
ଆଗରୁ ଲେଖିଥିଲି ପୂର୍ବରୁ ଜାଣି ନଥିଲେବି ମାଳତୀ ଦେବୀ ମୋ ସାଙ୍ଗେ ମୁମ୍ବଇରୁ ଚିକାଗୋ ଆସିଲା ପର୍ଯ୍ୟନ୍ତ ରହିଲେ l ସିଏ ଇଂରାଜୀ ଜାଣି ନଥିଲେ l ତେଣୁ ରାସ୍ତାରେ ତାଙ୍କର ଯାହା ଦରକାର ହେଉଥିଲା ସିଏ ମତେ ସାଙ୍ଗରେ ଆଣିଥିବା ଲିଖିତ ଇଣ୍ଡେକ୍ସ କାର୍ଡ ଦେଖାଇ ଦେଉଥିଲେ l ସିଏ କେରଳର ବାସିନ୍ଦା ଥିଲେ ତେଣୁ ହିନ୍ଦୀ କହି ପାରୁ ନଥିଲେ l ମୋର ଯେତେ ବେଳେ ବାଥରୁମ ଅବା କିଛି ଦରକାର ହେଉଥିଲା ସିଏ ପିଲାଙ୍କ ସାଙ୍ଗେ ରହୁଥିଲେ l ଏମିତି ଆମେ ଅଠର ଘଂଟା ବ୍ୟମଜାନ , ତିନି ଘଣ୍ଟା ବସ (ବସେଲ୍ ରୁ ଜୂରୀକ୍ ) ଆଉ ଦୁଇ ଘଣ୍ଟା ଇମିଗ୍ରେସନ୍ ଅଫିସ ରେ କାଟିଲୁ l ବିନା କଥା ହେଲେବି ସିଏ ମୋର କଣ ଦରକାର ବୁଝିଥିଲେ ଆଉ ତାଙ୍କର କଣ ଦରକାର ମୁଁ ବୁଝି ପାରିଥିଲି l
ବସ୍ ରେ ଆସିଲା ବେଳେ ଯୋଉ ସାତଟି ବାକ୍ସ ମୁଁ ତଳୁ ଉଠାଇ ବସ୍ର ଅତିଚାଳକଙ୍କୁ ଉପରକୁ ଉଠାଇବାକୁ ଦେଇଥିଲି ତା ଭିତରୁ ସବୁଠାରୁ ଓଜନିଆ ବାକ୍ସ ମାଳତୀ ଦେବୀ ଙ୍କର ବାକ୍ସଟି ଥିଲା l ମନେ , ମନେ ଭାବୁ ଥିଲି ସିଏତ ପୁଅକୁ ଦେଖିବାକୁ ଯାଉଛନ୍ତି , କଣ ଏତେ ଜିନିଷ ସାଙ୍ଗରେ ନେଇ ଯାଉଛନ୍ତି ? କେତେଥର ପଚାରିଲି କିନ୍ତୁ ସିଏ ମୋ ଭାଷା ବୁଝି ପାରୁ ନଥିଲେ ଆଉ ମୁଁ ଠାର ରେ ବୁଝାଇବାରେ ଅସମର୍ଥ ହୋଇଥିଲି l
ତାଙ୍କ ପୁଅ ଜୟଦେବ ଙ୍କ ସାଙ୍ଗେ ଏୟାର୍ ପୋର୍ଟ ରେ ଦେଖାହେଲା ପରେ ସିଏ ବାରମ୍ବାର କହିଥିଲେ ନିଶ୍ଚୟ ତାଙ୍କ ଘରକୁ ଯିବା ପାଇଁ l ମୋର ବାଁ ପଟ ହାତ ଆଉ କାନ୍ଧ ରେ ବହୁତ ଦରଜ ହୋଇଥିଲା ମାଳତୀ ଦେବୀଙ୍କ ବାକ୍ସ ଟି ଉଠିଇଲା ପରେ l ମୁଁ ମନେ, ମନେ ଭାବିଲି ପୁଣି ଯିବି ତାଙ୍କ ଘରକୁ ! ମୋଟେ ନୁହେଁ l ତେବେ ସୁଧାଂଶୁ ଜୟଦେବଙ୍କୁ ଆମ ଫୋନ୍ ନମ୍ବର ଦେଇଥିଲେ ଆଉ ତାଙ୍କ ନମ୍ବର ନିଜେ ଟିପି ଆଣିଥିଲେ l ଆମେ ଭାବିଲୁ ସିଏ କଣ ସତରେ ଡାକିବେ ଆମକୁ ତାଙ୍କ ଘରକୁ ? ଏଇଟା ଫର୍ମାଲିଟି ଖାଲି l
ସେଇ ସପ୍ତାହରେ ଆମେ ବ୍ୟସ୍ତ ରହିଲୁ l ପିଲାଙ୍କର ସ୍କୁଲରେ ଆଡିମିଶନ୍ କରା ହେଲା l ସୁଧାଂଶୁ ମତେ ଫୋନ୍ ରେ କିଏ ଡାକିଲେ କେମିତି ହାଲୋ ବୋଲି କହିବ କହିଦେଲେ l ଆମର ମୁମ୍ବାଇରେ ଫୋନ ନଥିଲା l ଟି .ଭି ଥିଲା କିନ୍ତୁ ଅଲଗା ପ୍ରକାର l ଚୁଲି ବି ଏଠି ଅଲଗା ପ୍ରକାର l ଗୋଟେ ଓଭନ ଉପରେ ଚାରିଟା ଚୁଲି ବର୍ଣର୍ l ଆମ ଆଡ଼ ଗ୍ୟାସ ଚୁଲି ପରି ସିଲିଣ୍ଡର୍ ନଥିଲା l ମତେ ଡର ମାଡୁଥିଲା କୋଉ ବର୍ଣର୍ ଟା କେତେବେଳେ ଲାଗିବ ଆଉ ରୋଷେଇ କାହା ଉପରେ ବସେଇବି l ତେବେ ମତେ ସୁଧାଂଶୁ ଦେଖେଇ ଦେଲେ ବାଁ ପଟ ଡାହାଣ ପଟ ଆଉ ଆଗ ପଛ କେମିତି କୋଉ ଅଦ୍ରିକା ଟିପି ଲଗେଇବାକୁ ଚୁଲି ରୋଷେଇ ପାଇଁ l କହିଲେ ଓଭନ୍ ଅଦ୍ରିକାରେ ହାତ ନଲଗଇବା ପାଇଁ l କାରଣ ଆମ ରୋଷେଇ ପାଇଁ ସେଇଟା ଦରକାର ହେବନି l ମୁଁ କିଛି କିଛି ବୁଝିଲି କିନ୍ତୁ ମୋ ଝିଅକୁ ପାଖରେ ରଖିଥାଏ l ସିଏ ପିଲାଦିନୁ ଭାରି ଚାଲାକି ଆଉ ତାର ମନେ ରଖିବା ଶକ୍ତି ବହୁତ ଥିଲା l ଭାବିଲି ଯଦି ମୋର ମନେ ନପଡେ଼ ତାକୁ ପଚାରିବି ? ଦୁହେଁ ମିଶି ଗଲେ କାମ ଟି ସହଜ ହେବ l ତାକୁ ଜମା ଛ ବର୍ଷ ହୋଇଥିଲା l ମୁଁ କାହିଁକି ଲେଖି କରି ରଖିଲିନି ଜାଣିନି l ବୋଧେ ସବୁ ବେଳେ ପଚାରି ସବୁ କଥା କରିବା ଆଉ ଶିଖିବା ଅଭ୍ୟାସ ଥିଲା ମୋର ? ଏବେ ମଧ୍ୟ ସେଇ ଅଭ୍ୟାସ ରହିଛି l
ତେବେ ଦିନେ ଫୋନ ଭାରି ଜୋରରେ ବାଜିଲା ସନ୍ଧ୍ୟା ବେଳେ l ସୁଧାଂଶୁ ଘରେ ଥିଲେ କିନ୍ତୁ ମତେ ଫୋନ୍ ରେ ଉତ୍ତର ଦେବାକୁ କହିଲେ l ସେପଟରୁ ଇଂରାଜୀରେ ଜୟଦେବ ବାବୁଙ୍କ ପାଟି ଶୁଣିଲି l ସିଏ କହିଲେ ପିଲାଙ୍କୁ ନେଇ ରବିବାର ଦିନ ଆସିବେ ତାଙ୍କ ସଂଗେ ଲଂଚ ଖାଇବାକୁ l ସେପଟୁ ମାଳତୀ ଦେବୀ ଙ୍କ ପାଟି ମୁଁ ଶୁଣି ପାରୁଥିଲି l ମୁଁ ବି କୋଉ ଭାରତୀୟ ଲୋକଙ୍କୁ ଚିକାଗୋକୁ ଆସିଲା ପରେ ଭେଟି ନଥିଲି l ତାପରେ ସିଏ କହିଲେ ସେମାନେ ଦୋସା,ସମ୍ବର ଆଉ ଚଟଣି କରିବେ l ମୁଁ ଜାଣେ ସୁଧାଂଶୁ ଦୋସା ଖାଇବାକୁ ଭଲ ପାଆନ୍ତି l ସିଏ ବାଙ୍ଗାଲୋର୍ ରେ ପଢିଥିଲେ l ତାପରେ ଦୋସା ତ ଆମ ସମସ୍ତଙ୍କୁ ଭଲ ଲାଗେ l ଆମର ଘରେ କେବେ ଦୋସା କରିବୁ ଠିକଣା ନାହିଁ l ଆମେ ହଁ କଲୁ ଯିବା ପାଇଁ ସମସ୍ତେ l
ମୋ ବାଁ ପଟ କାନ୍ଧର ଦରଜ ଭଲ ହୋଇ ନଥାଏ l ଆଓଡେ଼କ୍ସ ଲଗେଇ ଗର୍ମ ପାଣି ସେକ ଦେଉ ଥାଏ l ମୋ ବାପା ସବୁ ବେଳେ ଅଂଟା ବା କୋଉଠି ଦରଜ ହେଲେ ଆମକୁ କହନ୍ତି ଗୋଟିଏ ଗାମୁଛା ଜୋରରେ ଫୁଟିଲା ଗର୍ମ ପାଣିରେ ବୁଡ଼ାଅ, ତାପରେ ଆଉ ଗୋଟିଏ ଶୁଖିଲା ଗାମୁଛା ଭିତରେ ତାକୁ ବିଣ୍ଡା କରି ଗୁଡେଇ ସେଥିରେ ସେକ ଦେଲେ କୁଆଡେ ସବୁ ଦରଜ ପଳେଇ ଯାଏ l ମୁଁ ସେଇ ଉପାୟ ସାତ ଦିନ ହେଲା କରିଯାଉ ଥିଲି l ଦରଜ ଅଳ୍ପ ପ୍ରମାଣରେ କମି ଥିଲା କିନ୍ତୁ ପୁରା ଯାଇ ନଥିଲା l ମନେ ,ମନେ ଭାବେ କଣ ଜିନିଷ ସେଇ ବାକ୍ସରେ ପୁରେଇ ଆଣି ଥିଲେ ମାଳତୀ ଦେବୀ ଯେ ମୋର ଦରଜ ଯାଉନି ଏତେ ଦିନ ହେଲାଣି l ଭାବିଲି ତାଙ୍କ ଘରେ ପଚାରି ଦେବି ଜୟଦେବ ବାବୁଙ୍କୁ l ତାହାଲେ ସିଏ କହିଦେବେ ଆଉ ମୋ ମନ ହାଲୁକା ହୋଇଯିବ ଶୁଣି l
ରବିବାର ଦିନ ଆମେ ଜଲ୍ଦି ଯାଇ ଗ୍ରସରି ନେଇ ଆସିଲୁ l ଜୟଦେବ ବାବୁଙ୍କର ଗୋଟିଏ ସାନ ଝିଅ ଥାଏ ବୋଲି ଜାଣିଲି l ତାଙ୍କର ଆଉ ଗୋଟିଏ ପିଲା ହେବାର ଥିଲା l ତେଣୁ କେରଳରୁ ମାଳତୀ ଦେବୀ ସାହାଯ୍ୟ କରିବା ପାଇଁ ଆସିଥିଲେ l ମୁଁ କିଛି ଚକୋଲେଟ୍ ତାଙ୍କ ଘରପାଇଁ ଦୋକାନରୁ ଆଣିଲି l ସୁଧାଂଶୁ ମତେ ପଚାରିଲେ ଏଇଟା ସେଲ୍ ରେ ଥିଲା ? ମୁଁ କହିଲି ମୁଁ ଜାଣିନି l ମତେ ସିଏ ବୁଝେଇ କହିଲେ ଆମେରିକାରେ ଲୋକମାନେ ସବୁ ଜିନିଷ ସେଲ୍ ରେ କିଣନ୍ତି l ତାହାଲେ ଶସ୍ତା ହୁଏ ଆଉ ସବୁ ଜିନିଷ ବୁଲି, ବୁଲି ସେଲ୍ ରେ ଆସେ l ତେଣୁ ତର , ତର ନହୋଇ ଦେଖି ଚାହିଁ ଜିନିଷ କିଣିଲେ ବହୁତ ପଇସା ବଂଚେ l ଆମେତ ନୂଆ ଯାଇଥିଲୁ l ବହୁତ ସାଵଧାନ ରେ ଚଳିବାକୁ ହେଵା ଦରକାର ଥିଲା l ମୁଁ କହିଲି ହଁ , ଠିକ କହିଛ l ଏମିତି ବହୁତ ଛୋଟ, ଛୋଟ କଥା ଶିଖିବାକୁ ପଡିଲା ଆଉ ମୁଁ ଶିଖିବା ପାଇଁ ଇଛୁକ ଥିଲି l
ଆମେ ଦିନ ଗୋଟେ ବେଳେ ଯାଇ ନେପର୍ଭିଲ୍ ରେ ଜୟଦେବ ବାବୁଙ୍କ ଘରେ ପହଁଚିଲୁ l ସୁଧାଂଶୁ ରାସ୍ତା ପାଇଁ ମ୍ୟାପ୍ ଦେଖି ନେଇଥିଲେ l କାହାକୁ ନପଚାରି ସିଧା ତାଙ୍କ ଘରେ ପହଁଚିଲୁ l ତାଙ୍କ ଘର ଭାରି ସୁନ୍ଦର ଭାବେ ସଜଡା ହୋଇଥିଲା l ଛୋଟ ଝିଅ ରୁଚି ଭାରି କୌତୁକିଆ ହୋଇଥିଲା l ମୋ ପିଲାମାନେ ତା ସଂଗେ ଖେଳିବାରେ ଲାଗିଗଲେ l ଗୋଟିଏ ପୁରା ଆଲମିରାରେ ତାର ଖେଳନାରେ ଭର୍ତି ହୋଇଥିଲା l କେତେ ପ୍ରକାର ଖେଳନା ଥିଲା l ମୋ ପୁଅ ଗୋଟିକ ପରେ ଗୋଟିଏ ଖେଳନା ଆଣି ମତେ ଦେଖାଉ ଥାଏ l ମୁଁ ମନେ , ମନେ ଭାବିଲି ଘରେ ବୋଧେ ମୋ ପୁଅ ଜିଦି କରିବ ଏମିତି କିଛି ଖେଳନା ପାଇଁ? ସାନ ପିଲା ତ ? ସହଜେ ହାତ ଦରଜ ମାଳତୀ ଦେବୀଙ୍କ ଯୋଗୁ ତା ଉପରେ ଏତେ ଖେଳନା ତାଙ୍କ ପିଲାର ଦେଖି ମୋ ମନ ଟା କାହିଁକି କେଜାଣି ଖଟା ହୋଇଗଲା l ମତେ ବୋଝ ଉପରେ ନଳିତା ବିଡା ଲଦି ହେଲା ଭଳି ଲାଗିଲା l କାହିଁକି ଆସିବାକୁ ହଁ କଲି ଭାବି ନିଜକୁ ସମ୍ପିଲି l
ଜୟଦେବ ବାବୁଙ୍କ ସ୍ତ୍ରୀ ଆସି ଆମ ପାଖରେ ବସିଲେ l ତାଙ୍କ ଝିଅ କୁ କହିଲେ ଖେଳନା ସବୁ ନେଇ ଖେଳ ଘରକୁ ଯାଇ ଖେଳ l ମୁଁ ଜାଣିଲି ପିଲାର ଗୋଟେ ଖେଳ ଘର ଅଛି l ବହୁତ ଭଲ ଘର ବୋଲି ମନେ, ମନେ ଭାବିଲି l ମାଳତୀ ଦେବୀ ରୋଷେଇ ଘରୁ ହସି , ହସି ଆସିଲେ l ତାଙ୍କ ଭାଷାରେ କହିଲେ ଜୟଦେବଙ୍କ ସ୍ତ୍ରୀ ଅନିତା ଙ୍କୁ ମତେ “ରୋବଣା ” ଟା ଦେଖେଇବାକୁ ଯୋଉଟା ସିଏ କେରଳରୁ ଆଣିଥିଲେ l ସେଇଟା ଆମ ଆଡ଼ର ଶିଳ ଭଳି ଚାଉଳ ,ବିରି ବାଟିବା ପଥର l ସେଥିରେ କୁଆଡେ ବିରି , ଚାଉଳ ଠିକ୍ ରେ ବାଟି ହୁଏ ଆଉ ପିଠଉ ଭଲ ହୁଏ l ଇଲେକ୍ଟ୍ରିକ ଗ୍ରାଇଣ୍ଡର ରେ ସେତେ ଭଲ ହୁଏନି ବୋଲି ଅନିତା କହିଲେ l ସେଇତି ପାଇଁ ତାଙ୍କ ଶାଶୁ ସେଇ ରୋବଣାଟି ଆଣିଥିଲେ ସାଙ୍ଗରେ, ତାହାଲେ ପୁଅ ତାଙ୍କର ଭଲ ଦୋସା , ବଡା ଆଉ ଇଡ଼ଲି ଖାଇ ପାରିବ l ମୁଁ ହସିବି ନା ରାଗିବି ଜାଣି ପାରିଲିନି ? ଚୁପ ରହିଲି ଆଉ କାନ୍ଧକୁ ଟିକିଏ ଆଉଁସି ଦେଲି l
ସେଦିନ ଦୋସା ସତରେ ଭଲ ହୋଇଥିଲା l ଗର୍ମ , ଗର୍ମ ଦୋସା ଖାଇବାକୁ ଭାରି ଭଲ ଲାଗିଥିଲା ସମ୍ବର ଆଉ ଚଟଣି ସଂଗେ l ବୋଧେ ଆମେ ସମସ୍ତେ ଟିକିଏ ବେଶୀ ଖାଇଦେଲୁ l ଆସିଲା ବେଳେ ମାଳତୀ ଦେବୀ ପୁଣି ତାଙ୍କ ଭାଷାରେ ଜୟଦେବ ଆଉ ଅନିତାଙ୍କୁ କଣ ସବୁ କହି ଚାଲିଲେ l ମତେ ଅନିତା ପଚାରିଲେ ଆପଣଙ୍କ କାନ୍ଧ କିପରି ଅଛି ବୋଲି ମୋ ଶାଶୁ ପଚାରୁଛନ୍ତି ? ମୁଁ କହିଲି ଦରଜ ଯାଇନି l ଏତେ ଗୁଡିଏ ବାକ୍ସ ଆଣିବାର ନଥିଲା l ଅନିତା ଅଳ୍ପ ଭାବି କହିଲେ ନିଶ୍ଚୟ “ରୋବଣା ” ଯୋଗୁ ଦରଜ ହୋଇଥିବ l ମୁଁ ହସି ଦେଇ କହିଲି ନାଇଁ, ଛଟା ବାକ୍ସତ ମୋ ନିଜର ଥିଲା l କିଏ ଜାଣିଥିଲା ଏପରି ହେବ ବୋଲି ମଝିରେ ବରଫ ଯୋଗୁ? ସେମାନେ ମତେ ପୁଣି ଧନ୍ୟବାଦ ଜଣାଇଲେ ଆଉ ମୋ ପିଲାଙ୍କୁ କିଛି ଖେଳନା ସାଙ୍ଗରେ ଦେଇଥିଲେ l ଭାବିଲି ଯା ହେଉ ମାଳତୀ ଦେବୀ ଜାଣିଛନ୍ତି ମୋର କାନ୍ଧରେ ଦରଜ ହେବା କଥା ବାଟରେ?
ଗାଡ଼ିରେ ଫେରିଲା ବେଳେ ମୋର ବାଁ କାନ୍ଧ ଟା ପୁଣି ବିନ୍ଧିବା ଆରମ୍ଭ ହେଲା l ଜାଣିନି ସତରେ ନାଁ କଥାଟା ଶୁଣିଲାରୁ ଦରଜ ଆରମ୍ଭ ହେଲା ? ତେବେ ସେଭଳି ଦୋସା ମୁଁ ଆଉ କେବେ ଖାଇବାର ମନେ ପଡୁନି l ମୁଁ କେବଳ ସେଇ ଥରେ ମାଳତୀ ଦେବୀ ଙ୍କୁ ଦେଖି ଥିଲି l ତାପରେ ଆମେ ଆମ ସଂସାର ନେଇ ବ୍ୟସ୍ତ ରହିଲୁ ଆଉ ମାଳତୀ ଦେବୀ କେରଳ ଫେରିଯାଇ ଥିଲେ l ଏଇଠି ମାଳତୀ ଦେବୀଙ୍କର ସଂଗେ ମୋର ଅନୁଭୂତି ସରିଲା l ଆଗକୁ ଅପେକ୍ଷା କରନ୍ତୁ ଅନ୍ୟ ଅନୁଭୂତି ଲେଖିବି l
ଲେଖିକା : ଚନ୍ଦ୍ରା ମିଶ୍ର (GFPS)
ଗାର୍ଲ ଫ୍ରମ ପଥୁରିଆ ସାହି ଜାନୁଆରୀ ୯, ୨୦୨୧