ ଶାଢ଼ୀ ପିନ୍ଧିବାକୁ ପସନ୍ଦ କରୁ ଥିଲି। ମୋ ସ୍ୱାମୀ ସୁଧାଂଶୁ ଙ୍କୁ ବି ମୁଁ ଶାଢ଼ୀ ପିନ୍ଧିଲେ ଭଲଦେଖା ଯାଏ ବୋଲି କହୁଥିଲେ, ତେଣୁ କେବଳ ଶୋଇଲା ବେଳେ ମାକ୍ସିଟେ ପିନ୍ଧେ, ଯେମିତି ଓଡ଼ିଶାରେ ମୋ ବୟସର ଝିଅ ପିଲାମାନେ ପିନ୍ଧୁଥିଲେ ସେତେବେଳେ ।

ମୁଁ ଶାଢ଼ୀ କିଣିଲା ପରେ ପାଖ ବ୍ଲାଉସ ଦୋକାନକୁ ଯାଇ ମ୍ୟାଚିଙ୍ଗ ବ୍ଲାଉସ ପିସ କିଣେ ଓ ସେଇଠି ଦରଜି ପାଖରେ ବ୍ଲାଉସ ତିଆରି ପାଇଁ ବରାଦ ଦିଏ। ଦରଜି ମୋ ମାପ ନିଏ ଓ କେବେ ଆସି ବ୍ଲାଉସ ନେଇଯିବି ବୋଲି କହେ। ତେଣୁ ମୋର ସାଇଜ କଣ ମୁଁ କେବେ ଜାଣି ନଥିଲି। ସାୟା ମୁଁ ପ୍ରାୟ ଗୋଟିଏ ସାଇଜ୍ ଯାହା ସମସ୍ତଙ୍କୁ ଫିଟ ହୁଏ ତାହା କିଣେ। ତେଣୁ କେବଳ ଶାଢ଼ୀର କ୍ୱାଲିଟି, କଲର୍ ଛଡା ମୁଁ ଆଉ କେଉଁଥିକୁ ଗୁରୁତ୍ୱ ଦେଉ ନ ଥିଲି ।

ଚିକାଗୋ ଆସିଲା ପରେ ମୁଁ ଦେଖିଲି ମୋ ଭଳି ଶାଢ଼ୀ ପିନ୍ଧିବା ଲୋକ ଏଠି ବହୁତ କମ। ଗାଡି ଚଲେଇବାକୁ ପଡିଲା, ଘର ପାଇଁ ଗ୍ରସରି ଆଉ ପିଲାଙ୍କୁ ସ୍କୁଲ ନେବାପାଇଁ । ଶାଢୀ ପିନ୍ଧି ଗାଡି ଚଲେଇବାକୁ ଡର ମାଡୁ ଥିଲା। କାଳେ ଛନ୍ଦି ହୋଇ ବ୍ରେକ୍ ବଦଳରେ ଆକସେଲେରେଟ୍ ରେ ଗୋଡ଼ ମାରିଦେବି ବୋଲି। ତାହାଲେ ସରିଲା କଥା। ଆମ ଦେଶରେତ ମତେ ଗାଡି ଚଲାଇବାକୁ ପଡୁ ନଥିଲା। ସବୁ ଘର କାମ ସହିତ ଏ କାମ କରିବା ବିନା ଚାରା ନଥିଲା l

ଶୀତ ଦିନ ଯୋଗୁ ଶାଢୀ ଉପରେ ଯେତେ ସ୍ବେଟର୍ ପିନ୍ଧିଲେ ବି ଭାରି ଥଂଡା ଲାଗୁଥିଲା। ଭାବିଲି ସୁଧାଂଶୁ ଙ୍କୁ କହି ୨ ଖଣ୍ଡ ପ୍ୟାଣ୍ଟ ଓ ୨ ଖଣ୍ଡ ଟପ୍ସ କିଣିବି , ତାହାଲେ ସୁବିଧା ହେବ। ଦିନେ କହିଲି ସାଙ୍ଗରେ ଯିବା ଚାଲ ମୁଁ ଲୁଗା କିଣିବି। କହିଲେ ମତେ ସେ ସବୁ ଜଣା ନାହିଁ। ତୁମେ ପଡିସା ଘରର କୋଉ ସ୍ତ୍ରୀ ଙ୍କୁ ପଚାରି ତାଙ୍କ ସଂଗେ ଯାଅ। ଭାରି ଚିଡ ମାଡିଲା ମତେ। କାନ୍ଦ କାନ୍ଦ ହୋଇଗଲି। ମୋର କେତେ ସାଙ୍ଗ ମୁମ୍ବାଇରେ ଥିଲେ। ମୁଁ କେବେ ତାଙ୍କୁ ବଜ଼ାର ଯିବାକୁ ବା ଲୁଗା ଦୋକାନକୁ ଯିବାକୁ କହେନି। ଏଠି ତ ଥଂଡା ଯୋଗୁ କୁଆ କି କୋଇଲଟି ଏ ବି ଦେଖା ଯାଉନି। କାହାକୁ କହିବି ? ମନକଥା ମନରେ ରଖି ବାପାଙ୍କ ଉପରେ ଚିଡ଼ିଲି। ଏଇ ଫରେନ୍ ଵାଲା ଜୋଇଁ ନକରି ଥିଲେ ମୁଁ କେତେ ଖୁସି ରେ ଥାଆନ୍ତି ଆମ ଭୁବନେଶ୍ୱର ବା ମୁମ୍ବାଇରେ। କଣ ନେଫେଡା ଖାଇବାକୁ ଏ ରାଜ୍ୟକୁ ଆସିଲୁ ? ଭାବୁ ଭାବୁ ଆଖି ପିତା ବୁଜି ହୋଇ ଯାଇଥିଲା। ଝିଅ ଆସି ଉଠେଇ କହିଲା ମମି , ପାପା ଆସିଲେଣି । ସତରେ ବହୁତ ସମୟ ଶୋଇ ପଡ଼ିଥିଲି। ଆଖି, ମୁହଁ କୁ ପାଣିରେ ଧୋଇ ଆସିଲି। ତର ତର କରି ଡ଼ାଲିଲେ ଛୁଙ୍କ ଦେଲି। ତାପରେ ପିଲାଙ୍କୁ ଖାଇବାକୁ ଦେଲା ପରେ ଆମେ ଦୁହେଁ ଖାଇବସିଲୁ। ମୁଁ ପଚାରିଲି କାମ କେମିତି ଚାଲିଛି? ଖାଉ ଖାଉ କହିଲେ କଣ ଗୋଟେ ଏକ୍ସପେରିମେଣ୍ଟରେ ଠିକ ରେଜଲଟ୍ ଆସୁନି। ଭାରି ଚିନ୍ତିତ ଥିଲାପରି ଲାଗିଲା। ମନେ ମନେ ଭାବିଲି ମୁଁ ତାଙ୍କ କାମର ଅସୁବିଧା ବୁଝୁନି। ସବୁବେଳେ ଭାବୁଛି ମୋର କଣ କିଣା ହେଲା ନହେଲା ବୋଲି। କଥା କଥାରେ ତାନା ଶୁଣେଇ ଦଉଚି ମୋର ଏଇଟା ନାହିଁ, ସେଇଟା ଦରକାର। ଆମ ଚାରି ଜଣ ଙ୍କର ଭଲ ହେଉ ବୋଲି କେତେ କଷ୍ଟ କରି ସିଏ ଆମେରିକା ରେ ପହଁଚିଛନ୍ତି ସାଧରଣ ଘରୁ ଆସି।

ମୁଁ ଆଉ ଟିକିଏ ପାଖକୁ ଘୁଂଚି ଆସିଲି । ମୁଁ ହସି କହି ବାକୁ ଚାହୁଁ ଥିଲି ମୁଁ ଅବୁଝା ଭଳି ହେଲେ ବି ବୁଝୁଛି । ଭାବିଲି ପଛପଟୁ ଯାଇ ବେକରେ ଓହଳି ପଡି ଚୁମ୍ବନ ଟିଏ ଦେବି, ଯେମିତି ହେମା ମାଳିନୀ ଦେବାନନ୍ଦକୁ ଦେଇ ଥିଲା ଫିଲ୍ମ ରେ। ହଠାତ୍ ସୁଧାଂଶୁ କହିଲେ, ସିଏ ତାଙ୍କ ସାଙ୍ଗ “କୁଳ ଭୂଷଣ” କୁ କହିଛନ୍ତି। ତାଙ୍କ ସ୍ତ୍ରୀ ମୋ ସାଙ୍ଗେ ଯାଇ ମତେ ପ୍ୟାଣ୍ଟ , ଟପ୍ କିଣିବାରେ ସାହାଯ୍ୟ କରିବ। ମୁଁ ପୁଣି ଭାବନାରେ ଆଗକୁ ଚାଲିଗଲି। ଭାବିଲି ସତରେ ସୁଧାଂଶୁ କେତେ ଭଲ ଲୋକ । ମୋ ପାଇଁ ଏତେ କାମ ଭିତରେ ବି ତାଙ୍କ ସାଙ୍ଗକୁ ମୋର ସାହାଯ୍ୟ ଦରକାର ବୋଲି କହିଛନ୍ତି। ଖାଇଲା ପରେ ପିଲା ମାନେ ଟି. ଭି ପାଖରେ ବସି ଥାଆନ୍ତି। ମୁଁ ସୁଧାଂଶୁଙ୍କୁ ଶୋଇବା ଘରକୁ ଡାକି ନେଇ ଗଲି। ସେଠି ବହୁତ ଜୋରରେ ଗୋଟିଏ ଚୁମାଟିଏ ଦେଲି। କହିଲି ତୁମେ ମୋ କଥା କେତେ ଭାବୁଛ ! ଆଜି ମୁଁ ବି ସେତିକି ଚକ୍ରବୃଧି ସୁଧ ସହିତ ଫେରେଇ ଦେଲି। ସିଏ ମତେ ଟିକିଏ ଛାତି ପାଖକୁ ଟାଣି ନେଇ କହିଲେ ବଦମାସ୍ । ମୁଁ ତଳକୁ ଅନେଇ କହିଲି ସେଇତି ପାଇଁ ତ ମତେ ପସନ୍ଦ କଲ? ଅନ୍ଧାରରେ ବେଶୀ କିଛି ଦେଖା ଯାଉ ନଥିଲା, କିନ୍ତୁ ମୁଁ ତାଙ୍କ ଦେହ ମୋ ଦେହର ବହୁତ ପାଖରେ ଥିବା ଅନୁଭବ କରୁଥିଲି ଆଉ ମୋର ଦେହର ଲୁଗା ଧୀରେ ଧରେ ଗୋଟିଏ ଗୋଟିଏ ହୋଇ କମ୍ ହୋଇ ଯାଉଥିଲା। ମୋର କିଛି ଆପତ୍ତି ନଥିଲା l

ଦୁଇ ଦିନ ପରେ କୁଲ ଭୁଷଣଙ୍କ ସ୍ତ୍ରୀ ମାରିଆ ମତେ କଲ୍ କଲେ ଆଉ କହିଲେ ସିଏ ମୋ ସାଙ୍ଗେ ଶନିବାର ଦିନ ଶପିଂ ପାଇଁ ଯିବେ। ମୋର ଡ୍ରେସ୍ କିଣିବା ପାଇଁ ଯାହା ସାହାଯ୍ୟ ଦରକାର ସେଥିରେ ସହାୟତା କରିବେ। ମୁଁ ମନେ ମନେ ଭାରି ଖୁସି ହେଲିଯେ ଯା ହେଉ ଏ ଦୂର ଦେଶରେବି ଲୋକ ମାନେ ସାହାଯ୍ୟ କରିବାକୁ ଅଛନ୍ତି । ମୁଁ ଶନିବାର ଦିନ ଦୁଇପହର ଖାଇବା ଖାଇ ମାରିଆ ଙ୍କୁ ଅପେକ୍ଷା କଲି l ପିଲା ମାନେ ସୁଧାଂଶୁ ଙ୍କ ପାଖରେ ରହିବେ , ତେଣୁ ଭାବିଲି ଡ୍ରେସ୍ କିଣିବା କାମଟା ଶାନ୍ତିରେ ହେବ। ମାରିଆ ଠିକ ସମୟରେ ଆସି ଆମ କଲିଙ୍ଗ ଵେଲ ବଜେଇଲେ। ମୁଁ ତର ତର କିନା ବାହାରି ଗଲି ପିଲାଙ୍କୁ ବାଇ ବାଇ କହି।

ମାରିଆ ଗାଡି ଭାରି ଆରାମରେ ଚଲାଉ ଥାଆନ୍ତି। କଥା ବି କହୁ ଥାଆନ୍ତି ଗାଡି ଚଲାଇବା ବେଳେ। ମୋ ଭଳି ଟେନ୍ସ ଦେଖା ଯାଉ ନଥିଲେ। ମୁଁ ବାଟରେ ନାନା ପ୍ରଶ୍ନ କରୁଥିଲି। ଗପୁଡିତ, ଅଭ୍ୟାସ ଜଲ୍ଦି ବଦଳିବ କେମିତି? କଥା ହେଲା ବେଳେ ସିଏ କହିଲେ କୁଲ ଭୁଷଣ ଙ୍କୁ ଗ୍ରାଜୁଏଟ୍ ସ୍କୁଲରେ ଭେଟିଥିଲେ। ସେମାନ ପିଲା ହେବା ପାଇଁ ଚେଷ୍ଟା କରୁଛନ୍ତି। କିନ୍ତୁ “ନୋ ଲକ” ଏପର୍ଯ୍ୟନ୍ତ। ମତେ ମୋ କଥା ପଚାରିଲେ। ମୁଁ କହିଲି ଆମରତ ବହୁତ ଜଲ୍ଦି ପିଲା ହେଲେ। ଆମର ବୟସରେ ଫରକ ଥିବାରୁ ପିଲା ଜଲ୍ଦି ହେଲେ ସେମାନେ ସୁଧାଂଶୁଙ୍କ ଚାକିରୀ ଭିତରେ ବଡ଼ ହୋଇ ଯିବେ ବୋଲି ଭାବିଲୁ। ସେତେବେଳେ ପ୍ରାୟ ସମସ୍ତଙ୍କର ଦୁଇଟି ପିଲା ହେଉଥିଲେ । ତେଣୁ ଏବିଷୟରେ ଭାବି ନଥିଲି ଆଗକୁ।

କଥାରେ କଥାରେ ସମୟ କଟି ଗଲା ଓ ଦୋକାନ ଆସିଗଲା। ଆମେ ଦୁହେଁ ଗାଡି ପାର୍କ କରି ଦୋକାନରେ ପଶିଲୁ। ଏହା ପୂର୍ବରୁ ମୁଁ କେବଳ ଥରେ ବା ଦୁଇଥର ମୁମ୍ବାଇ ରେ ଶହକାର ଭଣ୍ଡାର ଡ଼ିପାର୍ଟମେଣ୍ଟ ଷ୍ଟୋର ଯାଇଥିଲି। ଏଠିକାର ମଲ୍ ରେ ଲୁଗା ଦୋକାନ ସବୁ ଦେଖି ମୋ ଆଖି ଖୋସି ହୋଇଗଲା। ଧାଡି ଧାଡି ବିଭିନ୍ନ ପ୍ରକାର ଡ୍ରେସ, ସାର୍ଟ , ପ୍ୟାଣ୍ଟ , ଟପସ୍ ଓ ବ୍ରା ଇତ୍ୟାଦି ଲାଇନରେ ସଜଡା ହୋଇ ଥୁଆ ହୋଇ ଥାଏ। କେହି ଦୋକାନୀ ବସି ବିକିବାର ଦେଖିଲିନି ଯେମିତି ଆମ ଭୁନେଶ୍ୱର ବା ମୁମ୍ବଇରେ ଦେଖିଥିଲି। ମାରିଆ କସମେଟିକ୍ ଆଡେ ଗଲେ ମତେ ଡ୍ରେସ ଜାଗାରେ ଛାଡି। ବହୁତ ଭଲ ପ୍ୟାଣ୍ଟ , ଟପ୍ସ ସବୁ ଥାଏ। ମୁଁ ହାତ ଲଗେଇ ସବୁ ଦେଖିଲି। କଳା, ଧଳା, ଅନ୍ୟ ରଙ୍ଗର ବିଭିନ୍ନ ପ୍ରକାର ଟପ୍ସ ,ପ୍ୟାଣ୍ଟ ଦେଖିଲି। ମୁଁ ଡ୍ରେସ ପଟକୁ ନ ଯାଇ କେବଳ ପ୍ୟାଣ୍ଟ ଆଉ ଟପ୍ସ ଜାଗାରେ ରହିଲି। କାରଣ ମୁଁ ସେଇ ଜିନିଷ କିଣିବାକୁ ନିଶ୍ଚିତ କରି ଘରୁ ଆସିଥିଲି। ସବୁ ଲୁଗାକୁ ଦେଖିଲା ପରେ ଜାଣିବି କୋଉଟା ମତେ ଠିକ ଲାଗିବ। ସୁଧାଂଶୁ ୫୦ ଡ଼ଲାର ଦେଇ ଥିଲେ। ମୁଁ ପ୍ୟାଣ୍ଟ ଆଉ ଟପ୍ସ ର ଷ୍ଟାଇଲ ଯାହା ଭଲ ଲାଗିଲା ତାହା ଦୁଇ ହଳ କିଣିବାକୁ ଭାବିନେଇ ଥିଲି । ତାପରେ ଭାବିଲି ଆରେ ମୁଁତ ଜାଣିନି ମୋର ସାଇଜ଼୍ କଣ, କେତେ ନମ୍ବର ବୋଲି। ଭାବିଲି ବୋଧେ କାହାକୁ ପଚାରି ଦେବି। କିନ୍ତୁ କେହି ଲୋକ ଦେଖାଯାଉ ନଥିଲେ। ଦୂରରେ ଚେକଆଉଟ୍ କ୍ୟାସିଅର୍ ମାନଙ୍କୁ ଦେଖିଲି କିନ୍ତୁ ସେଠିତ ଲୋକ କେବଳ ପଇସା ଦେଇ ଜିନିଷ କିଣୁଥିଲେ। ବୋଧେ ଆମ ଆଡ଼ ଭଳି ଦର୍ଜୀ ଟିଏ ଖୋଜୁ ଥିଲି ମନେ ମନେ ଯିଏ ମତେ କହିଦେବ ମୋର ସାଇଜ଼୍ କଣ ?

ବୁଲି ବୁଲି ମୋର ଗୋଡ଼ ବିନ୍ଧା ଆରମ୍ଭ ହୋଇଗଲା। ମନେ ମନେ ବିରକ୍ତ ବି ଲାଗୁଥିଲା। ଦେଖିଲି ମାରିଆ ହାତରେ ଦୁଇଟା ହେୟାର କଲର ଡିବା ଧରି ଆସିଲେ l ମତେ ପଚାରିଲେ ” ରେଡି ଫର ଚେକ ଆଉଟ୍ “? ମୁଁ ତାଙ୍କ ମୁହଁକୁ ବକ ବକ କରି ଚାହିଁ କଣ କହିବି ଭାବୁଥିଲି, ସିଏ କହିଲେ , ଚନ୍ଦ୍ରା, କଣ ହେଲା? ମୁଁ ଜୋରରେ କହିଲି ପ୍ୟାଣ୍ଟ, ଟପ୍ସ ତ ମୁଁ ବାଛିଚି, କିନ୍ତୁ ମୋର ସାଇଜ଼ ମୁଁ ଜାଣିନି? ଏଠି କାହାକୁ ପଚରିବା ପାଇଁ ଦେଖୁନି? ମାରିଆ ହସି କହିଲଲେ , “ଲେଟ ଅସ୍ ଗୋ ଟୁ ଫିଟିଙ୍ଗ୍ ରୁମ” । ସେଇଟା ପୁଣି କଣ ମୁଁ ମନେ ମନେ ଭାବିଲି? ତେବେ ତାଙ୍କ ପଛେ ପଛେ ଗଲି ଲୁଗା ତକ ଧରି ଧରି। ସିଏ ଆଉ ଯୋଡ଼େ ବା ତିନିଟା ସେଇ ପ୍ରକାର ପ୍ୟାଣ୍ଟ, ଶାର୍ଟ କାଢି ଆଣିଲେ ଓ ସବୁ ଲୁଗା କୁ ଗୋଟେ ଟ୍ରଲି ରେ ଧରି ଜୋର ଜୋରରେ ଫିଟିଙ୍ଗ ରୁମ ଆଡେ ଗଲେ l

ମତେ ଗୋଟେ ଛୋଟିଆ ରୁମ୍ (ଫିଟିଙ୍ଗ) ରେ ପଶି ସବୁ ପ୍ୟାଣ୍ଟ ଶାର୍ଟ କୁ ଗୋଟି ଗୋଟି କରି ପିନ୍ଧି ବାହାରକୁ ଆସିବାକୁ କହିଲେ ତାହେଲେ ସିଏ ଦେଖିପାରିବେ କୋଉଟା ଫିଟ ହଉଚି ବୋଲି । ଦୋକାନରେ ପୁରା ଲୁଗା ଖୋଲି ଆଉ ନୂଆ ଲୁଗା ଟ୍ରାଇ କରିବାକୁ ମତେ ଟିକିଏ ଅଡୁଆ ଲାଗିଲା। କାଳେ କିଏ ଦେଖିବ। ମାରିଆ କହିଲେ ରିଲାକ୍ସ। କେହି ଆସିବେନି ଏଠିକୁ। ମୁଁ ତାଙ୍କ କଥା ଶୁଣି ଗୋଟାକ ପରେ ଗୋଟେ ଲୁଗା ପିନ୍ଧି ବାହାରକୁ ଆସି ତାଙ୍କୁ ଦେଖେଇଲି । ସେ ମତେ ପଚାରୁ ଥିଲେ ଏଇଟା କେମିତି ଫିଟ ହେଉଛି। ସାତ ବା ଆଠ ହଳ ଲୁଗା ଚେଷ୍ଟା କରିବା ପରେ ଦୁଇଟି ପ୍ୟାଣ୍ଟ ଆଉ ଦୁଇଟା ଶାର୍ଟ ହାତରେ ଧରିଲି।

ମାରିଆ ଟ୍ୟାଗ ପ୍ୟାଣ୍ଟ ଆଉ ଟପ୍ସ ଭିତରୁ କାଢି ମତେ ଦେଖେଇଲେ l ପ୍ୟାଣ୍ଟ ରେ ଛ (M) ଲେଖା ହୋଇଥିଲା। ସିଏ କହିଲେ ତା ମାନେ ତୁମ ସାଇଜ ଛ ଆଉ ଲମ୍ବା ମିଡ଼ିଅମ । ଟପ୍ସ ରେ କେବଳ (M) ଲେଖା ଦେଖିଲି। ତା ମାନେ ମୋର ସାଇଜ ମିଡ଼ିଅମ? ସେ ହସି କରି କହିଲେ , “ୟୁ ଗଟ ଇଟ “l ପୁଣି ଥରେ ସବୁ ଲୁଗା ପିନ୍ଧିଲି । ସବୁ ଭଲ ଆଉ ଠିକ ଲାଗିଲା ପ୍ୟାଣ୍ଟ ଆଉ ଶାର୍ଟ। ସେଇଟା ମୋର ପ୍ରଥମ ଶିକ୍ଷା ପ୍ୟାଣ୍ଟ ଆଉ ଶାର୍ଟ ର ସାଇଜ଼ ଜାଣିବା ବିଷୟରେ। ମାରିଆ ମତେ ଘରେ ଛାଡି ଚାଲିଗଲେ l

ତାଙ୍କ କହିବା ଅନୁସାରେ ସିଏ କୁଲଭୂଷଣ ଙ୍କର ମା ଆଉ ଭଉଣୀ ସହିତ ଏଇ ସାଇଜ଼ ଟ୍ରାଏଲ ର ଅନୁଭୂତି ପାଇଥିଲେ ଯେତେବେଳେ ସେମାନେ ଆସିଥିଲେ ବୁଲିବାକୁ ଆମେରିକା। ମତେ ସେକଥା ଶୁଣି ଖୁସି ଲାଗିଲାଯେ କେଵଳ ଆମ ଓଡ଼ିଆ ସ୍ତ୍ରୀ ମାନଙ୍କର ଏଇ ଅସୁବିଧା ଥିଲା ବୋଲି ନୁହେଁ। ଆସି ସାଂଗେ , ସାଂଗେ ମୋ ଛୋଟ ଡାଏରୀରେ ମୋ ପ୍ୟାଣ୍ଟ ଆଉ ଶାର୍ଟର ନମ୍ବର ଲେଖିଦେଲି। ସେ କଥା ମନେ ପଡିଲେ ଏବେବି ହସ ମାଡ଼େ। ଏବେତ ମୋ ସାଇଜ଼ ବଦଳି ଗଲାଣି ା ଆଉ ଏବେ ଦରଜି ଖୋଜି ବୁଲେନି ମୋ ଆଖି, ଦୋକାନରେ। ସେଇଟା ସେଵର କଥା। ଵର୍ତମାନ ପିଲାମାନେ ସବୁ ଗୁଗୁଲ ଦ୍ୱାରା ଜାଣୁଛନ୍ତି।

💕ମୋ ସାଙ୍ଗ ସୁଚେତା, ବୀଣା ସାଙ୍ଗେ ଘରେ ନକହି ମାଗେଣାରେ ଶ୍ରୀକୃଷ୍ଣ ସିନେମା ହଲ୍ ରେ ବସି ସିନେମା ଦେଖିବାର ଅନୁଭୂତି💕

❤️କିଛି ସ୍ମୃତି (GFPSP)ଗାର୍ଲ ଫ୍ରମ ପଥୁରିଆ ସାହି ପୁରୀ ର କଲମରୁ❤️ :


ମୋ ସାଙ୍ଗ ସୂଚେତାର ବାପା ପୁରୀର ପ୍ରସିଦ୍ଧ ସିନେମା ହଲ୍ ଶ୍ରୀକୃଷ୍ଣ ଟକିଜର ମାଲିକ ଥିଲେ l ପୁରୀରେ ସେଇ ସିନେମା ହଲ୍ ଟି ଭାରି ଭଲ ଥିଲା ଆଉ ନୂଆ ମୋଡେଲରେ ତିଆରି ହୋଇଥିଲା ସେତେବେଳ l ନୂଆ ସିନେମା ଆସିବାର ଦୁଇ ବା ତିନି ସପ୍ତାହ ପର୍ଯ୍ୟନ୍ତ ପ୍ରାୟ ସବୁବେଳେ ହଲ୍ ଟି ପୁରା ଥାଏ l ତାପରେ ହଲ୍ ରେ କେତେ ସିଟ୍ ଖାଲି ରହେ l ସେଇଟା ଆମର ଗୋଲଡେନ ସମୟ l ସୁଚେତା ସିନେମା ହଲ୍ ର ଦୁଆରେ ଟିକେଟ ଆଦାୟ କରିଥିବା ଵାଲା ଲୋକ ନଟୁକୁ ଆଗରୁ କହିଥାଏ ଆମକୁ ଖବର ଦେବାକୁ କି ସିନେମା ହଲ୍ ରେ ସିଟ ଖାଲି ଅଛି ବୋଲି l ଆମେ ପଢିବା ପାଇଁ ବୀଣା ଘରେ ଏକାଠି ବସିଥାଉ l ପଢା, ପଖାଳ , ଆଚାର ଖିଆ ସବୁ ଏକାଠି ଚାଲିଥାଏ l ଯେମିତି ନଟୁ କୁ ଦେଖୁ ବୀଣା ତା ବୋଉକୁ କହେ ଆମେ ସୁଚେତା ଘରକୁ ଇଂରାଜୀ ପଢି ବାକୁ ଯାଉଚୁ l ତାଙ୍କ ଘରେ ଭଲ ଡିକ୍ସନାରୀ ଅଛି l ମାଉସୀ ଭାରି ଭଲ ଆଉ ସରଳ ଲୋକ ଥିଲେ l କହନ୍ତି ଯୁଆଡେ ଗଲେବି ସନ୍ଧ୍ୟା ପୂର୍ବରୁ ନିଜ ଘରକୁ ଫେରି ଆସିବ l


ଆମ ଘରେ ଭାଉଜ ସକାଳର ଖାଇବା ପିଇବା ସାରି ଦୁଇ ପହରେ ବିଶ୍ରାମ ନିଅନ୍ତି l ତେଣୁ ଦିନ ଗୋଟାଏରୁ ସନ୍ଧ୍ୟା ପାଞ୍ଚଟା ପର୍ଯ୍ୟନ୍ତ ସାହି ଭିତରେ କୋଉଠିକୁ ଯିବାକୁ ମନା ନଥିଲା l ତାପରେ ମୁଁ ତ ସାଙ୍ଗ ହୋଇ ପଢିବାକୁ ଯାଉଥିଲି ବୋଲି ଘରେ କେହି କିଛି କହନ୍ତିନି l ବୀଣାର ବହୁତ ସୁନ୍ଦର ଶାଢ଼ୀ ସବୁ ଥାଏ l ତାର ମନ ବହୁତ ବଡ଼ l ସବୁ ଶାଢ଼ୀ ଆମ ସାମ୍ନାରେ ଆଣି ଥୋଇ ଦିଏ l ମୁଁ ଆଉ ସୁଚେତା ମିଶି ଶାଢ଼ୀ ପିନ୍ଧି ମଡେଲ ଭଳିଆ ଚାଲୁ l ତେବେ ସୂଚେତାକୁ ଶାଢ଼ୀ ପିନ୍ଧିବା ସେତେ ଭଲ ଭାବେ ଜଣା ନଥିଲା l ଆମେ ତାକୁ ସାହାଯ୍ୟ କରୁ l ପ୍ରାୟ ରବିବାର ଦିନ ଏକାଠି ହେଉ ଆମେ ତିନି ଜଣ l ଯେତେବେଳେ ନଟୁ ଆସେ ଆମ ମୁହଁ ଆକାଶର ଚନ୍ଦ୍ର ପରି ଖୁସିରେ ନାଚି ଯାଏ l ତିନି ଜଣ ଯାକ ଯାଉ ସିନେମା ହଲ୍କୁ l ବେଶୀ ଦୂର ନଥିଲା ସିନେମା ହଲ l ସିନେମା ଆରମ୍ଭ ହୋଇଯାଇଥାଏ l ନଟୁ ଟର୍ଚ୍ଚ ଧରି ଆମକୁ ଖାଲି ପଡିଥିବା ସିଟ ଆଡ଼କୁ ନେଇ ଯାଏ l ବେଳେ ବେଳେ ଭାଗ୍ୟ ଭଲ ଥିଲେ ତିନୋଟି ସିଟ ଏକାଠି ମିଳିଯାଏ l ନହେଲେ ଅଲଗା ବସି ଯାଉ l ବାଲକୋନୀର ସିଟ ଆଉ ବିନା ପଇସାରେ l ମୁଁ ତ ଭାରି ଖୁସି ହୁଏ l


ଥରେ “ଦିଲ ଅପନା ଔର ପ୍ରୀତ ପରାୟା ” ସିନେମା ପଡିଥିଲା l ନଟୁ ଠାରୁ ଖବର ଶୁଣୁ ଶୁଣୁ ଆମେ ତିନି ଜଣ ଭାରି ଖୁସିରେ ନାଚି ଗଲୁ l ବୀଣାର ପାଉଡ଼ର, କଜଳ ଲଗେଇ ଜଲ୍ଦି ବାହାରି ଗଲୁ l ବୀଣା ବୋଉଙ୍କୁ କହିଲୁ ସୁଚେତା ଘରେ ଭଲ ଇଂଗ୍ରାଜୀ ଡିକ୍ସନାରୀ ଅଛି l ସେଇଠି ପଢ଼ିବୁ ସନ୍ଧ୍ୟା ପର୍ଯ୍ୟନ୍ତ l ମାଉସୀ ଭାରି ଭଲ ଆଉ ସରଳ ଲୋକ ଥିଲେ l କହୁଥିଲେ ଯୁଆଡେ ଗଲେବି ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସିବ l


ସେଦିନ ଆମ ପାଇଁ ସିନେମା ହଲରେ ତିନୋଟି ସିଟ ଏକାଠି ନଥିଲା l ବୀଣା ଆଉ ସୁଚେତା ପାଖାପାଖି ଦୁଇଟି ସିଟ ରେ ବସିଲେ l ମୁଁ ତିନି, ଚାରି ଧାଡି ଛାଡି ଗୋଟିକିଆ ସିଟରେ ବସିଲି l ଭାରି ଖୁସି ଆଉ ଉଦବେଗ ଲାଗୁଥିଲା l ମିନା କୁମାରୀ ଆଉ ରାଜ କୁମାର ସେ ଫିଲ୍ମ ରେ ଅଭିନୟ କରିଥିଲେ l ମିନା କୁମାରୀ ନର୍ସ ହୋଇଥିଲେ ଘରର ପରିସ୍ଥିତି ନେଇ l ରାଜ କୁମାର ଡାକ୍ତର ହୋଇଥିଲେ l ଦୁହେଁ ପରସ୍ପରଙ୍କୁ ଚାହିଁ ବି ଏକାଠି ହେବାର ପ୍ରଶ୍ନ ନଥିଲା l ଆମ ଆଡର ସିନେମା ପରି ପ୍ରେମଟା ଦୁଃଖରେ ଭରି ହୋଇ ଥିଲା l ହଠାତ୍ ଲାଇଟ ଜଳିବା ଆରମ୍ଭ ହେଲା ଆଉ ଚିନାବାଦାମ ଵାଲାର ଡାକିବା ଶୁଣିଲି l ଇଂଟରମିସନ ଆସିବା ଜାଣି ମୁଁ ସୁଚେତା ଆଉ ବୀଣା ବସିଥିବା ଜାଗାକୁ ଯିବା ପାଇଁ ଉଠିଲି l

ହଟାତ୍ ତଳୁ ଗୋଟିଏ ଛୋଟ ପିଲାର କାନ୍ଦିବା ଶୁଣି ତଳକୁ ଅନେଇଲି l ଆମ ସାହିର ଦେବନ ଭାଇ ସେଠି ବସିଥିବାର ଦେଖିଲି l ସିଏ ଉପରକୁ ମୋ ଆଡ଼କୁ ଅନାଇବାର ଦେଖିଲି l ତାଙ୍କୁ ଦେଖି ମୁଁ ଡ଼ରି ଗଲି l ଦେବନ ଭାଇ ମୋ କୁନା ଭାଇନାର ବଡ଼ ସାଙ୍ଗ l ନିଶ୍ଚୟ ଭାଇନାକୁ କହିବେ ମୁଁ ସିନେମା ଯାଇଥିଲି ବୋଲି l ମୁଁ କିଛି ନଭାବି ଭିଡ଼ରୁ ଆଡେଇ ହୋଇ ଡିଆଁ ମାରି ବାହାରକୁ ଆସିଲି l ହରିଣ ବାଘକୁ ଦେଖି ଦୌଡିଲା ପରି ମୁଁ ଦୌଡ଼ି, ଦୌଡ଼ି ଆସି ଆମ ପଥୁରିଆ ସାହି ହାତଯୋଡ଼ି ଠାକୁରାଣୀଙ୍କ ଦେଉଳ ପାଖେ ପହଂଚିଲି l ସେଠି ମୁଣ୍ଡିଆ ଟିଏ ମାରି ହାତ ଯୋଡି କହିଲି ମା, ମୁଁ କାଲି ଘିଅ ଦୀପ ଟିଏ ଜଳେଇବି ଆଉ ନାଲି ମନ୍ଦାର ଫୁଲଟିଏ ଚଢେଇବି ତୁମ ପାଖରେ l ଦେବନ ଭାଇ ମତେ ନଦେଖି ଥାଆନ୍ତୁ l


ମନେ, ମନେ ଭାବୁ ଥାଏ ସୁଚେତା ଆଉ ବୀଣା ମତେ ନିଶ୍ଚୟ ଖୋଜିବେ ? ତେବେ କୁନା ଭାଇନା ଜାଣିଲେ କାଳେ ମତେ ମାରିବ ଭାବି ଚୁପ ରହିଲି l ଏବ ଭଳି କଣ ସେତେବେଳେ ଫୋନ ଥିଲା ଯେ ରିଙ୍ଗ କରି କହି ଦେଇ ଥାଆନ୍ତି? ରାତି ସାରା ଅନେଇ ଥାଏ ସକାଳ ହେଲେ ଯାଇ ସୂଚେତାକୁ କହି ଦେବି l ତା ଘର ଆମ ଘରଠୁ ବେଶୀ ଦୂର ନଥିଲା l ପର ଦିନ ସୁଚେତା ମତେ ତାଙ୍କ ଦୁଆରେ ଦେଖି ପଚାରିଲା , ତୁ ଅଦ୍ଭୁତ ସାଙ୍ଗ l ଆମେ ତତେ କେତେ ଖୋଜିଲୁ? କୁଆଡେ ଗାଏବ୍ ହୋଇଗଲୁ ? କହିଲୁନି ଆମକୁ କିଛି ? କେମିତି ସାଙ୍ଗ ତୁ ? ମୁଁ କାନ୍ଦି ପକେଇଲି ଆଉ ତାକୁ କହିଲି ସବୁ କଥା l ସୁଚେତା ର ମନ ଭାରି କୋମଳ l ମତେ ଡାକି ନେଇ କହିଲା ଠିକ ଅଛି l ଗଲାଣିତ ଗଲା କଥାତ ଚନ୍ଦୁ , ଆଉ ବେଶୀ ଭାବେନି ! ଚାଲେ ବରକୋଳି ଖାଇବା l


ଅନେକ ଦିନ ପରେ ମୁଁ ମୁମ୍ବାଇ ରୁ ଆମ ଘରକୁ ଯାଇ ଥିଲି l ଦେବନ ଭାଇ ଭଲ ଖଡି ମୂର୍ତି ତିଆରି କରନ୍ତି l ସେମାନେ ପଥୁରିଆ ଘର ଲୋକ l ଭାବିଲି ତାଙ୍କଠୁ ମୂର୍ତି କେତୋଟି କିଣି ନେବି ଘର ସଜାଇବା ପାଇଁ l ମତେ ସିଏ ତାଙ୍କ ଗଢା ସବୁ ଭଲ, ଭଲ ମୂର୍ତି ଦେଖେଇଲେ l ମୁଁ ଦୁଇଟି ମୂର୍ତି ବାଛିଲି l ମୂର୍ତି ଦୁଇଟିକୁ କାଗଜରେ ଯତ୍ନରେ ବାନ୍ଧିଲା ପରେ କହିଲେ ଏଇ ନେ l ମୁଁ କେତେ ପଇସା ଦେବି ବୋଲି ପଚାରିଲି l ମତେ ଅନାଇ କହିଲେ ଚନ୍ଦୁ ସତରେ ତୁ ସେଦିନ ସିନେମାରେ ନଥିଲୁ? ମୁଁ ହସି କହିଲି ହଁ, କିନ୍ତୁ ତୁମକୁ ତଳେ ଦେଖି ମୁଁ ଅଧାରୁ ଘରକୁ ଦୌଡ଼ି ଫେରି ଆସିଲି l କାଳେ ଭାଇନାକୁ କହି ଦେବ ବୋଲି l ମାଡ଼ ପଡି ଥାଆନ୍ତା ? ଭଲ ଫିଲ୍ମ ଅଧା ଦେଖିଲି ତୁମ ଯୋଗୁ l


ପଇସା ଦେଲା ବେଳେ ଦେବନ ଭାଇ କହିଲେ ନାଁ ପଇସା ଆଉ କଣ ନେବି , ସେ ପଇସାରେ ଆଉ ଥରେ ତୁ ଜୋଇଁ ଙ୍କ ସହିତ ସେ ଫିଲ୍ମ ଟା ଦେଖି ଯିବୁ l ତାଙ୍କ ସଂଗେ ମୋର ଆଉ କେବେ ଦେଖା ହୋଇନି l ଯେତେବେଳେ “ଦିଲ ଅପନା ପ୍ରୀତ ପରାଏ ” ର ଗୀତ ଶୁଣେ ବା ସେ ଫିଲ୍ମ ଦେଖେ ସୁଚେତା, ବୀଣା ଆଉ ଦେବନ ଭାଇ ମନେ ପଡି ଯାଆନ୍ତି l ମୂର୍ତି ଯୋଡିକ ମୁଁ ଆମେରିକା ମୋ ସଂଗେ ଆଣି ରଖିଛି ପିଲା ଦିନର ସେ ସରଳ ସ୍ମୃତି ସବୁ ମୋ ମନରେ ସାଇତି ରଖି ପାଠକ , ପାଠିକା ମାନଙ୍କ ପାଇଁ ଗପ ଲେଖେ l ଆଶା ଭଲ ଲାଗିବ ପଢିବାକୁ l

💕ଟଙ୍କିକିଆ ନୂଆ ନୋଟର ବିଡ଼ା ମୋ ହାତରେ, ଆଉ ପ୍ରଥମ ସିନେମା ଦେଖା ବାହାଘର ପରେ।💕

ସମସ୍ତଙ୍କର ମୋ ଲେଖା ଓ ଅନୁଭୂତି ପଢ଼ିବାର ଆଗ୍ରହ ଦେଖି ଆଜି ପୁଣି ଆଉ ଗୋଟିଏ କଥା ମୋ ସ୍ମୃତିରୁ ଲେଖିବାକୁ ଭାବିଲି। ମୋ ବାହାଘର ପରେ ଦିଲ୍ଲୀ, ଆଗ୍ରା ବୁଲିଆସିବା ପରେ ଆମେ ଝରିଆ, ଯୋଉଠି ସୁଧାଂଶୁ କାମ କରୁଥିଲେ ସେଠାକୁ ଫେରି ଆସିଲୁ। ଧୀରେ, ଧୀରେ ମୁଁ ଘର କାମ ଠିକ କରି ସମ୍ଭାଳି ନେବାକୁ ଚେଷ୍ଟା କଲି। ପ୍ରଥମେ କିଛିଦିନ କୋଇଲା ଚୁଲି ଲଗେଇବାରେ ଭାରି ହଇରାଣ ହେଲି। ଅନେଇଥାଏ ଠିକା କାମ ବାଲି ଆସିଲେ ତାକୁ କହେ ଚୁଲି ଲଗା ଆରମ୍ଭ କରିଦେବାକୁ। ସିଏ ବଙ୍ଗାଳି ଲୋକ। ହସି କହେ “ମେ ଟାକେ ତାର ମା କିଛୁ ନା ଶିଖିଏ ବିଏ କରେ ଦିଏଛିନ, ଏ କି କଥା ବାବା “। ଭାରି ଚିଡ ମାଡ଼େ ତା କଥା ଶୁଣି। ଯାହା ହେଉ ସିଏ ଅସଲ କାମଟି କରି ଦେବା ଯୋଗୁ ମୁଁ ଚୁପ ରହେ। ନହେଲେ ମୁଁ ବଡ଼ ପାଟିରେ ତାକୁ ଶୁଣେଇ ଦେଇଥାନ୍ତି ଦୁଇ ଚାରି ପଦ। ମନରେ ଭାବିଲି ତାର ସାହସ କେତେ ଏଭଳି କହିବାକୁ। ମୁଁ ପଥୁରିଆ ସାହି ଶତପଥି ଘର ଝିଅଟି? ବେଳେ ବେଳେ ସିଏ ନ ଆସିଲେ ମୁଁ ଅନେଇଥାଏ ସୁଧାଂଶୁଙ୍କର ଆସିବା ବେଳକୁ। ମୋ ପରି ସୁଧାଂଶୁଙ୍କର ବି ପିଲାଦିନୁ ବୋଉ ମରି ଯାଇଥିଲେ। ଫରକ ଏତିକି ଥିଲା ତାଙ୍କ ଘରେ ସେମାନେ ରୋଷେଇ କରିବା ଶିଖିଥିଲେ। ସୁଧାଂଶୁ କୋଇଲା ଚୁଲି ଲଗେଇବା ଜାଣି ଥିଲେ l ଆମ ଘରେ ମୁଁ ରୋଷେଇ ଘରକୁ ପଶୁ ନଥିଲି l ଆମ ବୁଢୀମା ରୋଷେଇ କରୁଥିଲା l କାମରୁ ଆସିଲା ପରେ ସୁଧାଂଶୁଙ୍କୁ ଚୁଲି ଲଗେଇ ଦବାକୁ କହିବାକୁ ମତେ ମାଡି ପଡେ। ବହୁ ଚେଷ୍ଟା କଲେ ବି ଅଗ୍ନି ଦେବତା ମୋ ପ୍ରତି ତାଙ୍କ କୃପା ଦୃଷ୍ଟି ପକେଇ ନଥିଲେ। ଏମିତି କିଛିଦିନ ବିତିଗଲା।

ଆମ ଘରେ ମୋ ବୁଢୀମାର ଭାରି ବାରଣ ଥିଲା। ରୋଷେଇ ଘରକୁ ବାହାର ଲୁଗା ପିନ୍ଧି ଯାଇ ହବନି। ତିନି ଥର ବାସନ ଧୁଆ ଦରକାର କିଛି ଖାଇବା ଜିନିଷ ତିଆରି ହେଲା ପରେ। ଆମିଷ , ନିରାମିଷ ଅଲଗା।ଏ ସବୁଥିରୁ ରକ୍ଷ୍ୟା ପାଇବା ପାଇଁ ମୁଁ ବହିଟିଏ ମେଲେଇ ବସିଯାଏ, ଯେତେବେଳେ ରୋଷେଇ ଘରକୁ ରନ୍ଧା ଶିଖିବାକୁ ମା ଡାକେ ମତେ। ମା କେତେ ଥର ବାପାଙ୍କୁ କହେ, ଆରେ କ୍ଷେତ୍ର (ମୋ ବାପା) ତୁ ତୋ ଝିଅକୁ ମା ମଲା ପିଲା ବୋଲି ଗେଲବସର କରି ବଢେଇଛୁ , ଶାଶୁ ଘରକୁ ଗଲେ କଣ ବହି ଖାତା ଖୁଆଇବ ସେମାନଙ୍କୁ ? ସବୁବେଳେ ହାତରେ ବହି ଧରି ବସିଛ l ବାପା କହନ୍ତି ଖରାଛୁଟିରେ ଶିଖିଯିବ। ପଢୁ ସିଏ। କ୍ଲାସ ରେ ଫାଷ୍ଟ ଆସୁଛି। ମୁଁ ମୁହଁ କୁ ବହି ଭିତରେ ମାଡି ମୁରକି , ମୁରକି ହସେ l ଏବେ ବସି ଭାବେ ମା କଥା ଶୁଣି ଚୁଲି ଲଗେଇବା ଶିଖି ଯାଇଥିଲେ ଏତେ ହନ୍ତସନ୍ତ ହେଉ ନଥାନ୍ତି। ଆଖିରୁ ଲୁହ ପୋଛୁ ପୋଛୁ ବେଳେ ବେଳେ ମୋ ଚଷମାର କାଚ କୁହୁଡି ଭଳି ଷ୍ଟିମରେ ଝାପ୍ସା ହୋଇଯାଏ। ପୁଣି ନାକ ସୁଡୁ ସୁଡୁ କରି ଆଖି ପୋଛେ କାନିରେ। ଭାବେ ଚୁଲି ଜାଳିବା ଦେଖିତ ଥିଲି କିନ୍ତୁ ଆମର ଘରେ କାଠ ଚୁଲିରେ ରୋଷେଇ ହେଉଥିଲା। ଏଠିକା ପରି କୋଇଲା ଚୁଲି ନଥିଲା ।

ଇତି ମଧ୍ୟରେ ସୁଧାଂଶୁ ମତେ ତୁମେ ରୁ ତୁ ଡାକିବା ଆରମ୍ଭ କରିଦେଇ ଥିଲେ। ଆମ ଘରେ ମୁଁ ସବୁଠୁ ସାନ ଥିଲି। ମୋର “ତୁ” ଶୁଣିବା ଅଭ୍ୟାସ ଥିଲା। ନୂଆ ନୂଆ ବୋଲି ମୁଁ ସୁଧାଂଶୁଙ୍କୁ କହି ପାରୁନଥିଲି l ମତେ ସେ ତୁମେ ବୋଲି ଡାକିଲା ବେଳେ ଭାବୁ ଥିଲି ମୁଁତ ସାନ ବୟସରେ। ମତେ ତୁ ଡାକିବାକୁ କହିବି। କିନ୍ତୁ ଭାବିଲି ବୋଧେ ସ୍ୱାମୀ, ସ୍ତ୍ରୀ ଏଭଳି ସଂବୋଧନ କରନ୍ତି ପରଷ୍ପରକୁ। ଭାଇନା ବି ଭାଉଜଙ୍କୁ “ତୁମେ” ବୋଲି ଡାକୁଥିଲେ। ଦିନେ ସୁଧାଂଶୁ କହିଲେ ଚନ୍ଦୁ ଏଇ ପରିବା ବ୍ୟାଗଟା ଧର। ମୁଁ ଵ୍ୟାଗ ନଉ ନଉ ଜୋରରେ ହସିଦେଲି। କାବା ହୋଇ ସେ ମତେ ପଚାରିଲେ କଣ ହେଲା। ମୁଁ ହସିଦେଇ କହିଲି କିଛି ନାଇଁ। ତାପରେ ଧୀରେ ପାଖକୁ ଆସି କହିଲି “ମଳୁ ଖୋଜୁ ଥିଲା କାକର ପାଣି, ବଇଦ କହିଲା ଦିଅ ତୋରାଣି”। ମୁଁ କେବେଠୁ ଭାବୁଛି କହିବି ବୋଲି ମତେ ତୁମେ ତୁ ବୋଲି ଡାକ। ଆଜି ସେଇଟା ମୋର ତୁମକୁ ବିନା କହି ହୋଇଗଲା l ତୁମେ ମତେ ତୁ ବୋଲି ଡାକିଲ। ଅଳ୍ପ କଥା କହିବା ଵାଲା ସୁଧାଂଶୁ କହିଲେ ତୁ ମତେ କହିଥିଲେ ମୁଁ କେବେଠୁ ତତେ “ତୁ” ବୋଲି ଡାକୁ ଥାଅନ୍ତି। ମୁଁ ମନେ ମନେ ଭାବିଲି ମୁଁ ବେଶୀ କଥା କହେ ବୋଲି ସବୁ କଥା କଣ କହିବି? ସବୁବେଳେ ମତେ ଗପୁଡି ବୋଲି ତ ଡାକୁଛ? ଏଇଟା ପୁଣି ଆଉ ଗୋଟେ ବାହାନା ତୁମକୁ ମିଳିବ,ମତେ ଚିଡ଼େଇବା ପାଇଁ।

ଏବେ ତାଙ୍କଠୁ ତୁ ଶୁଣି ମୁଁ ଖୁସି ହେଉଥିଲି। ୪ଟା ବେଳଠୁ ସଜ ବାଜ ହୋଇ ଦୁଆର ଖୋଲି ଅନେଇ ବସୁ ଥିଲି କେତେବେଳେ ଆସିବେ ବୋଲି। ଦିନସାରା ଏକୁଟିଆ ବସିବା ମୋ ପାଇଁ ସହଜ ନଥିଲା। ଆମ ସାହିରେ ମୋର କେତେ ସାଙ୍ଗ ସବୁ ଥିଲେ। ଏଠି ଆସି ସବୁ ଗଲା। ଅଫିସରୁ ଆସିଲା ବେଳକୁ ସୁଧାଂଶୁ ପରିବା, ମାଛ ଓ ଅନ୍ୟ ନିତିଦିନିଆ ଦରକାରୀ ଜିନିଷ ନେଇ ଆସନ୍ତି। ବଜାର ଦୂରରେ ଥିଲା।

ଆମ ପଡିସା ଘର ବାରଣ୍ଡାରେ ସବୁଦିନ ଖରାବେଳେ ପାଖ ସ୍ତ୍ରୀ ଲୋକମାନେ ଛିଡା ହୋଇ ଗପ କରନ୍ତି। ମୁଁ ଝରକା ବାଟେ ସେଇଟା ଦେଖି ଦିନେ ଭାବିଲି ଯାଇ କଥା ହେବି l ପରିବା ବିକା ଵାଲା ମାନେ ସେତିକିବେଳେ ଆସନ୍ତି। ସବୁ ସ୍ତ୍ରୀ ଲୋକ ମାନେ ତାଙ୍କଠୁ ପନି, ପରିବା କିଣନ୍ତି। ଭାବିଲି ମୁଁ ବି ତାଙ୍କ ସାଂଗେ ଯାଇ ବସିବି। ସେମାନେ ମୋଠୁ ବୟସ ରେ ବଡ଼ ଥିଲେ ଓ ଖାଲି ବଙ୍ଗଳା ଭାଷା କହୁଥିଲେ। ତେଣୁ ଟିକିଏ ଅସୁବିଧା ହୋଇପାରେ ବୋଲି ଭାବିଲି। ସାହସ କରି ଦିନେ ଯାଇ ହସିଦେଇ ତାଙ୍କୁ କହିଲି “ଆମି ମିସେସ ମିଶ୍ର।” ବାସ ମୋ କାମ ହୋଇଗଲା। ମୋର ପତଳା ଦେହ ଦେଖି ଜଣେ ଭାରି ମୋଟୀ ସ୍ତ୍ରୀ ଲୋକ (ମିସେସ ରାୟ) ଜୋରରେ ହସି କହିଲେ, ଆପନାର ବୟସ କତୋ? ନାମଟି କି? ମୁଁ କିଛି ନକହି ଅନେଇଦେଲି ମୁଣ୍ଡ ତଳକୁ ପୋତି। ତାପରେ କହିଲି ଚନ୍ଦ୍ରମା। ସୁଧାଂଶୁ ଗ୍ରେଡ଼ ୧ ଅଫିସର ଥିଲେ ସେଠିକା ସରକାରୀ ଅଫିସରେ । ସେମାନଙ୍କ ସ୍ୱାମୀ ମାନେ ମଧ୍ଯ ଗ୍ରେଡ଼ ୧ ଅଫିସର ଥିଲେ କିନ୍ତୁ ସେମାନେ ବଡ଼ ଥିଲେ ବୟସରେ। ବୋଧେ ଧୀରେ ଧୀରେ ପ୍ରୋମସନ ହୋଇ ଗ୍ରେଡ଼ ୧ କୁ ଆସିଥିଲେ? ମତେ ଦେଖି କଣ ଭାବିଲେ କେଜାଣି ମୁଁ କହିପାରିବିନି, କାହିଁକି ସେଭଳି ପ୍ରଶ୍ନ କଲେ। ବୋଧେ ମନରେ ଇର୍ସା ଟା ଥିବ ସୁଧାଂଶୁଙ୍କ ଉପରେ। ଭାବୁଥିବେ ଏଇ ଓଡ଼ିଆ ଲୋକଟି ଆସି ଆମର ଏଠି ଗ୍ରେଡ଼ ୧ ଅଫିସର ହୋଇଛି ଏତେ ଅଳ୍ପ ବୟସରେ। ଭାବିଲି ମୁଁ ବି ପରିବା କିଣି ଦେବି ସେମାନଙ୍କ ପରି। ତାହାଲେ ସୁଧାଂଶୁଙ୍କୁ ଆଉ ବଜ଼ାର ଯିବାକୁ ପଡ଼ିବନି ଅଫିସରୁ ଆସିଲା ବେଳେ।ଘରକୁ ଜଲ୍ଦି ଆସିପାରିବେ ଆଉ ଆମେ କୁଆଡେ ପାଖକୁ ବୁଲି ଯାଇ ପାରିବୁ l

ତାପରଦିନ ଠିକ ସମୟରେ ମୁଁ ଶୁଣିଲି ସ୍ତ୍ରୀ ଲୋକ ମାନଙ୍କର ଜୋର ଜୋର ହସ। ମୁଁ ଜାଣିଲି ସେମାନଙ୍କର ସବୁ ଏକାଠି ହେବା ଆରମ୍ଭ ହୋଇଗଲାଣି । ସେତିକି ବେଳକୁ ପରିବା ଵାଲା ଆଉ ମାଛ ଵାଲା ଆସିଗଲେ। ସମସ୍ତେ ତର ତର ହୋଇ ମାଛ ଵାଲା ଚାରିପଟେ ଘେରିଗଲେ। ଜୋର ଜୋର ରେ କହୁ ଥାଆନ୍ତି, ହବିବ୍ ଆମାକେ ଦାଓ, ଓଇ ମାଛଟା। ଚାରି ବା ପାଞ୍ଚ ପ୍ରକାର ମାଛ ଥିଲା ହବିବ ପାଖେ। ମାଛ ଵାଲା ନାଁ ହବିବ୍ ବୋଲି ଜାଣିଲି। ମତେ ଲାଗିଲା ଶୀତଦିନେ କୂଆ ମାନେ ମଲା ମୂଷାଟିଏ ପଛରେ କା କା ହୋଇ ଯେମିତି ଆମ ଅଗଣାରେ ଘେରି ଯାଆନ୍ତି ଏମାନେ ସେଭଳି ହବିବ୍ ଚାରିପଟେ ରଡି ଛାଡ଼ୁଛନ୍ତି। ମୁଁ ମନେ ମନେ ଭାବିଲି ବିଚରା ହବିବ୍ ! ମୁଁ ବି କିଛି ପରିବା କିଣିବା ପାଇଁ ତର ତର ହୋଇ ବାହାରି ପଡିଲି। ସୁଧାଂଶୁ ମତେ କହିଥିଲେ ଆଲମାରୀ ଭିତରେ କିଛି ଟଙ୍କା ରଖିଛନ୍ତି। ଦରକାର ହେଲେ ମୁଁ ନେବାକୁ l

ମୁଁ ପଡିସା ଘରକୁ ଡେଇଁ ଡେଇଁ ଗଲି। ପିଲାଦିନୁ ମୋର ଚଟା ଖେଳରେ ବହୁତ ମନ ଥିଲା। ମୁଁ ସାହିରେ ସବୁଠୁ ଭଲ ଖେଳୁଥିଲି ଚଟା ଖେଳରେ। ଥରେ କଂମ୍ପିଟିସନ ରେ ପ୍ରଥମ ହୋଇ ଥିଲି। ମୋର ଡେଇଁ ଡେଇଁ ଯିବା ଦେଖି ମିସେସ ରାୟ ଜୋରରେ ହସି କହିଲେ ମେ ଟା କି ଭାବେ ଯାଚି ଦେଖୁନ୍ ? ମୋର ମନେ ପଡିଲା ପଇସା ନେବା ପାଇଁ ଅଲମାରୀରୁ। ମୁଁ ତର ତର କରି ଦୁଆର ଖୋଲି ଘରକୁ ପଶି ଗଲି। ଆଲମିରା ଖୋଲି ଟଂକା ଆଡ଼କୁ ଅନାଇ ଦେଇ ସେଇଠି ବସି ଗଲି। ଗୋଟିଏ ତାଡ଼ା ନୂଆ ଟଂକିକିଆ ନୋଟ ସୁଧାଂଶୁ ଥୋଇ ଦେଇ ଯାଇ ଥିଲେ। ମୋର ନୂଆ ଟଂକା ପାଇଁ ଭାରି ଲୋଭ ଥିଲା। ମୁଁ ନୂଆ ଟଂକା ଖର୍ଚ୍ଚ କରିବାକୁ ସବୁବେଳେ କୁଣ୍ଠିତ ହଉ ଥିଲି। ଭଲ ମଣ୍ଡ ଦିଆ ଶାଢ଼ୀ ବି ମୁଁ ପିନ୍ଧୁ ନଥିଲି। ସାଇତି କରି ରଖି ଥାଏ। ମନେ ମନେ ଚିଡ଼ିଲି ଆଗରୁ ଦେଖିଥିଲେ ପୁରୁଣା ନୋଟ ମାଗି ରଖି ଥାଆନ୍ତି। ଖୋଜି ଖୋଜି ୨ଟି ଅଣି ପାଇଲି। ପାଞ୍ଚ ବା ଛ ଥର ସେ ଟଂକା ତାଡ଼ାକୁ ହାତରେ ଧରିଲି। ଏପଟ ସେପଟ ଓଲଟେଇ ବମବାରମ୍ବାର ଦେଖିଲି। ପୁଣି ଭାବିଲି ନା, ନୂଆ ଟଙ୍କାରେ ମୁଁ ପରିବା କିଣିବିନି। ସେ ଅଣି ଦୁଇଟି ଧରି ଆସି କେବଳ ଧନିଆ ପତ୍ର ବିଡ଼ାଟିଏ କିଣି ଘରକୁ ଫେରିଲି।

ପୂର୍ବ ଦିନ ରାତିରେ ଭାରି ସେନ୍ହରେ ସୁଧାଂଶୁଙ୍କୁ କହିଥିଲି ମୁଁ ପରିବା କିଣି ଦେବି ଦୁଆରୁ। ଜଲ୍ଦି ଆସିବ ଘରକୁ ବଜ଼ାର ନଯାଇ। ସିନେମା ମତେ ନେଇ ଯିବ। ଖାଲି ଆଳୁ,ପିଆଜ ଘରେ ଥିଲା। ଆଳୁ, ପିଆଜ ଧନିଆ ପତ୍ର ଦେଇ ଭାଜି ବସିଲି। ଡ଼ାଲିବି କରିଥିଲି। ଦୁଆର ଖୋଲି ଠିକ ପାଞ୍ଚଟା ବେଳେ ସୁଧାଂଶୁ ଆସିଗଲେ। ମତେ ପଚାରିଲେ କଣ ହୋଇଛି, ମୁହଁ ଶୁଖେଇ ବସିଚୁ କାହିଁକି? କହିଥିଲ ଜଲ୍ଦି ଆସିବାକୁ, ମୁଁ ଆସିଲି ପରା। ସିନେମା ଯିବ ବୋଲି କହୁଥିଲ, କଣ ହେଲା? ଧଡ଼ କିନା କହିଲି ନାଇଁ ରୋଷେଇ ସବୁ କରିପାରିନି। ଚୁଳିତ ଚାକେର।ଣି ଲଗେଇ ଦେଲା। କିନ୍ତୁ ପରିବା କିଣି ପାରିଲିନି। ସୁଧାଂଶୁ ପଚାରିଲେ,କାହିଁକି ଟଙ୍କାତ ରଖିଦେଇଥିଲି? ପରିବା ଵାଲା ଆଜି ଆସିଲାନିକି? ପାଖକୁ ଆସି କହିଲି ଆସିଥିଲା ହବିବ୍। ସମସ୍ତେ ପରିବା ଆଉ ମାଛ କିଣିଲେ କିନ୍ତୁ ମୁଁ କିଣିଲିନି। କାଇଁକିନା ତୁମେ ଯୋଉ ଟଙ୍କା ରଖିଦେଇ ଯାଇଥିଲ ସେଗୁଡାକ ସବୁ ନୂଆ ଟଙ୍କା। ମୋର ଖର୍ଚ୍ଚ କରିବାକୁ ହାତ ଆଉ ମନ ହେଲାନି। ଜାଣିଚ,ମୁଁ କେବେ ଏକା ସଂଗେ ଏତେ ନୂଆ ଟଙ୍କା ଦେଖିନଥିଲି। ଆମ ଘରେ ବାପା ଟଙ୍କା,ପଇସାର ହିସାବ ରଖନ୍ତି। ନୋଟ ଗୁଡାକ ତାଙ୍କ ପାଖେ ଯାହା ମୁଁ ଦେଖିଚି ପୁରୁଣା ଦେଖା ଯାଏ, ମୋର ଯାହା ମନେ ପଡୁଛି । ଖାଲି ଆଳୁ, ପିଆଜ ଭଜା ଆଉ ଡ଼ାଲି, ଭାତ କରି ରଖିଛି । ଇଏ ମୋ ମୁହଁକୁ ଦେଖି ହସି କହିଲେ, ନୂଆ ଟଙ୍କା ବୋଲି ତାକୁ କେତେଦିନ ରଖିବୁ ଖର୍ଚ୍ଚ ନକରି? ହଉ ଚାଲ ଯାହା ରୋଷେଇ କରିଚୁ, ତାକୁ ଖାଇ ଦେଇ ଜଲ୍ଦି ସିନେମା ଯିବାର ତିଆରି କର। ନହେଲେ ପୁଣି ସେଇଟା ରହିଯିବ । ସପ୍ତାହେ କାଳ ଲଗେଇଚୁ ସିନେମା ଯିବୁ ବୋଲି। ସଂଗେ, ସଂଗେ ମୋ ମନ ଖୁସିରେ ଉଛୁଳି ପଡିଲା ।

ମୁଁ ଆଉ ଡେରି ନକରି ତର ତର କରି ଖାଇବା ବାଢି ଦେଲି। ଆମର ଗୋଟିଏ ଷ୍ଟିଲ ଥାଳି ଘରୁ ମିଳିଥିଲା। ଆମେ ଦୁଇ ଜଣ ଏକାଠି ସେଇ ଥାଳିରେ ଖାଉଥିଲୁ। ଆମେ ଅଳ୍ପ ଦିନ ଝରିଆରେ ରହିବାର ଥିଲା, ତେଣୁ ମୁଁ ସବୁ ବାସନ ଆଣି ନଥିଲି l ସେଦିନ ଆଗ ମୁଁ ଖାଇ ଉଠିଗଲି। ଏମିତିବି ମୋର ଜଲ୍ଦି ଖାଇବା ବଦ ଅଭ୍ୟାସ ଟି ପିଲାଦିନୁରୁ ଥିଲା l ତାପରେ ଭଲ ଲୁଗା ପିନ୍ଧିବାକୁ ମତେ ବେସି ସମୟ ଦରକାର ଥିଲା l ମୋର ଭଲ ସମ୍ବଲପୁରୀ ଶାଢିଟି ପିନ୍ଧି ଦେଲି। ମୁଣ୍ଡରେ ବଡ଼ ସିନ୍ଦୁର ଟୋପା ଆଉ ଆଖିରେ କଜଳ ଲଗେଇ ତିଆରି ହୋଇ ଗଲି। ସେତେବେଳେ ମୁଁ ଲିପିସ୍ଟିକ ବ୍ୟବହାର କରିବା ଜାଣି ନଥିଲି ଆଉ ମୋର ଲିପିସ୍ଟିକ ବି ନ ଥିଲା। ମୋର ମନେ ଅଛି ସେ ଫିଲ୍ମ ନାଆଁ ଥିଲା “ଆରାଧନା”।

ସେ ଦିନଟି ଏବେବି ମୋ ଆଖି ଆଗରେ ନାଚି ଯାଉଛି। ମୁଁ ମୋ ନୂଆ ଟଂକିକିଆ ନୋଟ ଆଉ ଆରାଧନା ଫିଲ୍ମ ବିଷୟ ଆଜି ସମସ୍ତଙ୍କ ପାଇଁ ଲେଖିଲି ମୋର ଅନୁଭୂତିରୁ l କିଛି ଖୁସି ଆଉ କିଛି ଦୁଃଖ ବି ଲାଗୁଚି। ସେ ଦିନ କେତେ ସରଳ ଆଉ ସୁନ୍ଦର ଥିଲା।

ଫେସ ବୁକ୍ ସାଙ୍ଗ, ମୋର ପୁତୁରା, ଝିଆରୀ ତାଙ୍କର ପତି ଆଉ ପତ୍ନୀ ମାନେ ଯୋଉମାନେ ମତେ ପ୍ରେରଣା ଆଉ ସାହାଯ୍ୟ କରିଛନ୍ତି ସେମାନଙ୍କ ପାଖେ ମୁଁ ୠଣୀ।

—-ଆମ ବାଡ଼ିର ନିମ୍ବ ଗଛର ଛୋଟ ଡ଼ାଳଗୁଡିକୁ ଅନ୍ତରରୁ ଧନ୍ୟବାଦ, ମୋର ସୁନ୍ଦର, ନିଶ୍ଛିଦ୍ର ଦାନ୍ତ ପାଇଁ —-

ଦାନ୍ତ ଡାକ୍ତର ପାଖରେ ବାର୍ଷିକ ପରୀକ୍ଷଣ କରିବା ପାଇଁ ଆଜି ସକାଳେ ଯାଇ ଥିଲି l ଡାକ୍ତର (କୁନାଳ ପଟେଲ)ଜଣକ ଆମ ଦେଶୀ ଲୋକ ଆଉ ତାଙ୍କର ବୟସ ବୋଧେ ପଚାଶ ବର୍ଷ ହେବ l ମତେ ସିଏ ସବୁବେଳେ ମିସେସ ମିଶ୍ର ବୋଲି ଡାକନ୍ତି l ବେଳେ,ବେଳେ ମୁଁ ତାଙ୍କୁ ତାଙ୍କ ପରିବାର ବିଷୟ ଆଉ ସିଏ ମତେ ମୋ ପିଲାମାନଙ୍କ ପଢା ସରିଲାଣି କି ନାହିଁ ବୋଲି ପଚାରନ୍ତି ? ପ୍ରାୟ ଦୀର୍ଘ ଦଶ ବର୍ଷ ହେଲା ମୁଁ ସେଇ ଅଫିସକୁ ଯାଉଛି l

ଆଜି ଦାନ୍ତ ସଫା ପରେ କୁନାଳ ପଚାରିଲେ ମିସେସ ମିଶ୍ର , ତୁମେ ପିଲାଦିନେ ଅର୍ଥୋଡେଂଟିଷ୍ଟ ପାଖକୁ ତ ଯାଇ ନଥିବ ? ତେବେ ଦାନ୍ତ ତୁମର ଭାରି ସଫା ଆଉ ସମାନ କେମିତି ହେଲା ? ବିଲକୁଲ ନିଶ୍ଛିଦ୍ର ! ଅନେକ ଦେଶୀ ଲୋକ, ଆପଣଙ୍କ ବୟସର ଆମ ପ୍ରାକ୍ଟିସକୁ ଆସନ୍ତି l ପ୍ରାୟ ଦାନ୍ତ ଅନେକ ଲୋକଙ୍କର ସମାନ ନଥାଏ l ବୋଧେ ଆପଣ ଦାନ୍ତର ଭଲ ଯତ୍ନ ନେଇଥିବେ ପିଲାଦନରୁ ? ସେତେବେଳେ ଅର୍ଥୋଡେଂଟିଷ୍ଟ ଭାରତରେ ଏତେ ନଥିବେ ବୋଧେ ?

ମୁଁ ତାଙ୍କ କଥା ଶୁଣି ହସିଲି ଆଉ କହିଲି ହଁ , ସେଇଟା ଗୋଟିଏ ସିକ୍ରେଟ ! ପରେ ସୁବିଧା ହେଲେ କହିବି l ବାଟରେ ଗାଡି ଚଳାଇ ଆସିଲା ବେଳେ ଅନେକ ବଡ଼ ଗଛ ସବୁ ଦେଖିଲି l ହଠାତ ମୋ ଡେଂଟିଷ୍ଟ , ମୋ ସିଧା ଦାନ୍ତ କଥା ଆଉ ତାର ରହସ୍ୟ ପଚାରିବା କଥା ମନେ ପକାଇ ହସିଲି l

ଆମ ବାଡ଼ି ଆଡେ ଗୋଟେ ବଡ଼ ନିମ୍ବ ଗଛ ଥିଲା l ସବୁ ଦିନ ମୁଁ ସେଇ ନିମ୍ବ ଗଛର ଛୋଟିଆ ଶାଖାଟିଏ ଭାଙ୍ଗି ସେଥିରେ ଦାନ୍ତ ଘଷେ l ବୋଧେ ଆମ ବାଡ଼ି ନିମ୍ବ ଗଛଟା ଠିକ ଉଚ୍ଚ ଆଉ ମୋଟରେ ରାସ୍ତା ଦୁଇପଟେ ମୁଁ ଦେଖୁଥିବା ଗଛ ଭଳି ଥିଲା l ତେବେ ଆମ ବାଡ଼ିର ନିମ୍ବ ଗଛର ଡାଳ ଗୁଡିକ ତଳକୁ ବିସ୍ତାର ହୋଇ ଥାଏ l ତେଣୁ ସୁବିଧାରେ ମୁଁ ସବୁଦିନ ମନ ମୁତାବକ କାଠିଟିଏ ଭାଙ୍ଗି ଆଣେ l ତାପରେ ତାର ଶେଷ ଅଂଶଟିକୁ ଶିଳୁ ପୁଆରେ ବା ହେମ୍ଦସ୍ତା ରେ ଛେଚି ତାକୁ ବ୍ରସ ପରି କରେ l ଆଉ ସେଇଥିରେ ଦାନ୍ତ ସଫା କରେ ସବୁଦିନ ସକାଳେ l

ପାଟି ପିତା ଲାଗିଲେବି ବାପା କହନ୍ତି ପଟ ଦାନ୍ତ କାଠି (କିଆ ଗଛ ଡାଳ) କିଣିବାକୁ ପଡିବ l ନିମ୍ବ ଦାନ୍ତ କାଠି ଦାନ୍ତ ପାଇଁ ଭଲ ଆଉ ମାଗଣାରେ ଆମ ବାଡିରୁ ମିଳିବ l ଆଜିକାଲି ପରି ଟୂଥ୍ବ ବ୍ରସ ଆଉ ପେଷ୍ଟ ମୋ ପିଲା ଦିନେ ଆମ ଘରେ କେବେ ମୁଁ ବ୍ୟବହାର କରିବାର ମନେ ପଡୁନି l ତେବେ ସବୁ ଦିନ ମତେ ନିମ୍ବ ଗଛରୁ ଡାଳ କାଟି ଟୁଥ ବ୍ରସ କରିବାକୁ ଭଲ ଲାଗେ l ବେଳେ ବେଳେ ଇଛା ହୁଏ ମୋ ସାଙ୍ଗ ମାନଙ୍କ ପରି ପଟ ଦାନ୍ତ କାଠିରେ ଦାନ୍ତ ଘସିବାକୁ ! ତେବେ ବାପାଙ୍କ କଥା ମନେ ପକାଇ ଭାବେ, ହଁ ମାଗଣାରେ ଯଦି ଦାନ୍ତ ପାଇଁ ଉପକାର ଦାନ୍ତ କାଠି ମିଳୁଛି କାହିଁକି ଛାଡିବା l ଆଉ ସାଥିରେ ସକାଳୁ ଗଛ ଚଢାଟାବି ହୋଇଯାଏ l ମତେ ଗଛ ଚଢ଼ିବାକୁ ଭାରି ଭଲ ଲାଗୁଥିଲା !

ମୋର ପିଲା ଦିନ ଦାନ୍ତ ପଡିଲା ପରେ ମୁଁ ଦେଖିଲି ମୋର ସବୁ ଦାନ୍ତ ଗୁଡିକ ସମାନ ହୋଇ ଉଠିଲା l ନିମ୍ବ ଦାନ୍ତ କାଠିର ରସ ମୋ ଦାନ୍ତ ଆଉ ମାଢିକୁ ବେଶ ସବଳ କରିଛି l ଦାନ୍ତ ର ରଙ୍ଗ ବି ବେଶ ଧଳା ଦେଖା ଯାଉଥିଲା ଆଉ ଏଡ଼େ ମଧ୍ୟ ଅଛି l ଯେତେବେଳେ କିଏ ପଚାରନ୍ତି ତୁମ ଦାନ୍ତ ଭାରି ସଫା ଆଉ ସମାନ ? ମୁଁ ହସି କହେ ହଁ , ଆମ ବାଡ଼ିର ନିମ୍ବ ଗଛ ସେତକ ପିଲାଦିନୁ ମତେ ଦେଇଛି l

💕💕ଏବେବି ମନେ ପଡେ ରୁନି କଥା ଚାଲ, ଚାଲ , ବର ଆସିଗଲେ ବିଶ୍ଵନାଥପୁରରୁ 💕💕

ସକାଳୁ ଆଜି ଆମ ସାଇ ଝିଅ ରୁନିର ମେସେଜ ଆସିଲା ନାନୀ କେମିତି ଅଛ ? ଭାଇନlଙ୍କ ଫୋଟୋ ତୁମ ପୋଷ୍ଟରେ ଦେଖିଲି l ମୋର ମନେ ପଡିଗଲା ତୁମ ବାହାଘର ବେଳେ ପଥୁରିଆ ସାହିକୁ ଭାଇନା ବର ବେଶରେ ଆସିବା l ସିଏ କେତେ ସୁନ୍ଦର ଥିଲେ ? ରୁନି ସେପଟୁ ହସି, ହସି କହିଲା ନାନୀ, ସେଭଳି ସୁନ୍ଦର ବର ଆମ ସାହିକୁ ଆସିବାର ସିଏ ଆଉ କେବେ ଦେଖିନି l ରୁନି ସାଙ୍ଗେ କଥା ହେବା ପରେ ମୁଁ ବାହାରକୁ ଚାଲିବାକୁ ବାହାରି ଗଲି l ଥାନ୍କସଗିଭିଙ୍ଗ ଯୋଗୁ ଟରକି ଆଉ ମିଠା ଖାଇ ଦେଇଥିଲି ବେଶୀ l ଭାବିଲି ଚାଲିଲେ ହଜମ ହୋଇ ଯିବ

ଚାଲୁ, ଚାଲୁ ପୁରୁଣା ସ୍ମୃତି ଭିତରୁ ଆଜି ମନେ ପଡିଗଲା ମୋ ବାହାଘର ଦିନ କଥା l କାଲି ପରି ସେ ଦିନ ମନେ ପଡୁଛି l ମୁଁ ହଳଦିଆ ଲୁଗା ପିନ୍ଧି ବସିଥିଲି l ପାଖରେ ମୋର କେତେଜଣ ସାଙ୍ଗ ଆଉ ଆମ ସାଇର କିଛି ଛୋଟ ପିଲା ବସି ଥିଲେ l ସେତେବେଳେ ଆଜି କାଲି ପରି କନ୍ୟା ବିଉଟି ପାର୍ଲର ଯାଉ ନଥିଲେ ସଜବାଜ ହେବା ପାଇଁ l ଘରର ବଡ଼ ଭଉଣୀ ବା ଭାଉଜ କନ୍ୟାକୁ ବେଶ କରି ଦିଅନ୍ତି l ବାରିକିଆଣି ଗୋଡ଼ରେ ଅଳତା ଲଗେଇ ଦିଏ l ମୋର ବହୁତ ଲମ୍ବା ବାଳକୁ ସଜାଡି ଆମ ଭାଉଜ ଭଲ ବଙ୍ଗାଳି ଫେଶନର ଜୁଡା କରିଦେଲେ l ମୋ କପାଳରେ ଆମ ସାଇର ବିବିନି ଲବଙ୍ଗକୁ ଚନ୍ଦନରେ ବୁଡାଇ ଟୋପା ଟୋପା ଚନ୍ଦନ ଟୋପା ଲଗାଇ ବାରେ ଲାଗି ଥିଲା l ମୁଣ୍ଡରେ ମଲ୍ଲି ଫୁଲ ମାଳ ଲଗାଇବା ପାଇଁ ସାନ ଝିଅ ମାନେ ଫୁଲ ଗୁନ୍ଥିବାରେ ବ୍ୟସ୍ତ ଥିଲେ l

ସମସ୍ତେ ଦାଣ୍ଡ ଆଡ଼କୁ ବାରମ୍ବାର ଦେଖୁ ଥାଆନ୍ତି l ସେମାନେ କିନ୍ତୁ କାନ ଟେକି ବାହାରକୁ ଅନେଇ ଥାଆନ୍ତି ବର କେତେବେଳେ ଆସିଵେ ? ହଠାତ ରୁନି ଆସି କହିଲା ଚାଲ, ଚାଲ ଚନ୍ଦୁ ନାନୀଙ୍କ ବର ଆସିଲେଣି ଦାଣ୍ଡ ଦୁଆର ପାଖକୁ l ହଠାତ ମୁଁ ଦେଖିଲି ମୋ ପାଖରେ କେହି ନାହାନ୍ତି l ହରିଣ ପରି ସମସ୍ତେ ଜଲ୍ଦି , ଜଲ୍ଦି ଦାଣ୍ଡ ପଟକୁ ଦୌଡିଲେ l ବିବିନି ବି ତର , ତର କରି ମୋ କପାଳରେ ଚନ୍ଦନ ଲଗେଇ ଦେଇ ସମସ୍ତଙ୍କ ପଛେ ଚାଲିଲା ଦାଣ୍ଡ ପଟକୁ l ଭାଉଜଙ୍କୁ ମୋ ପିଉସୀ ନାନୀ କିଛି କାମ ପାଇଁ ଡ଼ାକିନେଇଥିଲେ l ମୁଁ ଏକୁଟିଆ ରହିଗଲି ସେଇ ଘରେ l ହଠାତ ଉଦବେଗରେ ମୁଁ ଭାବିଲି ମୁଁ ବି ଯାଇ ସମସ୍ତଙ୍କ ପରି ବର ଦେଖି ଆସିବି? ମଶିଣାରୁ ଉଠି ଦୁଇ ପାଦ ପକେଇଛି ସେପଟୁ ମୋ ପିଉସୀ ନାନୀ ବଡ଼ ପାଟିରେ କହିଲା, ଚନ୍ଦୁ ତୁ ଯୋଉଠି ବସିଛୁ ସେଇଠି ବସ୍ l ବର ଦେଖି କଣ କନିଆ ଯାଏ ଯେ ତୁ ଚାଲିଲୁ ସମସ୍ତଙ୍କ ସାଙ୍ଗେ l ଅଶୁଭ ସେଇଟା l କୁଆଡେ ଯାଆନା, ଯାହା ଦରକାର କହ, ଆମେ ଆଣିଦେବୁ l ମନେ, ମନେ ଭାବିଲି ତୁ କଣ ଆଣି ଦବୁ ମୋର ଯାହା ଦରକାର? ପୁଣି ଭାବିଲି ନାଇଁ ଅଶୁଭ କାମ କେବେ କରିବିନି ଯେତେ ମନ ହେଲେବି !

ସେପଟୁ ରୁନି, କସ୍ତୁରୀ ଆଉ ମୋ ସାଙ୍ଗ ମାନେ ହସି ହସି ଆସିବା ଶୁଣିଲି l ସମସ୍ତେ ସେଇ ଗୋଟିଏ କଥା କହୁଥାଆନ୍ତି l ସତରେ ବର ଧୋତି ପିନ୍ଧି ଗାଁର ହେଲେବି ଭାଇ ସୁନ୍ଦର l ମୋର ସୁଧାଂଶୁ ନଡ଼ିଆ ନେଇ ଆମ ଘରକୁ ମତେ ପ୍ରଥମ ଥର ଦେଖି ଆସିବା କଥା ପୁଣି ମନେ ପଡି ଗଲା l ଶୁଭ ବୋଲି ସିଏ ନଡ଼ିଆ ନେଇ ମତେ ଦେଖିବାକୁ ଆସିଥିଲେ l ଭାବିଲି କିଛି ଶୁଭକଥା ନିଶ୍ଚୟ ମନରେ ଭାବି ଥିବେ ଆଉ ଆମ ପରମ୍ପରାକୁ ମନରେ ରଖି ଧୋତି ପିନ୍ଧି ବାକୁ ସ୍ଥିର କରିଥିବେ l ସେଥି ପାଇଁ ଧୋତି ପିନ୍ଧି ଆସିଲେ l ନହେଲେ ଆମେରିକାରୁ ଆସିବା scientist ଙ୍କ ପାଇଁ suit ପିନ୍ଧି ଆସିବା କଣ ବଡ଼ କଥା ?

ସୁଧାଂଶୁଙ୍କର କ୍ୟାମେରା ଟିଏ ଥିଲା, କିନ୍ତୁ ଯାହାକୁ ଫୋଟୋ ଉଠାଇବାକୁ କ୍ୟାମେରାଟି ଦେଇ ଥିଲେ ତାଙ୍କୁ ଫୋଟୋ ନେବା ଠିକ୍ ରେ ଜଣା ନଥିଲା l ଆମ ଘରେ ଫୋଟୋ ଗ୍ରାଫର ଆଣିବାର ପ୍ରଶ୍ନ ନଥିଲା l ତେଣୁ ଭଲ ଫୋଟୋ ଟିଏ ବି ନାହିଁ ମୋ ପାଖରେ ସେଇ ମୁହୂର୍ତ୍ତ ଟିକୁ ଦେଖେଇବା ପାଇଁ ?ଏଇ ଫୋଟୋ ଟି କାଟି ମୋ ଲେଖା ଶେଷ କରୁଛି l

ମନେ ପଡିଗଲା ନାନୀର ଲେଉଟ ଚକୁଳି ଆଉ ମୋ ପୁତୁରା ବୁଟୁ

❤️

ଆଜି ଜଣେ ପାଠିକା କମେଣ୍ଟ ରେ ଲେଖିଲେ, ନାନୀ, ଆପଣ କଣ ଆମେରିକାରେ ରହିଗଲେ ? ହଠାତ୍ ଭାବିଲି ସତରେ ଏଠାକୁ ଆସିବା ଚାଳିଶି ବର୍ଷରୁ ଅଧିକ ହୋଇଗଲାଣି l ସମୟ କିପରି କଟି ଗଲା ଜାଣି ପାରୁନି l ତେବେ ସକାଳର ଖରା ଯେମିତି କୁହୁଡିକୁ ଆଡେଇ ଦିଏ ସେମିତି ମୋ ମନରୁ ପୁରୁଣା କଥା ସବୁକୁ ଆଡେଇ ଚାଲିଲି ଚାଲୁ ଚାଲୁ l ଭାବିଲି କେମିତି ଆଉ କାହିଁକି ଏଠି ରହିଗଲି l

ବାହାଘର ବେଳେ ସୁଧାଂଶୁଙ୍କର ଚାକିରୀ ଝରିଆ CFRI (ସେଣ୍ଟ୍ରାଲ ଫୁଏଲ ରିସର୍ଚ୍ଚ ଇନ୍ଷ୍ଟିଚୁଟ୍ ରେ ) ମିଳି ଥିଲା l ବର୍ଷକ ପରେ ଆମେ ଭୁବନେଶ୍ୱରକୁ ଫେରି ଆସିବାର ଥିଲା l ମୋ ନାନୀ ଯିଏ ସୁଧାଂଶୁଙ୍କର ଭାଉଜ ହେବ କହିଲା, ଠିକ କଥା ଭୁବନେଶ୍ୱରରେ ଚାକିରି ନେବ l ବାପାଙ୍କ ଇଛା ଚନ୍ଦୁ ଆମ ଘରେ ସବୁଠାରୁ ସାନ l ସମସ୍ତଙ୍କ ପାଖରେ ଆମ ଓଡ଼ିଶାରେ ରହିଲେ ଭଲ ହେବ l ଅଳ୍ପ କଥା କହିବା ଲୋକ ସୁଧାଂଶୁ ଥଟାରେ ନାନୀକୁ କହିଲେ, ଭାଉଜ ଆଉ ଚନ୍ଦୁ କଣ ତୁମ କଥାରେ ଚଳିବ? “ଏବେ ମୋରତ ତା ଉପରେ ସବୁ ଦାବି” ? ନାନୀ ଆଉ ମୁଁ ଦୁହେଁ ହସିଲୁ , ମୁଁ କହିଲି ହଁ ଦେଖିବା ,ବର୍ଷକ ପରେ ଯେମିତି ହେଲେ ଆମେ ଭବନେଶ୍ୱର ଫେରି ଆସିବା l ମୁଁ ସମସ୍ତଙ୍କୁ ଛାଡି କୋଇଲା ଜାଗା ଝରିଆରେ ରହିଁବିନି ? ସେଠିକା ପାଣି ପବନରେ ଆଉ କଳା ହୋଇଯିବି l ତୁମେ ସିନା ଗୋରା, ତୁମକୁ କିଛି ଫରକ ପଡ଼ିବନି l

ଆମ ଘରେ କିଏ ବାହାରକୁ ଯିବାକୁ ଥିଲେ ସବୁବେଳେ ଆମେ ଲେଉଟ ଚକୁଳି କରି ଯିବା ଲୋକଟିକୁ ଖାଇବାକୁ ଦେଉ l ସେଇଟା ଶୁଭ ବୋଲି ମୋ ବୁଢ଼ୀ ମା ସବୁବେଳେ କହୁଥିଲା l ସାଙ୍ଗରେ ଗପଟିଏ ଯୋଡି କହେ କେମିତି ସାଧବ ପୁଅ ମାନଙ୍କୁ ଲେଉଟ ଚକୁଳି ଖାଇବାକୁ ଦିଆ ଯାଉ ଥିଲା, ସେମାନେ ଫେରି ଆସିବେ ବୋଲି l ମୁଁ ସେ କଥାରେ ବେଶି ବିଶ୍ୱାସ କରେନି l ତେବେ ନାନୀ ଆମର ଝରିଆକୁ ଯିବା ଦିନ ଚକୁଳି କରିବା ପାଇଁ ସକାଳେ ବିରି ଚାଉଳ ବତୁରାଇ ଦେଲା l ମୁଁ ଆଉ ମୋ ପୁତୁରା ବୁଟୁ ନାନୀ ଘର ବାଡିରେ ଚାଉଳିଆ ଗଛକୁ ଅନାଇ କେମିତି ପାଚିଲା ଚାଉଳିଆ ତୋଳିବୁ ସେଥିରେ ବ୍ୟସ୍ତ ଥିଲୁ l ନାନୀ ଚାରିଟା ବେଳକୁ ଶିଳରେ ବତୁରିଥିବା ଚାଉଳ, ବିରି ବାଟିବାରେ ଲାଗିଗଲା l ସେତେବେଳେ ତ ମିକ୍ସି ନଥିଲା l ମୋର ସାହାଯ୍ୟ କରିବା କଥା କିନ୍ତୁ ମୁଁ ଚାଉଳିଆ କେତେ ମିସ କରିବି ବୋଲି ଯାଇ ଗଛ ପାଖେ ଠିଆ ହୋଇଥିଲି l ମନେ, ମନେ ଭାବିଲି ଏବର୍ଷ ନାନୀ ବାଡ଼ିର ଆମ୍ବ , ବେଲ ,ବରକୋଳି ଆଉ ଚାଉଳିଆ ସବୁ ଖାଇବାକୁ ମିଳିବନି l କିଏ ଯାଣେ ଝରିଆରେ କଣ ସବୁ ମିଳିବ l ମନେ, ମନେ ଟିକିଏ ରାଗ ତ ଆସୁଥିଲା l ତେବେ ଯିବାକୁ ଭାରି ଖୁସିବି ହେଉଥିଲି l ପ୍ରଥମ କରି ସାରା ରାତି ଟ୍ରେନରେ ଯିବା କଥା ଭାବି ଆଉ ପୁରୁଣା ହିନ୍ଦୀ ସିନେମାରେ ଅଭିନେତା, ଅଭିନେତ୍ରୀଙ୍କ କଥା ମନେ ପଡୁଥିଲା l କେମିତି ସେମାନେ ଖୁସିରେ ପାଖାପାଖି ବସୁଥିଲେ ଆଉ ଗୀତ ବି ଗାଉଥିଲେ l ମନରେ ଭାବିଲି ସୁଧାଂଶୁ କେବେ ଗୀତ ଗାଇବା ଭଳି ଲାଗୁ ନାହାନ୍ତି?

ଆମ ଟ୍ରେନ ରାତି ନଅ ଟାରେ ଛଡ଼ିବାର ଥିଲା l ନାନୀ ସମସ୍ତଙ୍କ ପାଇଁ ରାତିରେ ଖାଇବା ପାଇଁ ପୁର ଦିଆ ଚକୁଳି ଆଉ ଡାଲମା କରିଥିଲା l ଦୁଇଟା ଚକୁଳି ଅଲଗା କରି ଟିକିଏ ଅଲଗା ଜାଗାରେ ଥୋଇଥିଲା l ସେଇଟା ଲେଉଟ ଚକୁଳି ଥିଲା ମୋ ପାଇଁ l ନାନୀର ରୋଷେଇ ଘର ଭାଇ ସାନ ଥିଲା l ଜଣେ ଲୋକ ଥରକେ ଦୁଆର ଦେଇ ଭିତରକୁ ଯାଇ ପାରିବ l ଜଣ ଜଣ କରି ସବୁ ପିଲାଙ୍କୁ ନାନୀ ଡାକି ଖାଇବା ବାଢି ଦେଉଥିଲା l ସୁଧାଂଶୁ ଆଉ ମୋ ଭିଣୋଇ ବି ବାହାରେ ପିଢ଼ାରେ ବସି ଖାଇସାରି ଥିଲେ l ମୁଁ ଆଉ ମୋ ପୁତୁରା ବୁଟୁ ରହିଗଲୁ ଶେଷ ବେଳକୁ l ସେପଟେ ଜିନିଷ କିଛି ରଖିବାର ଥିଲା ବୋଲି ସୁଧାଂଶୁ ଡାକି ବସିଲେ l ତର ତରରେ ଯାଇ ମୁଁ ଆଉ ବୁଟୁ ପିଠା ଖାଇ ବସିଲୁ l ନାନୀ କହିବାରେ ଲେଉଟ ଚକୁଳି କୋଉଠି ଟିକିଏ ମୋଟା ଆଉ ତିନି ଥର ଓଲଟା ହୁଏ l ବୋଧେ ବୁଟୁ ମୋ ପାଇଁ ଥୁଆ ହୋଇଥିବା ଚକୁଳି ପିଠା ଖାଇଦେଇଥିଲା l ଅଜଣାରେ ଆମେ ବଦଳି କରି ପିଠା ଖାଇ ଦେଇଥିଲୁ ? ନାନୀ ଯେତେବେଳେ ସେ କଥା ଜାଣିଲା କହିଲା, ବୁଟୁ ତୁ ମାଉସୀ ଚକୁଳି ଖାଇଲୁ, ସିଏ ଆଉ ଫେରି ଆସିବନି ଭୁବନେଶ୍ୱରକୁ ? ତୁ ଚାଉଳିଆ ଆଉ କାହାପାଇଁ ଗଛରେ ଚଢି ତୋଳିବୁ ?” ବୁଟୁ ଆସି ପଚାରିଲା, ବୋଉ କଥା ସତ କି ମାଉସୀ” ? ମୁଁ ତା ମୁଣ୍ଡରେ ହାତ ବୁଲାଇ କହିଲି, ନାଇଁ ସେ ସବୁ ଅନ୍ଧ ବିଶ୍ୱାସ l ଆର ବର୍ଷ ଆମ୍ବ ପାଚିଲା ବେଳକୁ ମୁଁ ଆସିଯିବି ! ଆମେ ମୋଟେ ବର୍ଷକ ପାଇଁ ଝରିଆ ଯିବୁ l

ଝରିଆରେ ରହିବାର ବର୍ଷକ ପରେ ଭୁବନେଶ୍ୱର ଆସିବା ବଦଳରେ ସୁଧାଂଶୁ ମୁମ୍ବାଇ ରେ କାମ ନେଲେ l କାରଣ ଥିଲା ଭୁବନେଶ୍ୱରରେ ସବୁ କାମ ଡେରି, ଡେରି ହେଲା ପରି ତାଙ୍କ ବଦଳିକୁ ଆଉ କିଛି ସମୟ ଲାଗିବ ବୋଲି ଉପରୁ ଅର୍ଡର ଆସିଲା l ଆମର ଯଦି କିଏ ପରିଚିତ ଲୋକ ଉପରେ ଥାଆନ୍ତି ତାହାଲେ ସେଇ ବଦଳି ଜଲ୍ଦି ହୋଇଯିବ ବୋଲି ଜଣେ କର୍ମଚାରୀ କହିଲେ l ମୁମ୍ବାଇ ରେ ଭଲ କାମ ମିଳିଥିବା ଯୋଗୁ ଆମେ ସେଠାକୁ ଚାଲିଗଲୁ l ବାହାରେ ରହିବାର ସୁଖ ଆଉ ଦୁଃଖରେ ମୁଁ ନିଜକୁ ମେଳେଇବା ଧୀରେ ଧୀରେ ଶିଖି ଯାଉଥିଲି l

ସୁଧାଂଶୁ କାମକୁ ସକାଳ ସାତଟାରେ ଯାଇ ରାତି ଆଠଟାରେ ଫେରନ୍ତି l ତେଣୁ ଦିନସାରା ଭାବେ ଭୁବନେଶ୍ୱର ରେ ଥିଲେ ନାନୀ, ଭାଇନା ସମସ୍ତେ ପାଖରେ ଥାଆନ୍ତେ l କେତେ ପୂଜା, ପର୍ବ ଘରେ ହୁଅନ୍ତା? ଯା ହେଉ କିଛି ଦିନ ପରେ ମୋର ଝିଅ ଜନ୍ମ ହେଲା l ତାର ଯତ୍ନ ନେବାରେ ମୋର ପ୍ରାୟ ସମୟ କଟିଗଲା l ତେବେ ପଢ଼ିବାର ଇଛା ସବୁବେଳେ ମନରେ ଆସୁଥାଏ l କେମିତି ପଢ଼ିବି ସେଥିପାଇଁ ସବୁ ବେଳେ ଭାବୁ ଥାଏ l ବେଳେ,ବେଳେ ଭାବେ ବି.ଏ ଟା ହେଲେ ଶେଷ କରିବା ପରେ ବାପା ବାହା କରି ଥାଆନ୍ତେ? ଏତେ ତର ତର ହେଵା କଣ ଦରକାର ଥିଲା ? ଜମା ଅଠର ବର୍ଷ ଆରମ୍ଭ ହୋଇଥିଲା l ମୋ ସାଙ୍ଗ ମାନେ କଣ ପଢିବେ ଠିକଣା କରୁ ଥାଆନ୍ତି ସେତେବେଳେ l

ମୁମ୍ବାଇରେ ସବୁ ମିଳିବ କିନ୍ତୁ ଠିକଣା ଘର ଖଣ୍ଡେ ମିଳିବା କାଠି କର ପାଠ l ମୋର ପୁରୀରେ ଆଉ ସୁଧାଂଶୁଙ୍କର ବିଶ୍ୱନାଥ ପୁରରେ ଖୋଲା ଜାଗାରେ ଚଳିବାର ଅଭ୍ୟାସ ଥିଲା l ସୁଧାଂଶୁ ଭାବିଲେ ଆମେରିକା ପାଇଁ ଚେଷ୍ଟା କରିବେ l ଓଦିଶାରୁ ବାହାରକୁ ଆସି ବାହାରେ ରହିବା ମୋର ଅଭ୍ୟାସ ହୋଇଯାଇଥିଲା l ତେଣୁ ଭାବି କହିଲି ସୁଧାଂଶୁ, ତୁମେ ଯୁଆଡେ ଯିବ ମୋର କିଛି ଆପତ୍ତି ନାହିଁ l ତେବେ ସେଠି ଯଦି ମୁଁ କଲେଜ ଯାଇ ପଢି ପାରିବି ତାହେଲେ ମୋ ପାଇଁ ବହୁତ ଭଲ ହୁଅନ୍ତା ? ମୁଁ ମୁମ୍ବଇରେ ସେତେ ବେଳକୁ ବି.ଏ ପାସ କରି ଦେଇଥିଲି ସକାଳ କଲେଜରେ ପଢି l

ସୁଧାଂଶୁ ବାହାଘର ପୂର୍ବରୁ ଆମେରିକାରେ ପୋଷ୍ଟ ଡ଼କ କାମ କରିଥିଲେ l ସେତେବେଳେ ଆମେରିକାକୁ ଆସିବା କୋଟାରେ ତାଙ୍କ କ୍ୱାଲିଫିକେସନ ଯୋଗୁ ଆମକୁ ସୁବିଧାରେ ଏଠାକୁ ଆସିବାକୁ ଅନୁମତି ମିଳିଗଲା l ଏଠି ସୁବିଧାରେ ଚାକିରୀ ବି ହୋଇଗଲା l ଭାବିଥିଲୁ ଏଠି କିଛି ଦିନ ରହିଲା ପରେ ସୁବିଧା କରି ଭୁବେଶ୍ୱର ବା ପୁରୀ ଫେରିଯିବୁ l ହଁ ଏଠି ମୋର ପଢିବା ପାଇଁ ବହୁତ ସୁବିଧା ହେଲା l ମୁଁ ସ୍ୱାସ୍ଥ୍ୟ ସାଇନ୍ସ ପଢ଼ିଲି ଯୋଉଥି ପାଇଁ ମୋର ବହୁତ ଇଛା ଥିଲା l ଅବଶ୍ୟ ଏକୁଟିଆ ତିନୋଟି ପିଲାଙ୍କୁ ନେଇ ସାଇନ୍ସ ପଢିବା ସହଜ ନଥିଲା l ବୋଝ ଉପରେ ନଳିତା ବିଦା ପରି,ସବୁ କାମ ଏଠି ନିଜକୁ କରିବାକୁ ପଡୁଥିଲା l କିନ୍ତୁ ପଢ଼ିବାର ସୁବିଧା ଥିବାଯୋଗୁ ମତେ ଭଲ ଲାଗିଲା l ସୁଧାଂଶୁ ଆଉ ବଡ଼ ଦୁଇ ପିଲାମାନେ ସମସ୍ତେ ସାହାଯ୍ୟ କରିଥିଲେ l ପଢା ପରେ ମତେ ସୁବିଧାରେ କାମ ବି ମିଳି ଗଲା, ଯାହା ମୋର ପିଲାଦିନରୁ କରିବା ପାଇଁ ଇଛା ଥିଲା l

ଧୀରେ, ଧୀରେ ଚାଳିଶ ବର୍ଷ ହୋଇଯବ ବୋଲି ଭାବି ନଥିଲି l ତେବେ ଆଜିର କମେଣ୍ଟ ଦେଖି ପୁରୁଣା କଥା ମନେ ପଡିଗଲା l ମୁଁ ନାନୀର କଥା ମନେ ପକାଇ ଭାବିଲି ବୋଧେ ବୁଟୁ ଯଦି ମୋ ଭାଗ ଚକୁଳିଟା ଖାଇ ନଥାଆନ୍ତା ତାହାଲେ ମୁଁ ଭୁବନେଶ୍ୱର ଫେରିଯାଇ ଥାଆନ୍ତି l ତେବେ ଗଲା କଥା ତ ଗଲାଣି , ଆଉ କଣ ସେ ଦିନ ଫେରି ଆସିବ l ତେବେ ଏଇଟା ଭଗବାନଙ୍କର ବରାଦ ବା ବୁଟୁର ଉପହାର ଭାବି ଆଜିର ଗଳ୍ପଟି ଲେଖୁଛି l ମନ କଥା ମୁଁ ସବୁବେଳେ ଲେଖିଦିଏ ଆଉ ସମସ୍ତଙ୍କୁ କହିବାକୁ ପଛାଏ ନାହିଁ l ଆଶା ମୋର ଏଇ ଗପଟି ଭଲ ଲାଗିବ ଆପଣ ମାନଙ୍କୁ ପଢିବାକୁ l

——-ନାଁ ବଦଳିବା ଆମେରିକାରେ——

କିଛି ବର୍ଷ ତଳର କଥା ଆଜି ମନେ ପଡିଗଲା l ସେଦିନ ଅଚାନକ ମୋର ପିଲାଦିନ ସାଙ୍ଗ ଜୟଶ୍ରୀ କୁ ଆମ କମ୍ପାନୀର ପ୍ରତୀକ୍ଷା ଘରେ ଦେଖି କାବା ହୋଇ ଗଲି l ମତେ ଦେଖି ପଚାରିଲା ଚନ୍ଦ୍ରମଣି ତୁ କେବେଠୁ ଏଇ କମ୍ପାନୀ ରେ ଅଛୁ ? ସିଏ ବୋଧେ ଖାଲି ଥିବା ଗୋଟିଏ କାମ ପାଇଁ ଦରଖାସ୍ତ ଦେଇଥିଲା, ସେଥି ପାଇଁ ଅପେକ୍ଷା କରିଥିଲା ତାକୁ କମ୍ପ୍ୟୁଟର ବିଭାଗକୁ ନେବା ପାଇଁ କିଏ ଆସିବେ ବୋଲି l ବହୁତ ବଦଳି ଯାଇଛି. ମୁହଁରେ ନାଲି ଲିପିସ୍ଟିକ ଆଉ ବାଳ ବି ବେଶ ଛୋଟ ଛୋଟ କାଟିଛି l ମୁଁ କହିବା ଆଗରୁ ସିଏ କହିଲା ପରେ କଥା ହେଵା, ମତେ ନବା ପାଇଁ ସେକ୍ରେଟେରୀ ଆସିଲାଣି l ମୁଁ ତାକୁ କହିବାକୁ ଭୁଲିଗଲି , ଚନ୍ଦ୍ରା ମୋର ନାଁ କହିଲେ ସେମାନେ ତତେ ମୋ ପାଖକୁ ନେଇ ଆସିବେ ନହେଲେ ମତେ ଫୋନ ରେ ଜଣେଇ ଦେବେ l ମୁଁ ଆସି କଥା ହେବି ା ପିଲାଦିନେ ଆମେ ଏକାଠି ପଢିଥିଲୁ l ତା ବାପାଙ୍କର ବଦଳି ହୋଇ ଯାଇଥିଲା ଆମେ ନବମ ଶ୍ରେଣୀରେ ପଢିଲା ବେଳେ l ସେବେଠୁ ଏପର୍ଯ୍ୟନ୍ତ ଆଉ ଦେଖା ହୋଇନି ବା ଖବର କିଛି ରଖିନୁ ଆମେ ପରସ୍ପରଙ୍କର l ମୁଁ ବାହା ହୋଇ ମୁମ୍ବଇ ଆସିଲା ପରେ ଥରେ ମୋ ସାଙ୍ଗ ରେଖା ସାଂଗେ ପୁରୀ ଦେଉଳରେ ଦେଖା ହୋଇଥିଲା,ସେଇ କହିଲା ଜୟଶ୍ରୀ କଂପୁଟର ସାଇନ୍ସ ପଢି ଚାକିରୀ କରିଛି l ଆମେରିକାରେ ତାର ସ୍ୱାମୀ କାମ କରନ୍ତି l

ମୁଁ ଆମେରିକା ଆସିଲା ପରେ ପିଲାଙ୍କ ସାଂଗେ ଆଉ କଲେଜ ଯିବାରେ ବ୍ୟସ୍ତ ରହି ସବୁ ସମୟ କଟେଇଲି l କାହାକଥା ଭାବିବାକୁ ବା କିଏ କୋଉଠି ଅଛି ଜାଣିବାକୁ ସମୟ ନଥିଲା l ସେତେବେଳେ ଫେସବୁକ ର ସୁବିଧା ନଥିଲା l ଜୟଶ୍ରୀ କୁ ଦେଖିବା ପରଠୁ ମନରେ ପୁରୁଣା କଥାର ଶୁଅ ଲହଡି ପରି ଆସି ଭାଙ୍ଗିଲା l ବାରମ୍ବାର ମନେ ପଡିଲା ମୁଁ କେମିତି ଚଟା ଖେଳିବା ପାଇଁ ତା ଘରକୁ ଯାଉଥିଲି l ତା ବୋଉ ଭଲ ଆଚାର କରନ୍ତି l ମୋ ଆଖି ସବୁ ବେଳେ ଥାଏ ଆଚାର ଖାଇବା ପାଇଁ l ମାଉସୀ କହିବା ପୂର୍ବରୁ ମୁଁ ମା ରାମଚଣ୍ଡୀଙ୍କୁ ଡାକି କହେ, ହେ ମା, ଆଜି ମାଉସୀ ମତେ ପରଟା ଆଉ ଆଚାର ଖାଇବାକୁ କୁହନ୍ତୁ l ଜାଣିନି କାହିଁକି ମୁଁ ସାମାନ୍ୟ ଆଚାର ଆଉ ପରଟା ପାଇଁ ରାମଚଣ୍ଡୀ ଙ୍କୁ ଡାକୁଥିଲି ? ବୋଧେ ଆମ ଘରେ ବୋଉ ନଥିବା ଯୋଗୁ କେହି ପରଟା ବା ଆଚାର କରିବା ଵାଲା ନଥିଲେ ବା ସ୍ନେହରେ କେହି ପାଖରେ ବସି ଖାଇବାକୁ କହୁ ନଥିଲେ l ସେଇ ଯୋଗୁ ଆମର ବଡ଼ ପକା ଘର ହେଲେବି ମତେ ଘରଟା ଭାରି ଅନ୍ଧାର ଆଉ ଖାଲି ଲାଗେ l ଜୟଶ୍ରୀ ମତେ ତାଙ୍କ ଘରକୁ ଡାକିବା ପାଇଁ ମୁଁ ଗୋଡ଼ ଟେକି ବସିଥାଏ l ବେଳେ ବେଳେ ସିଏ ଅନ୍ୟ ମାନଙ୍କୁ ଡାକି ନିଏ l ମୋ ମନ ଭାରି ଖରାପ ଲାଗେ l ସେଥିପାଇଁ ଆଗରୁ ଦିଅଁ ଙ୍କୁ ଡାକି ଦିଏ l

ହଠାତ କିଏ ଜଣେ କହିଲା ଚନ୍ଦ୍ରା, ନୂଆ ଇଣ୍ଟରଭିଉ ଦେବାକୁ ଆସିଥିବା ଲେଡି ପ୍ରଥମ ନାଁ ଚନ୍ଦ୍ରମଣି ବୋଲି ଜଣଙ୍କୁ ଖୋଜୁଥିଲେ ? ତାଙ୍କୁ ଶେଷ ନାମ ଜଣା ନଥିଲା l ଅପେକ୍ଷ୍ୟା କରି କରି ଏଇନେ ଚାଲିଗଲେ. ମୁଁ ମୋ ଭାବନାରୁ ଫେରି ଆସି କହିଲି ଇଏସ , ଇଏସ, ସିଏ ମତେ ଖୋଜୁଥିଲା l ତୁମେ ମତେ ଡାକିଲନି ? ମୁଁ ଅପେକ୍ଷ୍ୟା କରି ବସିଛି l ସେମାନେ କାବା ହୋଇ ମତେ ଅନେଇଲେ ? କହିଲେ ତୁମ ନାଁ ତ ଚନ୍ଦ୍ରା? ଇଏସ ତୁମେ ଠିକ କହୁଛ, ହେଲେ ସେ ଲୋକଙ୍କର ପୁରା ନାଁ କଣ? ବହୁତ ଖୋଜି ଜାଣିଲି ଜଣେ ଜୟ ସାମୁଏଲ ଇଣ୍ଟରଭିଉ ଦେଇଥିଲେ l ଭାବିଲି ବୋଧେ ମୋ ପରି ଜୟଶ୍ରୀ ନାଁ ଟାକୁ ଜୟଶ୍ରୀ ରୁ ଜୟକୁ ବଦଳି କରିଛି, ଏଠିକା ଲୋକଙ୍କ ପାଇଁ ସୁବିଧା ହେବ ଡାକିବାକୁ ବୋଲି l ଚାକିରୀରେ ଡାକିବା ପାଇଁ ସୁବିଧା ହେବ ବୋଲି କେତେଲୋକ ଏପରି କରନ୍ତି ? ସାମୁଏଲ ବୋଧେ ଶେଷ ନାମ ବାହାହେବା ପରେ ହୋଇଥିବ? ତେବେ ମୁଁ କହି ଦେଇ ଥିଲେ ହୋଇ ଥାଆନ୍ତା ମତେ ଏଠି ଚନ୍ଦ୍ରା ନାଁରେ ଜାଣନ୍ତି l ନିଜ ଉପରେ ଚିଡ଼ିଲି l ସାମାନ୍ୟ କଥା କହିବାକୁ ଭୁଲି ଗଲି ବୋଲି ? ଭାବିଲି ଫୋନ ନମ୍ବର ଟା ମିଳନ୍ତାକି ? ବ୍ୟକ୍ତିଗତ ବିଭାଗ ଫୋନ ନମ୍ବର ତ ଦେବନି ଯେତେ କହିଲେବି ?

ମନେ ମନେ ପୁଣି ରାମଚଣ୍ଡୀ ଙ୍କୁ କହିଲି ମା, ଜୟଶ୍ରୀ ଏଇଠି କାମ ପାଇଯାଉ ଆମ କଂପାନୀରେ l କିଛି ଦିନ ପରେ ଦେଖିଲି କମ୍ପାନୀ ଇଣ୍ଟେରନାଲ ମେଲ ରେ ଲେଖା ହୋଇଛି; ନୂଆ କର୍ମଚାରୀ ଜୟ ସାମୁଏଲ, ନିଉଜର୍ସି l ସାଂଗେ ସାଂଗେ ମୁଣ୍ଡିଆଟିଏ ମାରିଲି ରାମଚଣ୍ଡୀଙ୍କୁ ଆଉ ଫୋନ ବୁଲେଇଲି ୨୦୧ ୨୪୪ ୬୯୮୭ l ଆରପଟୁ ଶୁଣିଲି ଜୟ କହୁଛି l ମୁଁ କହିଲି ହେ ମୁଁ ତୋ ସାଙ୍ଗ ଚନ୍ଦ୍ରମଣି କହୁଛି l ଦୁହେଁ ବୁହେ ହସିଲୁ ଆଉ ଜାଣିଲୁ ଏଠି ଆମ ଘରେ ଦିଆ ନାଁ କାହିଁକି ଆଉ କେମିତି ବଦଳି ଯାଏ, ଡାକିବା ସୁବିଧା ପାଇଁ l ଯା ହେଉ ମେରୀ ବା ଗିଲଡ଼ା ତ ହେଇନି ପୁରା ୩୬୦ ଡ଼ିଗ୍ରୀ ବଦଳି ହେଲାପରି କେତେ ଲୋକଙ୍କର l

ଜନ୍ମ ଦିନର ଶୁଭେଚ୍ଛା ମଉସା (GFPSP). Girl From Pathuria Sahi, Puri.

  ଜନ୍ମ ଦିନର ଶୁଭେଚ୍ଛା ମଉସା

From: (GFPSP) Girl From Pathuria Sahi, Puri.

ଆଜି ମୋର ଆଉ ଆମ ସମସ୍ତଙ୍କର ପ୍ରିୟ କବି ମାୟାଧର ମାନସିଂହଙ୍କର ଜନ୍ମ ଦିନ lତାଙ୍କର ଧୂପ କବିତା ବହିଟି ପଢିବାର ଇଛା ଓ ସଙ୍ଘର୍ଷ ମୁଁ ଆଗରୁ ଲେଖିଛି l ଆଜି ପୁଣି କବିଙ୍କ କଥା ମନେ ପକାଇ ମୋର ଏଇ ଉପହାରଟି ପୋଷ୍ଟ କଲି l

କବିତା ଆଉ ଗଳ୍ପ ପଢିବା ପାଇଁ ମୁଁ ସବୁବେଳେ ଇଛୁକ ଥିଲି। ବେଶୀକରି ପ୍ରେମି ଓ ପ୍ରେମିକାଙ୍କ ମିଳିବା ଆଉ ବିସନ୍ଧି ହେବାର କବିତା ମତେ ବହୁତ ଭଲ ଲାଗେ। ଖରାଦିନେ ମୁଁ ଆମ ବାଡ଼ି ଆଡ଼ ଚାଉଳିଆ ଗଛର ଡାଳରେ ଚଢି ବହିଖଣ୍ଡେ ଧରି ବସିଯାଏ। ପ୍ରାୟ ୪ ବା ୫ ଘଂଟା କେମିତି କଟିଯାଏ ଜଣା ପଡ଼େନି। କବିତା ପଢିଲା ବେଳେ ମୁଁ ମନେ ମନେ କବିତାର ନାଇକା ହୋଇଯାଏ ନହେଲେ କୋଣାର୍କର ମୂର୍ତି ହୋଇଯାଏ। କେବେ କେବେ କାହାର ମା ବା ଭଉଣୀ ହୋଇଯାଏ। ଏଭଳି କଳ୍ପନା କରି ମୋ ମନରେ ଯାହା ସବୁ ଇଛା ଥାଏ ତା ପୂରଣ କରେ। ଥରେ ମୁଗଲେ-ଆଯାଦ ସିନେମା ଦେଖିଲା ପରେ ଭାବିଲି ରାଜାଙ୍କ ପ୍ରେମିକା ହେଵା ଭାରି କଷ୍ଟ କିନ୍ତୁ ପ୍ରେମ ହେଲେ ଏମିତି ହେଲେ ଭଲ। ପୁଣି ନିଜେ ଉତ୍ତର ଦିଏ କାହିଁକି ଭଲ? ଭାବେ ସଲିମ ସାଙ୍ଗେତ ବସିବି। ନର୍ତ୍ତକୀ ମାନେ ନାଚୁ ଥିବେ ଓ ବହୁତ ଜେର୍ଲସ ହେଉଥିବେ ଯେ ମୁଁ ରାଣୀ ହୋଇ ବସିଛି, ବିଚରା ସେମାନେ ନାଚି ନାଚି ଥକୁଛନ୍ତି। ଅନାରକଲି ବିତ ସେମାନଙ୍କ ଭଳି ନର୍ତ୍ତକୀ ଥିଲା। ଏବେ ଭାବୁଛି ଏଇ ଜେର୍ଲସ ହଵା ଆଉ ଅଭିମାନ କରିବା ଗୁଣଟି ମୋ ଭିତରେ ବର୍ତ୍ତମାନବି ଭର୍ତି ହୋଇ ଅଛି। ନହେଲେ କିଏ ମୋ ପୋଷ୍ଟ ନପଢିଲେ ମୋ ମନରେ ଏତେ କୋହ କାହିଁକି ହୁଏ? ରାଗି ବି ଯାଇ ଅଭିମାନ କରେ। ବାରମ୍ବାର ଯୁମ୍ବା ଡାନ୍ସ କ୍ଲାସରେ ୱାଟର ବ୍ରେକ ବେଳେ ଫୋନ୍କୁ ଦେଖେ? ଭାବେ କାଳେ ମୋ ଲେଖାରେ କିଏ ଇମୋଜୀ ବା କମେନ୍ଟ ଛାଡ଼ିଥିବ? ଛାଡ଼ ସେ ସବୁ, ମୁଁ ତ ମନେପକାଉଛି ଆଜି ମୋର ସବୁଠୁ ଫେଂଵ ଲେଖକ ମାୟାଧର ମାନସିଂହଙ୍କୁ। ସିଏ ଲେଖିଥିବା ଧୂପ କବିତା ବହି ପଢିବା ପାଇଁ ମୋର ବହୁତ ମନ ଥିଲା। ଆସନ୍ତା କାଲି ପତ୍ରିକା ରେ ଧୂପ କବିତା ବହି ର ଗୋଟିଏ, ଦୁଇଟା କବିତା ପଢିଲା ପରେ ଭାବିଲି କେମିତି ହେଲେ ଵହିଟା ପୁରା ପଢ଼ିବି।

ଆମ ସାଇ ଯାଡୁଆଣି ଲାଇବ୍ରେରୀ ରେ ସେଇ ବହିଟି ନଥିଲା। ସମୁଦ୍ର କୁଳ ରାମକୃଷ୍ଣ ଲାଇବ୍ରେରୀ ଦୂରରେ ଥିବା ଯୋଗୁ ବାପା ଛାଡ଼ିବେନି। ଭାବିଲି, ଯଦି ପଢା ବହି ହୋଇ ଥାଆନ୍ତା ତାହାଲେ ଅବା ଭାଇନା ସାଙ୍ଗେ ଯାଇ ପାରନ୍ତି। ବାପା ତ କବିଙ୍କ ପ୍ରେମ କବିତା ପଢିବା କଥା ଶୁଣିଲେ ବହୁତ ଚିଡ଼ିବେ। ଖରା ଛୁଟି ନିକଟ ହୋଇ ଆସୁଥାଏ। ମୋ ସାଙ୍ଗମାନେ କିଏ କିଏ ତାଙ୍କ ଗାଁ କୁ ବୁଲିବାକୁ ଯିବାର କଥା କହୁଥାଆନ୍ତି। ମୋ ସାଙ୍ଗ ବାସନ୍ତୀ ଉଷା ସିଲେଇ କ୍ଲାସ ରେ ସିଲେଇ ଶିଖିଵ ବୋଲି କହୁ ଥିଲା। ମୂଁ କିଛି ଉପନ୍ୟାସ ଆଉ କବିତା ପଢିବାକୁ ଭାବୁଥିଲି । ମତେ ପିଲାଦିନୁ ଗପ ଓ କବିତା ବହି ପଢିବାକୁ ଭଲ ଲାଗେ। ଏବେବି ସେଇ ଅଭ୍ୟାସ ଛାଡ଼ିନି। ଘରେ ଆଉ କିଛି ପଛେ ନଥାଉ, ବହି ଗୁଡ଼ାଏ ଅଛି।

ଧୂପ ବହିଟିର ମୂଲ୍ୟ ସେତେବେଳେ ୮ ଅଣା ଥିଲା। ମନେ ମନେ ଭାବିଲି ବଡ଼ ଭାଇନାକୁ କହିଲେ ହୁଅନ୍ତା। କିନ୍ତୁ ସିଏତ ବୋଧେ ସେପ୍ଟେମ୍ବର ମାସରେ ଆସିବେ ବୋଲି କହୁଥିଲେ । ଖରା ଛୁଟିତ ସରିଯିବ। ଏବ ଭଳିଆ ଫୋନ ର ସୁବିଧା କାହାରି ନଥିଲା। ଚିଠି ଲେଖିଲେ ଡେରି ହୋଇପାରେ ଓ ବାପା ପଚାରି ପାରିବେ କଣ ପାଇଁ ଚିଠି ଲେଖୁଛୁ? ସବୁଦିନ ମନରେ କିଛି ଉପାୟ କରିବାକୁ ଭାବେ, କେମିତି ୮ ଅଣା ଏକାଠି କରିବି ଆଉ ବହିଟା କିଣିବି।

ଅରକ୍ଷିତଙ୍କୁ ଦଇବ ସାହା। ଆମର ବାହାର ନଳରୁ ପାଣି ପିଇବା ପାଇଁ ଆସେ। ବାକି ସବୁ କାମ ଘର କୂଅ ପାଣିରେ ହୁଏ। ମୁଁ ସବୁ ଦିନ ଦୁଇ ବା ତିନି ଗରା କଳ ପାଣି ବାହାରୁ ଆଣେ ପିଇବା ପାଇଁ । ସେଇଟା ଆଉ ଠାକୁରଙ୍କ ପାଇଁ ଫୁଲ ତୋଳିବା ମୋର କାମ ଥିଲା। ପାଣି ଗରାରେ ଭର୍ତି କଲା ବେଳେ ମୋ ସାଙ୍ଗ ବାସନ୍ତୀ କହିଲା ଚନ୍ଦୁ, ଜାଣିଚୁ ଟିକି ନାନୀଙ୍କ ଗୋଡ଼ ଭାଙ୍ଗି ଯାଇଛି। ସିଡିରୁ ଖସି ଗଲେ ଶୁଖିଲା ଲୁଗା ତାରରୁ କାଢୁ କାଢୁ। ଟିକି ନାନୀଙ୍କ ଘରେ ଆଉ କେହି ନଥାନ୍ତି। ଘର କାମ ତାଙ୍କର ଠିକା ଚାକିରାଣୀ କରିଦିଏ। ସିଏ ନିଜେ କଳରୁ ପାଣି ନିଅନ୍ତି। ରୋଷେଇ ବି ସିଏ ନିଜେ କରନ୍ତି । ଏକଥା ଶୁଣି ମନଟା ଭଲ ଲାଗିଲାନି।ମୁଁ ତାଙ୍କ ପାଇଁ କେବେକେବେ ପାଣି ଆଣି ଦଉଥିଲି। ଭାବିଲି ପଚାରି ଆସିବି ଯଦି କଣ ଦରକାର ହୁଏ ମତେ କହିବେ ବୋଲି। ମତେ ଦେଖି ଟିକି ନାନୀ କହିଲେ ଚନ୍ଦୁ ତୁ ଆସିଲୁ ଭଲ କଲୁ। ମୁଁ ତୋ କଥା ଭାବୁଥିଲି। ମତେ କିଛିଦିନ ତୁ ପାଣି ଆଣି ଦବୁ। ମୁଁ ସଙ୍ଗେ ସାଙ୍ଗେ ରାଜି ହୋଇ ଗଲି। ଆମର କଥା ହେଲା ୩ ବାଲ୍ଟି ପାଣି ପାଇଁ ସିଏ ମତେ ଗୋଟିଏ ଅଣା ଦେବେ। ତାଙ୍କ ଘର ଟିକିଏ ଦୂର ଥିଲା ବାହାର ନଳ ଥିବା ଜାଗାରୁ। ତେବେବିମୁଁ ଖୁସି ହୋଇଗଲି ଯେ ଏଥର ଧୂପ ବହିଟି କିଣି ପାରିବି। ଜୁନ ମାସରେ ଖରା ବହୁତ। ତଥାପି ମୁଁ ୮ ଦିନ ଏକାଦିକ୍ରମେ ପାଣି ନେଇ ଟିକି ନାନୀଙ୍କ ଘରେ ଦେଲି। ପ୍ରାୟ ଅଧ କିଲୋମିଟର ଦୂର ତାଙ୍କ ଘର ଥିଲା। ଆମ ଘର ପାଇଁ ୩ ଗରା ପାଣି ଆଉ ତାଙ୍କ ଘର ପାଇଁ ସେତିକି ପାଣି ଟେକି ନେଲା ବେଳକୁ କଷ୍ଟ ହେଉଥିଲା । ଜୁନ ମାସର ଖରାରେ ଦେହ ଝାଳ, ନାଳ ହୋଇ ଯାଉଥିଲା l

ତେବେ ଯେତେ ବେଳେ ଭାବିଲି ମୁଁ ଧୂପ ଵହିଟା କିଣି ପଢ଼ିବି ବୋଲି ମୁଁ ସବୁ ଭୁଲିଯାଏ। ଆଠ ଦିନ ପରେ ଟିକି ନାନୀଙ୍କ ଗାଁ ରୁ କିଏ ଜଣେ ଲୋକ ଆସି ରହିଲେ ତାଙ୍କ ପାଖେ ସାହାଯ୍ୟ କରିବାକୁ। ସେଇ ଦିନ ଟିକି ନାନୀ ତାଙ୍କ କାନିରେ ବନ୍ଧା ହୋଇଥିବା ଗଣ୍ଠିରୁ ଗୋଟିଏ ଆଠଣି କାଢି ମୋ ହାତକୁ ବଢ଼େଇ ଦେଲେ। କହିଲେ ରଖ, ଚେନାଚୁର ଆଉ ମିଠେଇ ଖାଇବୁ। ମୁଁ ମୁଣ୍ଡ ତଳକୁ କରି କହିଲି, ନାଇଁ । କବି ମାନସିଂହ ଙ୍କର ବହି ଖଣ୍ଡେ କିଣିବି ବୋଲି ଠିକ କରିଛି। ଟିକି ନାନୀ ମୋ ମୁଣ୍ଡରେ ହାତ ବୁଲେଇ କହିଲେ, ମା ଛେଉଣ୍ଡ ପିଲାଟା କଥା କିଏ ବୁଝୁ ନାହାନ୍ତି। ମୁଁ ଭୋକିରି କାନ୍ଦି ପକେଇଲି । ଭାବିଲି ସତରେ ବୋଉ ଥିଲେ ନିଶ୍ଚେ କବିତା ବହି ଖଣ୍ଡକ କିଣି ଦେଇ ଥାଆନ୍ତା। ତାପରେ ହସି କହିଲି ଆଜି ବଡ଼ଦାଣ୍ଡ ଯାଇ ଵହିଟା କିଣି ଆଣିବି। ଖରା ଛୁଟି ଆଉ ସପ୍ତାହେ ଥିଲା।

ସେ ଗ୍ରୀଷ୍ମ ଛୁଟିଟା ମୋର ବହୁତ ଭଲରେ କଟିଲା। ସବୁ ଦିନ ଦ୍ବି ପହରେ ଚାଉଳିଆ ଗଛରେ ଚଢି ଚାଉଳିଆ ଖାଏ ଆଉ ଧୂପ ବହିରୁ କବିତା ପଢେ। ମୋର ସେ କବିତା ସବୁ ଏବେବି ମନେ ଅଛି। ବହୁତ ଦିନ ପରେ ଧୂପ ବହିଟି ଆମେରିକାରେ ପୁଣି ଛପା ହେଲା ଆଉ ଜଣେ ମତେ ସେ ବହିଟି ଉପହାର ଭାବରେ ଦେଲେ । ପୁଣି ବହିର ପୃଷ୍ଠା ଗୁଡିକ ଓଲଟାଇ ଛୁଇଁଲି। କିନ୍ତୁ ସେ ପୁରୁଣା ମ୍ୟାଜିକ ଅନୁଭବ ହେଲାନି। ଭାଇଲି ବୋଧେ ସେତେବେଳେ ମୁଁ ଛୋଟ ଥିଲି ଆଉ ସବୁ କଥା ରେ ପ୍ରେମ, ଉମଂଗ ରହିଥିଲା। ଜୀବନ ଜଞ୍ଜାଳରେ ଏବେ ମୁଁ ଆଉ ସେତେ କବିତା ପଡ଼ୁନି। ଆଉ ଅନାରକଲି ବା ନାଇକା ହେବାର ସ୍ବପ୍ନ ନାହିଁ । ସେ ସବୁ ଆମ ପଥୁରିଆ ସାହିରେ ଛାଡି ଆସିଲି l

ଆଜି ମାନସିଂହ ଙ୍କ ସାହିତ୍ୟ ଆଲୋଚନା ଶୁଣି ଏଇ କଥାଟି ପୁଣିଥରେ ପୋଷ୍ଟ କଲି ମୋର ପିଲା ଦିନର ସ୍ମୃତିରୁ l Happy BD Mausa l

❤️ (ଗାର୍ଲ ଫ୍ରମ୍ ପଥୁରିଆ ସାହି ପୁରୀ {GFPSP}) ମୋ ସ୍ମୃତିରୁ ଗୋଟିଏ ଅଭୁଲା ମେମୋରି: ମନେ ପଡେ ମୋର ସୁଧାଂଶୁଙ୍କ ଅଖା ବସ୍ତାରେ ନଡ଼ିଆ ଆଣିବା ଆଉ ମୋର ନଡ଼ିଆକୁ ଭଲପାଇବା l ❤️

ସକାଳୁ କଲେଜ ଯିବା ପୂର୍ବରୁ ଭାଉଜ ପାଖକୁ ଆସି ମୋ କାନରେ କହିଲେ, ଚନ୍ଦୁ ଆଜି ଠିକ ସମୟରେ କଲେଜରୁ ଫେରିବ l ଡେରି ଜମା କରିବନି l ମୁଁ ପଚାରିଲି କାହିଁକି ଆଜି ସିନେମା ଯିବାକି ? ଆମେ ଯେବେ ସିନେମା ଯାଉ ମୁଁ ଜଲ୍ଦି ଆସି ରାତି ରୋଷେଇ ରେ ସାହାଯ୍ୟ କରେ, ତା ଦ୍ୱାରା ରାତି ୯ଟା ବାଜିବା ପୂର୍ବରୁ ସମସ୍ତଙ୍କର ଖାଇବା ସରେଇ ମୁଁ , ଭାଇନା ଆଉ ଭାଉଜ ସିନେମା ଦେଖି ଯାଉ l କିଛିତ ନୂଆ ସିନେମା ପଡିନି , ନହେଲେ ମୋ ସାଙ୍ଗ ପୁଷ୍ପିତା ନିଶ୍ଚୟ କହି ଥାଆନ୍ତା? ସିଏ ପ୍ରାୟ ସବୁ ସିନେମା ଯାଏ l ତେଣୁ ମତେ ଖବର କାଗଜରେ ସମୀକ୍ଷା ଦରକାର ପଡ଼େନି ସିନେମା ବିଷୟରେ ଜାଣିବା ପାଇଁ l ମୋ ମୁହଁକୁ ଚାହିଁ ଭାଉଜ କହିଲେ ନାଇଁ ତୁମକୁ ଦେଖିବା ପାଇଁ ସୁଧାଂଶୁ ଆସିବେ l ଭାଉଜଙ୍କ କଥା ଶୁଣିଲା ପରେ ମୋ ମନଟା ବରଡା ପରି ଶୁଖି ଗଲା l ଭାବିଲି ଯେତେ ଭଲ ପଢିଲେବି ମୋ ଭାଗ୍ୟରେ କଲେଜରୁ ଗ୍ରାଜୁଏଟ ହେବା ଲେଖା ନାହିଁ l ବୋଉତ ନାହିଁ, କାହାକୁ କହିବି ? “ବାପା ତ ବଯସ ଯୋଗୁ ସବୁଦିନ କହି ଚାଲିଛନ୍ତି “ତୋ ହାତ କୁ ଦି ହାତ କରିଦେଲେ ମୁଁ ଆଖି ବୁଝିବି” l ଯିବା ବେଳେ ଆମ ସାଇର ଠାକୁରାଣୀ ଅଲପଦ୍ମା ନ୍କ ପାଖରେ ମୁଣ୍ଡ ନୁଆଇଁ କହିଲି ଯାହା ତୁମ ଇଛା ମା ତାହିଁ ହେଉ, ତେବେ ଭଲ ଆଧୁନିକ ବର ଟିଏ ମୋ ପାଇଁ ବାଛି ଦିଅ l ମୁଁ ସହରରୁ ଯାଇ ଗାଁରେ ଚଳି ପାରିବିନି l

ଭାଉଜ ଆମର ଭାରି ଭଲ ଲୋକ ଥିଲେ l ମତେ କେବେ କାମ କରିବାକୁ ଦିଅନ୍ତିନି l ମୁଁ ସେଦିନ ଘରକୁ ଠିକ ସମୟରେ କଲେଜ ରୁ ଆସିଗଲି l ଆମ ଘରେ ସୋଫା ତ ନଥିଲା , ତେବେ ଚଉକି, ଟେବୁଲ ସବୁ ଝାଡି, ଝୁଡି ଦେଇ ବସିବା ଘର ସଜାଡି ଦେଲି l ଭାବିଲି କିଛି କାମରେ ସାହାଯ୍ୟ କରିଦିଏ l ବାହାଘରଟା ନିଶ୍ଚୟ ହେବ l ଜଲ୍ଦି କରିବା ପାଇଁ ସମସ୍ତେ ଲାଗି ପଡି ଥାଆନ୍ତି l ସେଦିନ ଭାଉଜ ବିଭିନ୍ନ ପ୍ରକାର ତରକାରୀ କରିଥିଲେ l ଆଳୁ ପୋଟଳ ରସା , ଫୁଲକୋବି ଭଜା, ଦହି ମାଛ ଝୋଳ, ଲେଉଟିଆ ଶାଗ ଆଉ ବାଇଗଣ ଚକା, ଚକା ଭଜା କରି ଥିଲେ l ମୁଁ ପାଖରେ ବସି ଭାବୁଥାଏ , ବାପରେ କିଏ ଏମିତି ଲୋକ ଯେ ଏତେ ପ୍ରକାର ଜିଣିଷ ତିଆରି ହେଉଛି ? ତେବେ ଭାଇନା କହିଲେ ଯିଏ , ମତେ ଦେଖିବାକୁ ଆସିବେ (ସୁଧାଂଶୁ) ଆମେରିକା ରେ ଥିଲେ l ଆମେରିକାରେ ଭଲ, ଭଲ ଚକୋଲେଟ ମିଳେ ବୋଲି ମୋ ସାଙ୍ଗ ମାନେ କହୁଥିଲେ l ପିଲାଦିନୁ ଚକୋଲେଟ ଖାଇବାକୁ ମୁଁ ବହୁତ ଭଲ ପାଉ ଥିଲି l କିନ୍ତୁ ଆମ ଘର ଆର୍ଥିକ ପରିସ୍ଥିତି ଯୋଗୁ କେବଳ ଥରେ ବା ଦୁଇ ଥର ଚକୋଲେଟ ଖାଇବାର ସୁଯୋଗ ବର୍ଷରେ ମିଳେ l ଭାବିଲି କେତେ ପ୍ରକାର ଚଲୋଲେଟ ସୁନ୍ଦର ରଙ୍ଗ ବାକ୍ସରେ ନିଶ୍ଚୟ ଆଣିବେ l ତାପରେ ଥରକୁ ଥର ବାହାରକୁ କାନ ଡେରି ଶୁଣୁଥାଏ କାଳେ କିଏ ଆସିଲେ ବୋଲି l ମୋ ପୁତୁରା ବଦ୍ରିକୁ କହିଥାଏ ଦାଣ୍ଡ ଦୁଆରେ ନଜର ରଖିବାକୁ ଯଦି କିଏ ରିକ୍ସାରେ ଆସି ଆମ ଘର କୋଉଟା ବୋଲି ପଚାରିବେ ?

ଏମିତି ଅନେଇ ଅନେଇ ଅଢେଇଟା ବାଜିଗଲା l ଆମେ କେହି ନଖାଇ ଅନେଇଥିଲୁ l ଭାରି ଭୋକ ହେଉଥିଲା l ଭାବିଲି ବାଡ଼ିଆଡ଼କୁ ଯାଇ ଗୋଟେ ଯୋଡ଼େ ଚାଉଳିଆ ଖାଇବି l ଆମ ଘର ଭାରି ଲମ୍ବା ଥିଲା l ଦୁଇ ପଟେ ରାସ୍ତା ଘରୁ ଦାଣ୍ଡକୁ ବାହାରିବା ପାଇଁ l ବାଡ଼ିପଟେ ମାର୍କେଟକୁ ବାହାରି ପାରିବ ଆଉ ଦାଣ୍ଡ ପଟେ ଆସିଲେ ପଥୁରିଆ ସାହିରେ ବାହାରିବ l ରିକ୍ସାରେ ଦୁଇ ବାଟେ ଘରକୁ ଆସି ପାରିବେ ଲୋକମାନେ l ଗଛ ଉପରେ ଚଢି ଚାଉଳିଆ ଟେ ହାତରେ ଛିଣ୍ଡେଇଲା ବେଳେ ଶୁଣିଲି ଜଣେ କିଏ ପଚାରୁଛନ୍ତି ଏଇଟା କ୍ଷେତ୍ର ମୋହନ ଶତପଥି ବାବୁଙ୍କ ଘର ? ପାଖ ଵାଲା ଦାମ ଭାଇ କହିଲେ ହଁ ଆଜ୍ଞା l ଏଇଟା ବାଡ଼ିପଟ ରାସ୍ତା ତାଙ୍କ ଘରକୁ l ଦାମ ଭାଇ ରିକ୍ସା ବାଲାକୁ ଦାଣ୍ଡ ପଟକୁ ଯିବା ପାଇଁ କହିଲା ବେଳକୁ ଭାଇନା ଉପରୁ ଆସି ନମସ୍କାର କଲେ l ମୁଁ ଜାଣି ଦେଲି ଏଇ ହଉଛନ୍ତି ଆମର ଅତିଥି, ଯାହା ପାଇଁ ଆମେ ଭୋକରେ ଅନେଇ ବସିଛୁ l ତାପରେ ରିକ୍ସାରୁ ତଳକୁ ବାହାର କଲେ ଗୋଟେ ଓଜନିଆ ଅଖା ! ଏଇଟା ପୁଣି କଣ ? ମୁଁ ଚୁପ ହୋଇ ଦେଖୁଥାଏ l ହାତରେ ଆଉ କିଛି ନାହିଁ ବୋଲି ମୁଁ ଯାଣିଦେଲି l ତେବେ ଚକୋଲେଟ କଣ ପକେଟରେ ଅଛି ? ମୋ ମନଟା ଖଟା ଖାଇଲା ଭଳି ହୋଇଗଲା l

ଘରେ ଖାଇବା, ପିଇବା ପରେ ବାପା, ଭାଇନା ସମସ୍ତେ ଦlଣ୍ଡ ଘରେ ବସିଲେ l ସେମାନେ କଣ କଥା ହେଲେ ମୁଁ ଜାଣିନି l ତେବେ ମିଠା ମୁଁ ନେଇ ସମସ୍ତଙ୍କୁ ଦେଇଥିଲି l ମୋର ସେତିକି ଦେଖା ବେଳେ ସୁଧାଂଶୁ ମତେ କଣ ପଢ଼ୁଛ ବୋଲି ପଚାରି ଥିଲେ l ମୁଁ ଉତର ଦେଇଥିଲି ପ୍ରି ୟୁନିଭେର୍ସିଟି ସାଇନ୍ସ l ପଢିବାକୁ ଇଛା, କିନ୍ତୁ ବାପାନ୍କ ଦେହଟା ଭଲ ରହୁନି l ଦେଖାଯାଉ ଆଗକୁ କଣ ହେବ !

ମୁଁ ଭାଉଜଙ୍କ ସଂଗେ ଖାଇଲା ବେଳେ ମତେ ସିଏ ପଚାରିଲେ , ଚନ୍ଦୁ ତୁମର ସୁଧାଂଶୁ ପସନ୍ଦ ଆସିଲେତ ? ଭାରି ଭଲ ଆଉ ନମ୍ର ପିଲା l ଦଵା , ନବାର କିଛି ଚାହିଦା ନାହିଁ ସେମାନଙ୍କର l କେବଳ ଅଳ୍ପ ବଡ଼ ତୁମଠାରୁ ହେବେ l ଆମେ ତୁମର ପଢିବା ପାଇଁ ଇଛା ବୋଲି ତାଙ୍କୁ କହିଛୁ ଆଉ ସିଏ ସେଥିରେ ରାଜି l ଖୁସି ହେଲି କିନ୍ତୁ କିଛି ଉତର ଠିକରେ କହିଲିନି l ଭାଉଜ ମତେ ପିଲାଦିନୁ ଜାଣିଥିଲେ l ପଚାରିଲେ ଚୁପ କାହିଁକି ? ଅସୁବିଧା କଣ ହେବ ବୋଲି ଭାବୁଛ ? ମୁଁ ପାଖରେ ଥୁଆ ହୋଇଥିବା ଅଖା ବସ୍ତାକୁ ଦେଖେଇ କହିଲି ଆମେରିକାରୁ ଆସିଲେ ବି ନଡ଼ିଆ ପୁଣି ଅଖାରେ ଆଣିବା କେମିତି? କିଛି ଚକୋଲେଟ ଆଣି ପାରିଥାଆନ୍ତେ ? ବୋଧେ ପୁରୁଣା ଖିଆଲର ଲୋକ l ଭାଉଜ ହସି କହିଲେ , ନଡ଼ିଆ କଣ ଚମଡା ବାକ୍ସରେ ଆଣି ଥାଆନ୍ତେ ? ଆଉ ସେମାନଙ୍କର ଶାସନୀ ବ୍ରାମଣ ଘର l ନଡ଼ିଆ ଶୁଭ ବୋଲି ଆଣିଥିଲେ l ଭାଉଜଙ୍କୁ ସେ କଥା ସୁଧାଂଶୁ କଥା ପ୍ରସଙ୍ଗରେ କହିଥିଲେ l ମୁଁ କିଛି ଉତ୍ତର ନଦେଇ ତଳକୁ ଅନେଇଲି l ନଡ଼ିଆ ଆଣିବା ଶୁଭ ବୋଲି ମୁଁ ଭାବିବି ପାରିନଥିଲି l ସେଇଦିନ ଠାରୁ ଏବେବି ମୁଁ ନଡ଼ିଆ ନେବାକୁ ଭଲପାଏ ଶୁଭ କାମକୁ ଗଲାବେଳେ l

ଉପରେ ଯେତେ ବାଦାମୀ ରଙ୍ଗ ହେଲେବି ନଡିଆ ଭିତର ବହୁତ ସୁଂଦର ଆଉ ତୋଫା ଧଳା l ନଡ଼ିଆର ମୂଲ୍ୟ ଆମ ଓଡ଼ିଆ ଖାଇବାରେ ଅମୁଲ୍ୟ l ଦିଅଁଙ୍କ ପୂଜା ଠାରୁ ଡାଲ୍ମା ପର୍ଯ୍ୟନ୍ତ ସବୁଥିରେ ତା ନହେଲେ ଜିନିଷ ଅଧୁରା ରହିଯାଏ l

–ମୋ ସ୍ମୃତିରୁ ଛୋଟ କଥା ଟିଏ: ପ୍ରଥମ ସ୍ନୋ ଆଉ ଫ୍ରୀନ୍ଜ଼ ଷ୍ଟାଇଲ ବାଳର (ସାଧନା କଟ)ଅଭିଜ୍ଞତା— By GFPSP (A girl From Pathuria Sahi Puri)

💕ଆଜି ଏଠି ଏବର୍ଷର ପ୍ରଥମ ତୁଷାର ପାତ ହେବା ଦେଖି ମୋର ସ୍ମୃତିରୁ ଛୋଟ କଥା ଟିଏ ମନେ ପଡି ଗଲା: 💕


ପ୍ରଥମ ସ୍ନୋ ଆଉ ଫ୍ରୀନ୍ଜ଼ ଷ୍ଟାଇଲ ବାଳର (ସାଧନା କଟ୍) ଅଭିଜ୍ଞତା— By GFPSP (ଗାର୍ଲ ଫ୍ରମ ପଥୁରିଆ ସାହି ପୁରୀ )


ମୁଁ ପ୍ରଥମ କରି ଆମେରିକାକୁ ଆସିଲି ସେପ୍ଟେମ୍ବର ମାସରେ। ସେତେବେଳେ ଆମେ ଚିକାଗୋରେ ରହୁଥିଲୁ। ସେଠି ସ୍ନୋ ବହୁତ ପଡେ l ଆଗରୁ ମୁଁ ଆମ ହିନ୍ଦୀ ଫିଲ୍ମରେ ସ୍ନୋର ସିନ୍ ଦେଖିଥିଲି। ମୋର ଫେଭ୍ ହୀରୋଇନ ସାଧନାକୁ ଆରଜୁ ଫିଲ୍ମ ରେ ଦେଖିଲା ପରେ ଆମ ସାଙ୍ଗ ମାନେ ତା ଭଳି ବାଳ କଟା ଆରମ୍ଭ କରିଦେଲେ। ମୋର ବି ବହୁତ ମନ ଥିଲା ସାଧନା ଭଳି ବାଳ କାଟି କାନି ଛାଡି କଲେଜ ଯିବା ପାଇଁ। ବାପା ଆଉ କୁନା ଭାଇନା କାଳେ ଜାଣିଲେ ଵିଧା ଟିଏ ଦେବା ଡରରେ କଇଁଚିକୁ କେତେ ଥର ହାତରେ କପାଳ ପର୍ଯ୍ୟ୍ତ ନେଲେ ବି କିଛି ନିର୍ଣ୍ଣୟ କରି ପାରିନଥିଲି। ତେବେ ଚାଉଳିଆ ଗଛରେ ଚଢି ଗପ ବା କବିତା ବହି ପଢିଲା ବେଳେ କେତେଥର ଭାବିଚି ମୁଁ କେମିତି ଦେଖାଯିବି ସାଧନା ଭଳି ବାଳ କାଟିଲେ? ସେ ଭାବନା ସବୁ କେବଳ ଗଛ ଉପରେ ଛାଡି ଚାଲିଆସେ।

ଦିନେ ସକାଲୁ ଉଠିଲା ବେଳକୁ ଅଳ୍ପ ଅଳ୍ପ ସ୍ନୋ ଆକାଶରୁ ପଡିବା ଦେଖିଲି। ଏହା ପୂର୍ବରୁ କେବେ ସତ ସ୍ନୋ ପଡ଼ିବା ଦେଖି ନଥିଲି। ସେତେବେଳେ ଇଣ୍ଟରନେଟ୍ ନଥିଲା କହିଲେ ଚଳେ। ମୋର ବି ଭୂଗୋଳ ଇତ୍ୟାଦିରେ ଏତେ ଜ୍ଞାନ ନଥିଲା। କେବଳ ଯାହା ଦରକାର ପଢା ପାଇଁ ତାହା, ଘୋଷି ଘୋଷି ଭଲ ନମ୍ବର ପରୀକ୍ଷ୍ୟାରେ ଆଣୁଥିଲି। ଆମ ପୁରୀ ବା ମୁମ୍ବଇରେ (ଯୋଇଠି ମୁଁ ଆଗରୁ ଥିଲି) କେବେ ସ୍ନୋ ପଡ଼େନି। କେବଳ ସିନେମାରେ ସ୍ସ୍ନୋ ଦେଖିଥିଲି ଆଉ ହିରୋଇନ ମାନେ ଲୁଗା ବା ଡ୍ରେସ ପିନ୍ଧି ସ୍ନୋରେ ଗୀତ ଗାଇ ଚାଲୁଥିଲେ ହିରୋଙ୍କ ସାଙ୍ଗେ । କେବେ କେବେ ତାଙ୍କ ଦେହରେ କେବଳ ନାଇଲନ୍ ଶାଢ଼ୀ ବା ଡ୍ରେସ୍ ଟିଏ ଥାଏ। ମୋର ଜ୍ଞାନ ନଥିଲା ଯେ ସିନେମାଟିରେ ସ୍ଥିତି ଗୁଡିକ ଯୋଡି, ଯାଡ଼ି କରି ଫିଲ୍ମଟି ତିଆରି ହୋଇଥାଏ ବୋଲି । ମୁଁ ଭାବେ ସତେ ଯେମିତି ସାଧନା ବିଚାରି ଶୀତରେ ଥରୁ ଥିଲେବି ଆମ ମାନଙ୍କ ପାଇଁ ସୁଟିଙ୍ଗ୍ କରୁଥିଲେ ଘଣ୍ଟା ଘଣ୍ଟା ଧରି ସ୍ନୋରେ। ଆକାଶରୁ ସତରେ ସ୍ନୋ ପଡିବା ଦେଖି ମୋର ସାଧନା ଯିଏ କି ମୋର ସବୁଠୁ ଫେଂଭରିଟ୍ ହିରୋଇନ ଥିଲେ, ତାଙ୍କ କଥା ମନେ ପଡିଲା। ସିଏ କେମିତି ଆରଯୁ ସିନେମାରେ ସ୍ନୋ ରେ ବୁଲି ବୁଲି ଗୀତ ଗାଉ ଥିଲେ।ଇତି ମଧ୍ଯରେ ମୁଁ ଦିନେ ନିଜେ କତୁରୀ ନେଇ ମୋର ଆଗ ପଟ ବାଳ ଫ୍ରୀନ୍ଜ଼ ଷ୍ଟାଇଲ୍ ରେ କାଟିଥିଲି l


ଝରକା ପାଖରୁ ଓଟ ପରି ବେକ ଲମ୍ବେଇ ଦେଖିଲି କପା ଫୁଲ ପରି ଧଳା ଧଳା ହାଲକା ସ୍ନୋ ଆକାଶରୁ ପଡି ଆମ ଘର ଚାରିପଟେ ଧଳା କାର୍ପେଟ ପଡିଲା ପରି ଲାଗୁଥିଲା। ସୁଧାଂଶୁ ଓ ପିଲାମାନେ ଉଠି ନଥିଲେ। ଯୌବନ ସମୟରେ ସବୁ ବେଳେ ସାଧନା ପରି ବାଳ କାଟି ବରଫ ରେ ବୁଲିବାକୁ ମୋର ଭାରି ମନ ଥିଲା। ଭାବିଲି ଏବେ ତ ବାପା ବା ଭାଇନା ନାହାନ୍ତି। ସୁଧାଂଶୁ ମତେ କେବେ କିଛି ଏସବୁ ଥିରେ କହନ୍ତିନି । ମୁଁ ନିଜେ ଯାହା ଇଛା କରେ ପ୍ରାୟ ତା କରେ । ମାକ୍ସି କାଢି ଶାଢ଼ିଟି ପିନ୍ଧି ଚପଲ ହଳେ ଗଳେଇ ଦେଲି। ତାପରେ ବାହାରକୁ ଜଲ୍ଦି,ଜଲ୍ଦି ଡେଇଁ ଡେଇଁ ଗଲି। ବୋଧେ ଖୁସିରେ “ବେଦର ଦି ବଲମା ” ଗୀତଟି ଗୁଣୁ ଗୁଣୁ କରି ଗାଉ ଥିଲି ଯେମିତି ସାଧନା ଆରଯୁ ଫିଲ୍ମରେ ଗାଇ ଥିଲେ।
ଯେମିତି କବାଟ ଖୋଲି ପନ୍ଦର କି ଷୋହଳ ପାଦ ଯାଇ ଥିଲି ଭାରି ଥଂଡା ଲାଗିଲା। ଭାବିଲି ଠିକ୍ ହୋଇଯିବ। ଖବର କାଗଜ ବାହାରେ ପଡିଥିଲା। ତାକୁ ଆଣିବାକୁ ଆଉ ଦଶ ପାଦ ଆଗକୁ ଗଲି। ଗଲା ବେଳେ ମୋ ନୂଆ କାଟିଥିବା ଫ୍ରୀନ୍ଜ଼ ଷ୍ଟାଇଲ ବାଳକୁ ବି ଟିକିଏ ହାତରେ ଛୁଇଁ ଦେଉ ଥାଏ। ପବନରେ ଉଡି ଯାଇ ଏପଟ ସେପଟ ନହେଉ ବୋଲି। ପାଞ୍ଚ ମିନଟ ପରେ ଚପଲ ଯୋଗୁ ଗୋଡ଼ ଭାଇ ଥଣ୍ଡା ଲାଗିଲା। ଭାବିଲି ଘରକୁ ଫେରି ଯିବି। କିନ୍ତୁ ସ୍ନୋ ଏତେ ସୁନ୍ଦର ଦିଶୁ ଥିଲା ଯେ ମନ ହେଉ ନଥିଲା ଘର ଭିତରକୁ ଆସିବାକୁ। ତେବେ ମୋ ପୁଅ ବୋଧେ ଉଠିଲା ଆଉ ମମି, ମମି ବୋଲି ଡାକ ଛାଡିଲା । ମୋର ସାଧନା ହେଵା ପ୍ରସାଧନ ସେଇଠି ସରେଇ ଘରକୁ ଜଲ୍ଦି ଆସିଲି। ଗୋଡ଼ ଥଂଡା ଯୋଗୁ ଚାଲିଲେ ବି କିଛି ଅନୁଭବ କରି ପାରୁ ନଥିଲି।


ଘର ଭିତରେ ପଶି ଆଗ ଗୋଡ଼ରେ ଗରମ ପାଣି ସେକ ଦେଲି ତଉଲିଆ କୁ ଗରମ ପାଣିରେ ବୁଡାଇ l ଆଉ ମୋଜା ଯୋଡିଏ ପିନ୍ଧିଲି। ପିଲାମାନେ ସ୍କୁଲ ଓ ସୁଧାଂଶୁ କାମକୁ ଗଲେ ସକାଳ ଜଳଖିଆ ଖାଇଲା ପରେ। ଦୁଇ ପହର ବେଳକୁ ମୋ ଦେହରେ କମ୍ପ ଆସିଲା ପରି ଲାଗିଲା।ସ୍ନୋ ଦିନସାରା ଧୀରେ ଧୀରେ ପଡୁ ଥାଏ। ମୁଁ ଝରକା ପାଖରେ ଖଟ ଉପରେ ବସି କମ୍ବଳ ଘୋଡେଇ ହୋଇ ବାହାରକୁ ଦେଖୁଥାଏ। ଭାବୁ ଥାଏ କିଏ ଟିକିଏ ଚାହା କରି ଦିଵନ୍ତାକି? ମନକୁ ବୁଝେଇ କହିଲି ଏଠି ତ କୁଆ ବା କୋଇଲି ଟିଏ ନାହିଁ। କିଏ ଚାହା କରିବ? କୌଣସି ମତେ ଧିରୀ, ଧିରୀ ରୋଷେଇ ଘରକୁ ଯାଇ କପେ ଚାହା ଅଦା ପକାଇ କଲି। ପାଉଁରୁଟି ଖଣ୍ଡେ ସେକି ଖାଇଲି। ପିଲା ମାନଙ୍କ ବେଳ ହେଲା ସ୍କୁଲରୁ ଫେରିବାକୁ। ତାଙ୍କ ପାଇଁ ଦୁଆରଟା ଖୋଲିଦେଇ ଆସି ସୋଫା ଉପରେ ଲମ୍ବମାନ ହୋଇ ଶୋଇଗଲି। ସେମାନେ ଆସିଲା ପରେ ଝିଅକୁ କହିଲି ବିଷକୁଟ ଦୁଇ ଖଣ୍ଡ ଖା,ଆଉ ଭାଇକୁ ବି ଦୁଇ ଖଣ୍ଡ ଦେ। ମୂଁ ଦୁଧ ଗରମ କରି ଡାକିବି। ଆଉ ହୋସ୍ ନାହିଁ ମୋର ତାପରେ । ବାଉଳା ଚାଉଳା ହେଲାରୁ ଝିଅ ତା ପାପାକୁ ଅଫିସରରେ ଫୋନ କଲା। ସୁଧାଂଶୁ ଅଧ ଘଣ୍ଟେ ପରେ ଆସି ପହଂଚିଲେ । ତାଙ୍କୁ ଦେଖି ମୋ ମନରେ ଭରସା ଆସିଲା। ନହେଲେ ସାନ ପିଲା ଦୁହେଁ ଡରି ଯାଇ ଥିଲେ ମୋ କମ୍ପ ଆଉ ବାଉଳା ଚାଉଲା ଶୁଣି ।


ଦେହ ହାଣ୍ଡିରେ ଧାନ ପଡି ଲିଆ ଫୁଟିଲା ପରି ପରି ତାତି ଯାଇ ଥିଲା। ସୁଧାଂଶୁ ଠିକ୍ କଲେ ରାତି ଆସିଲାଣି। ଜ୍ୱରଟା ବଢି ଚାଲିଥିଲା। ଆମେ urgent Care କୁ ଗଲୁ। ଡାକ୍ତର ଦେଖି କହିଲେ ଏଇଟାତ ଭାଇରାଲ୍ ନିମୋନିଆ ।ଆଣ୍ଟିବାଓଟିକ ପ୍ରେସକ୍ରାଇବ୍ ହେଲା। ଆମେ ରାତି ଦଶଟାରେ ଘରକୁ ଫେରିଲୁ ।ପିଲା ଦୁଇ ଜଣଙ୍କ ଆଖି ନିଦରେ ଟୁଳୁ, ଟୁଳୁ ହେଉଥାଏ l ଆମର ସେତେବେଳେ ହେଲଥ୍ ଇନ୍ସୁରାନ୍ସ ହୋଇନଥାଏ। କମ୍ପାନିରେ ଛ ମାସ କାମ କଲା ପରେ ଇନ୍ସୁରାନ୍ସ ମିଳେ ପତ୍ନୀ ଆଉ ପିଲାଙ୍କୁ ସେତେବେଳେ ସୁଧାଂଶୁଙ୍କ କମ୍ପାନୀ ରେ। ସବୁ ମିଶି ସତାବନ ଡ଼ଲାରର ବିଲ୍ ଆସିଲା । ତାପରେ ଓଷଧ ଖର୍ଚ୍ଚ ଅଲଗା ଦିଆହେଲା।


ଘରକୁ ଆସିଲା ପରେ ସୁଧାଂଶୁ ପଚାରିଲେ ଏସବୁ କେମିତି ହେଲା ହଠାତ୍ ?ମୂଁ କହିଲି, କେମିତି ମୁଁ ସାଧନା ପରି ସ୍ନୋ ରେ ଯାଇ ବିନା ଜୋତା ମୋଜା ରେ ଚପଲ୍ ରେ ବୁଲି ଆସିଲି ଘେରେ ସକାଳେ। କିଛି ନକହିବା ଲୋକ ସିଏ। ମୋ କଥା ଶୁଣି କହିଲେ ଯୋଡିଏ ପିଲାର ମା ହେଲା ପରେ ତୋର ସାଧନା ହେବାକୁ ନକଲ କରିବା କଣ ଦରକାର? ମୁଣ୍ଡରୁ ବୁଦ୍ଧି କୁଆଡେ ଗଲା? ସେଇ ଦିନଠୁ ମୋର ସ୍ନୋରେ ଚାଲିବାର ଇଛା ଶେଷ ହେଲା। ଆଉ କେବେ ଫ୍ରୀନ୍ଜ଼ ହେୟାର କରିବାକୁ ସାହସ କରିନି। ଏବେ ଭାବେ ସତରେ ମୁଁ କେତେ ସରଳ ଥିଲି। ଏବେତ ଯୋଉ ଲୋକ ମାନେ ଆସୁଛନ୍ତି ସବୁ ଜାଣିଛନ୍ତି ଇଣ୍ଟରନେଟ ଦ୍ୱାରା ଆଗରୁ l ଏବେ ଯେବେ ଏଠି ବର୍ଷର ପ୍ରଥମ ସ୍ନୋ ଆସେ ମୁଁ ମନେ ପକାଇ ହସେ “ମୁଁ ଆଉ ମୋର ଫେଭ୍ ରିଟ ସାଧନା ହେବା ପାଇଁ ଚେଷ୍ଟା।”